କୋରାପୁଟ ବିକାଶର ମଙ୍ଗ ସମ୍ଭାଳିବ କଫି: ୨ ହଜାର ମହିଳାଙ୍କୁ କରିଛି ସ୍ବାବଲମ୍ବୀ

Advertisment

କୋରାପୁଟ କଫିର ଚାହିଦା ବିଶ୍ଵ ଦରବାରରେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ କଫି ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହି ଚାଷକୁ ଗୁରୁତ୍ବ ମିଳୁଛି।

କୋରାପୁଟ କଫିର ଚାହିଦା ବିଶ୍ଵ ଦରବାରରେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ କଫି ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହି ଚାଷକୁ ଗୁରୁତ୍ବ ମିଳୁଛି।

Koraput coffee

Koraput coffee Photograph: (Sambad )

କୋରାପୁଟ: କୋରାପୁଟ କଫିର ଚାହିଦା ବିଶ୍ଵ ଦରବାରରେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ କଫି ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହି ଚାଷକୁ ଗୁରୁତ୍ବ ମିଳୁଛି। ବିଶେଷ କରି ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଳି)କୁ ଏଥିରେ ନିୟୋଜିତ କରି ସ୍ୱାବଲମ୍ବୀ ତଥା ସଶକ୍ତିକରଣ କରାଯାଉଛି। ଜିଲ୍ଲା ପ୍ରଶାସନ ତ‌ଥା ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଷ ଅପେକ୍ଷା ଏହାର ଚାରା ଉତ୍ପାଦନ ଦିଗରେ ଗୋଷ୍ଠୀ ମହିଳାଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଏବେ ୧୫ଟି ଏସଏଚଜିର ୨ ହଜାରରୁ ଅଧିକ ମହିଳା ଏହାଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି।

ଏବେ ଏହା ସାଙ୍ଗକୁ ଚାରା ଉତ୍ପାଦନ ୧୦ହଜାର ହେକ୍ଟର ଜମିରେ କରିବା ସହ କଫି ଚାଷର ଅଂଚଳକୁ ୧ହଜାର ହେକ୍ଟରକୁ ବୃଦ୍ଧି କରିବା ସହ ବିକ୍ରୀବଟା ପାଇଁ ବାହାରର ବଡ ବଡ କମ୍ପାନୀକୁ ଡାକିବାକୁ  ଜିଲ୍ଲାପ୍ରଶାସନ କରିଛି ପ୍ରସ୍ତୁତି। ରାଜ୍ୟସରକାର ଏହି ଯୋଜନାକୁ ଅନୁମୋଦନ କଲେ ଆସନ୍ତାବର୍ଷଠାରୁ ଏହା କାର୍ଯ୍ୟକାରୀ ହେବ। ଆଗାମୀ ଦିନରେ ଜିଲ୍ଲାର ବିକାଶର ମଙ୍ଗ କଫି ସମ୍ଭାଳିବ ବୋଲି ଲକ୍ଷ୍ୟ ରଖିଛି ଜିଲ୍ଲାପ୍ରଶାସନ।  

ଜିଲ୍ଲାର ଭୌଗଳିକ ସ୍ଥିତି କଫି ଚାଷ ପାଇଁ ଅନୁକୂଳ। ତେଣୁ କୋରାପୁଟ ଉପଖଣ୍ଡରେ ଏହା ଅଧିକା ହୋଇପାରିବ। ଅଧିକା କଫି ଚାଷ ହେଲେ ବଡ ବଡ  କଫି ପ୍ରକ୍ରିୟାକରଣ କମ୍ପାନୀ ସହ ବିକ୍ରୀବଟା ପାଇଁ ବି କମ୍ପାନୀ ଆସିବା ସମ୍ଭାବନାକୁ ଏଡାଇ ହେବ ନାହିଁ। ଏହି ୧୦ହଜାର ହେକ୍ଟରରେ ଚାଷ ହେବା ଦ୍ବାରା କମ୍ପାନୀ ପ୍ରତିଷ୍ଠା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୪ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନଜୀବିକା ସୁଧିରିବା ସହ କାମ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍। ଜିଲ୍ଲା ପ୍ରଶାସନ ତଥା ଓଡ଼ିଶା ଜୀବିକା ମିଶନ ପକ୍ଷରୁ କୋରାପୁଟ, ଦଶମନ୍ତପୁର, ଲମତାପୁଟ, ନନ୍ଦପୁର, ଲକ୍ଷ୍ମୀପୁର, ପଟାଙ୍ଗୀ ଓ ସେମିଳିଗୁଡା ବ୍ଳକରେ ୧୫ଟି କଫି ନର୍ସରୀ ରହିଛି। ଜିଲ୍ଲାର ୧୫ଟି ଏସଏଚଜିର ସଦସ୍ୟମାନେ ଏଥିରେ ଚାରା ଉତ୍ପାଦନ କରୁଛନ୍ତି। ଉପରୋକ୍ତ ଅଞ୍ଚଳର ଅନ୍ୟ ମହିଳାମାନେ ନର୍ସରୀରେ ପାଣି ଦେବା, ଖତ ଦେବା ସହିତ ଘାସ ବାଛିବା ଆଦି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଏହି କାର୍ଯ୍ୟରେ ସିଧାସଳଖ ୨ ହଜାରରୁ ଅଧିକ ମହିଳା ନିୟୋଜିତ ଅଛନ୍ତି। ଏହାଦ୍ୱାରା ଜିଲ୍ଲାର ଆର୍ଥିକ ଅନଗ୍ରସର ମହିଳାମାନେ ସ୍ବାବଲମ୍ବୀ ହୋଇ ନିଜ ଗୋଡ଼ରେ ଛିଡା ହୋଇପାରିଛନ୍ତି। ଗତ ବର୍ଷ କଫି ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ୪ଲକ୍ଷ ୬୦ହଜାର ଚାରା କ୍ରୟ କରିଥିଲା। ଚଳିତ ବର୍ଷ ୧୦ଲକ୍ଷ ୪୭ହଜାର ଚାରା କିଣିବା ପାଇଁ ବରାଦ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା କହିଛନ୍ତି ଓଏଲଏମ୍ ଜିଲ୍ଲା ‌ସଂଯୋଜିକା ପ୍ରିୟମ୍ବଦା ବିଷୋଇ।

ଗୋଟାଏ ଚାରା ଉତ୍ପାଦନ ପିଛା ୯ ଟଙ୍କା ଖର୍ଚ ହେଉଥିବା ବେଳେ କଫି ଡେଭଲପମେଣ୍ଟ ଟ୍ରଷ୍ଟ ଏହାକୁ ୧୨ ଟଙ୍କା ୫୦ ପଇସାରେ କିଣି ନେଉଛି। ତେବେ ଜିଲ୍ଲାପ୍ରଶାସନ କରିଥିବା ନୂଆ ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହେଲେ ନର୍ସରୀ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକା ମହିଳା ସ୍ବୟଂ ସହାୟକ ଦଳ ଓ ମହିଳା ମାନେ ବି ଏଥିରେ ସାମିଲ ହୋଇପାରିବେ। ତେବେ ରାଜ୍ୟ ସରକାର ବି କଫି ଚାଷକୁ ପ୍ରତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଏହି କ୍ରମରେ ଜିଲ୍ଲାପ୍ରଶାସନର ପ୍ରସ୍ତାବ ଶୀଘ୍ର ଅନୁମୋଦିତ ହେବ ବୋଲି ଜିଲ୍ଲାପ୍ରଶାସନ ସହ ଜିଲ୍ଲାବାସୀ ବି ଆଶାରେ ରହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe