ରତ୍ନବେଦିରେ ଚତୁର୍ଦ୍ଧାବିଗ୍ରହ, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା

ନବଦିନାତ୍ମକ ରଥଯାତ୍ରା, ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ମଙ୍ଗଳବାର ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିରାଜମାନ କରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି।

Niladri bije

ପୁରୀ: ନବଦିନାତ୍ମକ ରଥଯାତ୍ରା, ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିରାଜମାନ କରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ଆଜି ନୀଳାଦ୍ରିବିଜେ ନୀତି ସଂପନ୍ନ ହୋଇଛି। ମହାପ୍ରଭୁ ଆଜି ଠାରୁ ରତ୍ନବେଦିରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଆନନ୍ଦ ବଜାରରେ ବୁଧବାର ଦିନ  ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ। 

ନୀଳାଦ୍ରି ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରିଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ଭୋର୍‌ ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ୫ଟାରେ ଅବକାଶ ନୀତି ପରେ ସାଢ଼େ ୫ଟାରେ ବେଶ ଶେଷ ହୋଇଥିଲା। ଗୋପାଳବଲ୍ଲଭ, ସକାଳଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ, ମଧ୍ୟାହ୍ନ ଧୂପ,  ମଇଲମ ଓ ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପହଣ୍ଡି ଆରମ୍ଭ କରାଯାଇଥିଲା।

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ବିମୁଖ ଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଥିଲେ। ଚାହାଣି ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳଦ୍ରି‌ ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଅବସରରେ କିଛି ସମୟ ପାଇଁ ସିଂହଦ୍ୱାର ବନ୍ଦ ରଖାଯାଇଥିଲା। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିର ଜୟବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ଜୟବିଜୟ ଦ୍ୱାର ଖୋଲିଥିଲା।

ନୀଳାଦ୍ରିବିଜେର ଅନ୍ୟତମ ବିଶେଷତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରିଥାନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ବିଶେଷ କରି ନବବିବାହିତ ଦମ୍ପତିଙ୍କ ଭିଡ଼ ରହିଥାଏ।  

puri | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe