ନବରଙ୍ଗପୁର: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି କରିବା ଜଣେ ଶିକ୍ଷୟତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାର କୋଷାଗୁମୁଡା ବ୍ଲକ କକଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶାରାଣୀ କର ଦୁଇଟି ବିଇଡି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବାକୁ ନେଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଏହାର ସମ୍ପୁର୍ଣ୍ଣ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାଂଚ ବେଳେ ଉକ୍ତ ଶିକ୍ଷୟିତ୍ରୀ ଜଣକ ଦୁଇଟି ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରୀ କରୁଥିବା ଜଣାପଡିଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଆଜି ତାଙ୍କୁ ସରକାରୀ ସର୍ଭିସ ରୁଲ୍ -୧୯୫୯କୁ ଉଲଂଘନ କରିଥିବା ଦର୍ଶାଇ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେ କୋଷାଗୁମୁଡ଼ା ବିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ। ବିନା ଅନୁମତିରେ ହେଡ଼କ୍ଵାଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ଏହା ସହ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ଶିକ୍ଷୟିତ୍ରୀ କାର୍ଯ୍ୟକରୁଥିବାକୁ ନେଇ ଅଭିଯୋଗ ଉଠିଥିଲା। ଅଭିଯୋଗକାରୀ ଜଣକ ଆରଟିଆଇ (ସୂଚନା ଅଧିକାର)ବଳରେ କକଡାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମାଗିଥିଲେ। ସେ ଦେଇଥିବା ତଥ୍ୟରେ କାର୍ଯ୍ୟରେ ଯୋଗ ଦେବା ଏବଂ ପରେ ଶିକ୍ଷୟତ୍ରୀ ଜଣକ ଦାଖଲ କରିଥିବା ବିଇଡି ପ୍ରମାଣପତ୍ରରେ ଦୁଇଟିରେ ପୃଥକ ପୃଥକ ଦୁଇଟି ରେଜିଷ୍ଟ୍ରେସନ ନମ୍ବର ରହିଥିଲା। ଗୋଟିଏରେ ରେଜିଷ୍ଟ୍ରେସନ ନମ୍ବର ୨୦୯୧୯୮୦୦୦୪୭ ରହିଥିବା ବେଳେ ଅନ୍ୟଟିରେ ୦୦୧୨୦୧୦୧ ରହିଛି। ଏହା ସହ ସେ ଡ୍ୟୁଟିରେ ଥିବା ସମୟରେ ସେ କିଭଳି ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ନିୟମିତ ବିଇଡି ପଢ଼ିବାକୁ ଗଲେ ବୋଲି ପ୍ରଶ୍ନ ଉଠିଥିଲା। ସେ ନିୟମିତ ଶିକ୍ଷୟିତ୍ରୀ ଥିବା ବେଳେ ନିୟମିତ ଭାବେ ବିଇଡି ପଢ଼ିଲେ କେମିତି ବୋଲି ଅଭିଯୋଗକାରୀ ତରୁଣ ବିଷୋଇ ପ୍ରଶ୍ନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ବାରମ୍ବାର ଅଭିଯୋଗ କରି ଆସୁଥିଲେ।
ତେବେ ଏହି ଦୁଇଟିରୁ କେଉଁଟି ଅସଲି ଓ କେଉଁଟି ନକଲି ଜାଣିବାକୁ ପୂର୍ବରୁ ବି ଆନ୍ଧ୍ର ବିଶ୍ବବିଦ୍ୟାଳୟକୁ ଗତ ତିନି ବର୍ଷ ହେବ ଚିଠି କରୁଥିଲେ ହେଁ ସେଠାରୁ କୌଣସି ପ୍ରତିଉତ୍ତର ଆସିନଥିବା କହିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ। ତେବେ ପ୍ରଧାନଶିକ୍ଷକ ଆରଟିଆଇରେ ଦେଇଥିବା ବିଇଡି ଶିକ୍ଷାଗତ ପ୍ରମାଣ ପତ୍ର ଓ ଶିକ୍ଷୟତ୍ରୀ ଜଣକ କାର୍ଯ୍ୟରେ ଯୋଗ ଦେବା ବେଳେ ଦାଖଲ କରିଥିବା ବିଇଡି ପ୍ରମାଣପତ୍ରର ପୃଥକ ପୃଥକ ଦୁଇଟି ରେଜିଷ୍ଟ୍ରେସନ ନମ୍ବର ଥିବା ସ୍ପଷ୍ଟ ହୋଇଛି। ତେଣୁ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ତାଙ୍କ ଉତ୍ତର ଦେବାକୁ ସୁଯୋଗ ଦିଆଯିବ। ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ଚାକିରୀ କରି ସରକାରୀ ଅର୍ଥ ଦୀର୍ଘ ଦିନ ଧରି ନେଇଥିବାରୁ ତାହାକୁ ଆଦାୟ କରିବା ପାଇଁ ସାର୍ଟିପିକେଟ୍ ମାମଲା ବି ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ। ଏହା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଆଇନଗତ ପଦକ୍ଷେପ ନେବା ପାଇଁ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।
Nabarangpur | Education
Follow Us