Jajpur Photograph: (Jajpur)
ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁ ନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଜୁନ ୧୪ରୁ ୧୬ ତାରିଖ ଯାଏଁ ତିନିଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ଏହି ସମୟରେ କୌଣସି କର୍ମଚାରୀଙ୍କୁ ଛୁଟି ପାଇଁ ଅନୁମତି ଦିଆଯିବ ନାହିଁ। ଏଥି ସହିତ ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ବୃଦ୍ଧି ପାଇ ଥିବାବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୧ ଛୁଇଁଛି। ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ ଓ ରସୁଲପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ପ୍ରଭାବିତ କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀଙ୍କ ଲମ୍ବାଧାଡ଼ି ଲାଗିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଯଯାତି ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୮୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।
ବୁଧବାର ସୁଦ୍ଧା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ଯାଜପୁର ସଦର ବ୍ଲକ୍ ଖଇରାବାଦ ଗାଁର ଅନିଲ ସିଂ, ମଲାପଡ଼ାର ସେବତୀ ଘଡ଼ାଇ, ଦଶରଥପୁର ବ୍ଲକ୍ ଝାଡ଼ଙ୍ଗା ଗାଁର ପବିତ୍ରା ଦାସ, ବ୍ୟାସନଗର ପୌରାଞ୍ଚଳ ୱାର୍ଡ ନଂ ୧୧ ଚାନ୍ଦମା ଅଞ୍ଚଳର ସନାତନ ପାଇକିରା ଓ କୋରେଇ ପଛିକୋଟ ଗ୍ରାମର ଦେବକୀ ମଲ୍ଲିକଙ୍କ ମୃତ୍ୟୁ ହୋଇଛି।
ଏହି ଜଳବାହିତ ରୋଗ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ୍. ଅଶ୍ୱଥି ଯାଜପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ସହଯୋଗ ଓ ତ୍ବରିତ ନିରାକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସୁ ନଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୋଗୀଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରୁ ଏକାଧିକ ଡାକ୍ତରୀ ଟିମ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଡବ୍ଲୁଏଚ୍ଓ ପ୍ରତିନିଧି, ଆଇସିଆର୍ଏମ୍ର ପ୍ରତିନିଧି ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରତିନିଧି ଯାଜପୁର ଜିଲ୍ଲାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Health | Jajpur
Follow Us