ସର୍ଭେ ଓ ଡିପିଆରରେ ସୀମିତ କେନ୍ଦୁଗୁଡ଼ା ପୋଲ

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଦୁରେଇ ରହିଥିବା ପାରିବାରିକ ସମ୍ପର୍କ ପାଖେଇ ଆସିବ ବୋଲି ଚିନ୍ତା କରାଯାଇଥିଲା। ମଞ୍ଜୁର ଅନୁଦାନ ଏଯାଏଁ ଜିଲ୍ଲାକୁ ମିଳିନି।

ngp- uper indra vati kenduguda (1)

ନବରଙ୍ଗପୁର: ତିନି ବର୍ଷ ତଳେ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡା ଘାଟରେ ପୋଲ ନିର୍ମାଣ କରିବାକୁ ତତ୍କାଳୀନ ସରକାର ଯୋଜନା କରି ୧୫୦କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହା ହେବା ଦ୍ବାରା ଚାରି ଜିଲ୍ଲା ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଦୁରେଇ ରହିଥିବା ପାରିବାରିକ ସମ୍ପର୍କ ପାଖେଇ ଆସିବ ବୋଲି ଚିନ୍ତା କରାଯାଇଥିଲା। ମଞ୍ଜୁର ଅନୁଦାନ ଏଯାଏଁ ଜିଲ୍ଲାକୁ ମିଳିନି।

ଅପରପକ୍ଷରେ ଏହାରି ମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ବି ନୂଆ ଡିପିଆର ବି ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ନୂଆ ସରକାର ଏବେ ଇନ୍ଦ୍ରାବତୀକୁ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ଦେବାକୁ ଅଣ୍ଟା ଭିଡୁଥିବା ବେଳେ ପୁଣି ପୁରୁଣା ଯୋଜନା ନୂଆ ସରକାର କାର୍ଯ୍ୟକାରୀ କରିବ କି ବୋଲି ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଏହି ପୋଲ ନିର୍ମାଣ ହୋଇପାରୁନଥିବାରୁ ଏବେ ବି ବିଚ୍ଛିନ୍ନାଞ୍ଚଳବାସୀ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି।

ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୬ହଜାର ପରିବାର ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ ହୋଇଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡ ଗାଁ ଜଳଭଣ୍ଡାର ଅପରପାର୍ଶ୍ଵରେ ରହିଯାଇଥିଲା। ଇନ୍ଦ୍ରାବତୀ ପାଣି ଯେଉଁ ନୂଆ ସୀମାରେଖା ଟାଣିଲା ତାହା ଲୋକଙ୍କୁ ବିକାଶ ସହ ସାମ୍ବିଧାନିକ ମୌଳିକ ଅଧିକାର ଠାରୁ ବଂଚିତ କରିଛି। ଜୀବନ ଜୀବିକା ପାଇଁ ପ୍ରତିଦିନ ଜଳଭଣ୍ଡାରର ପାଣିରେ ବିପଦ ସଂକୁଳସ୍ଥିତିରେ ଖାତିଗୁଡ଼ା ଓ ତେନ୍ତୁଳିଖୁଣ୍ଟିକୁ ଦେଶୀ ଡଙ୍ଗାରେ ବିପଦସଂକୁଳ ଅବସ୍ଥାରେ ନିଜ ଜୀବନକୁ ବାଜିରେ ଲଗାଇ  ଜଳଯାତ୍ରା କରୁଛନ୍ତି।  

ନବରଙ୍ଗପୁର ଠାରୁ ରାୟଗଡ଼ା ଜିଲ୍ଲାସଦରମହକୁମାକୁ ଯିବାକୁ ହେଲେ ବର୍ତ୍ତମାନ ଦୂରତା ପାଖାପାଖି ୨୦୦ କିଲୋମିଟର। ଭୁବନେଶ୍ବରକୁ ୬୦୦କିଲୋମିଟର। କେନ୍ଦୁଗୁଡାର ଏହି ପୋଲ ନିର୍ମାଣ ହୋଇପାରିଲେ ଦୂରତା କମିଯିବ। ହେଲେ ନବରଙ୍ଗପୁରରୁ ରାୟଗଡ଼ା ପ୍ରାୟ ୭୦କିମି କମିଯିବ। ନବରଙ୍ଗପୁର-ରାୟଗଡ଼ା ମଧ୍ୟରେ ଦୂରତା ମାତ୍ର ୧୨୦କିଲୋମିଟର ହେବା ସହ  ତିନି ଜିଲ୍ଲା ମଧ୍ୟରେ ଦୂରତା କମିବ।

ପୂର୍ତ୍ତ ବିଭାଗ ପୋଲ ନିମନ୍ତେ ସର୍ଭେ କରି  ଚିହ୍ନଟ ସ୍ଥାନରେ ଜଳଭଣ୍ଡାର ଗଭୀରତା ୪୦ ମିଟରରୁ ଊର୍ଦ୍ଧ୍ଵ ରହିଛି। ପୋଲର ଦୁଇଟି ସଂଯୋଗସ୍ଥଳ ମଧ୍ୟରେ ଦୂରତା ୫୦୦ମିଟର ହେବ ବୋଲି ଜଣାପଡ଼ିଛି। ପୋଲ ସହ ଉଭୟପାର୍ଶ୍ବ ଆପ୍ରୋଚ୍ ରୋଡ୍ ବାବଦରେ ପ୍ରାୟ ୧୬୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟବରାଦ କରାଯାଇଥିଲା। ୧୫୦କୋଟି ମଂଜୁର ହୋଇ ଅନୁଦାନ ଆସିନଥିଲା। ନୂଆ ସରକାର ଆସିବା ପରେ ପୁଣି ପୂର୍ତ୍ତ ବିଭାଗ ନୂଆ ଡିପିଆର୍ ପୁଣି ପଠାଇଛନ୍ତି। ତେବେ ଏହି ଡିପିଆର ଫାଇଲ୍ ନାଲିପିତା ତଳେ ରହିଯାଇଛି। ଏବେ ଇନ୍ଦ୍ରାବତୀକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ପ୍ରୟାସ ଆରମ୍ଭ କରିଛନ୍ତି।  ଏହି କ୍ରମରେ ଯଦି କେନ୍ଦୁଗୁଡା ପୋଲର ନିର୍ମାଣ କରାଯାଏ ତେବେ ଲକ୍ଷ୍ୟ ସଫଳତାରେ ପାଦେ ନବରଙ୍ଗପୁର ଜିଲ୍ଲା ଓ ଇନ୍ଦ୍ରାବତୀ ଆଗେଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

nabarangapur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe