ପ୍ରେମ ପାଇଁ ମହିଳା କନେଷ୍ଟବଳ ଜୀବନ ହାରିଥିବା ଅଭିଯୋଗ ଆଣିଲା ପରିବାର

Advertisment

ବାଲେଶ୍ୱର ରିଜର୍ଭ ପୁଲିସ ବାରାକ୍‌ରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ୧୬ନମ୍ବର ମହିଳା ବାରାକ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।

ବାଲେଶ୍ୱର ରିଜର୍ଭ ପୁଲିସ ବାରାକ୍‌ରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ୧୬ନମ୍ବର ମହିଳା ବାରାକ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।

bls constoble

Balesore constoble dead Photograph: (sambad.in)

ବାଲେଶ୍ୱର: ବାଲେଶ୍ୱର ରିଜର୍ଭ ପୁଲିସ ବାରାକ୍‌ରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ୧୬ନମ୍ବର ମହିଳା ବାରାକ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଉଛନ୍ତି ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ରତ୍ନାକର ଦାସଙ୍କ ଝିଅ ଯଶୋଦା ଦାସ। ଏନେଇ ଆଜି ସକାଳେ ପ୍ରଥମେ ପୁଲିସ ତାଙ୍କ ସହକର୍ମୀଙ୍କ ଠାରୁ ଖବର ପାଇଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। 

ଯଶୋଦା ବାଲେଶ୍ୱର ରିଜର୍ଭ ପୁଲିସରେ କନେଷ୍ଟବଳ ଭାବେ ୨୦୨୩ ମସିହାରେ ନିଯୁକ୍ତି ପାଇଥିଲେ। ବେଶ କିଛିଦିନ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ରିସେପ୍‌ସନିଷ୍ଟ ଭାବେ ସେ ଡ୍ୟୁଟି କରୁଥିଲେ। 

ତେବେ ଆଜିର ଘଟଣା ପରେ ପୁଲିସ ପ୍ରାଥମିକ ତଦନ୍ତ କରିଥିବା ବେଳେ ଯଶୋଦା କିଛିଦିନ ହେବ କୌଣସି କାରଣକୁ ନେଇ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସହକର୍ମୀମାନେ କହିଛନ୍ତି। ତେବେ ଗତକାଲି ରାତିରେ ‌ସେମାନେ ଡ୍ୟୁଟିକୁ ଯାଇଥିବା ବେଳେ ଯଶୋଦା ଏକୁଟିଆ ରହିଥିଲେ। ଆଜି ସକାଳ ୮ଟା ସମୟରେ ସେମାନେ ବାରାକ୍‌ରୁ ଫେରିବା ପରେ ଯଶୋଦା ବେକରେ ରଶି ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। 

ଅନ୍ୟପଟେ ଯଶୋଦାଙ୍କ ପରିବାର ଲୋକ ଏହି ଘଟଣାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେମାନେ ଯଶୋଦାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦାୟୀ କରିଛନ୍ତି। କିଛିଦିନ ହେଲା ସମ୍ପୃକ୍ତ ଯୁବକ ସହ ସେ ପ୍ରେମ ସମ୍ପର୍କରେ ଆସିଥିଲେ। କିନ୍ତୁ କୌଣସି ଧୋକାର ଶିକାର ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ଭାଇ ହରିପଦ ଦାସ କହିଛନ୍ତି। ଯଶୋଦାଙ୍କ ବାପା ରତ୍ନାକରଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଯଶୋଦା ଅଳ୍ପ ସମୟ ପାଇଁ ଫୋନ୍‌ରେ ତାଙ୍କ ସହ କଥା ହୋଇଥିବା ବେଳେ ଅତ୍ୟନ୍ତ ଭାରାକ୍ରାନ୍ତ ତଥା ଦୁଃଖରେ ଥିବା କହୁଥିଲେ। ଆଜି ସକାଳୁ ତାଙ୍କ ମୃତ୍ୟୁ ଖବରକୁ ସେ ସହଜରେ ଗ୍ରହଣ କରିପାରୁନଥିବା କହିଛନ୍ତି। 

ଏହି ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ କହିଛନ୍ତି ଯେ, ପୁଲିସ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତାଙ୍କ ହ୍ବାଟ୍‌ସଆପ ଷ୍ଟାଟ୍‌ସ ଏବଂ ଡାଏରିରୁ ଏକ ଲେଖା ଜବତ କରାଯାଇଛି। ଯେଉଁଥିରେ ସେ କିଛି ଦୁଃଖ ତଥା ଅଭିଯୋଗଭରା ବାକ୍ୟ ଉଲ୍ଲେଖ କରିଛନ୍ତି। ତେଣୁ ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ଏବଂ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ସମସ୍ତ ଘଟଣା ସାମ୍‌ନାକୁ ଆସିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ଖବର ଲେଖା ହେବା ବେଳକୁ ଯଶୋଦାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଦେଖାଯାଇଥିଲା।

Baleswar | Police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe