ପୁରୀ: ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ଙ୍କ ହାତ ପ୍ରସ୍ତୁତ ପୋଡପିଠା ଖାଇଛନ୍ତି। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଥିଲା। ତିନିରଥ ମାଉସୀ ମା’ଙ୍କ ମନ୍ଦିର ଦେଇ ଯିବା ବେଳେ ତିନି ମାଟିହାଣ୍ଡିରେ ପୋଡ଼ପିଠା ସମର୍ପଣ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଥିଲା। ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ପୁନର୍ବାର ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଆଗକୁ ବଢ଼ିଛନ୍ତି।
ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ଏଥିପାଇଁ ଗତକାଲିଠାରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାଉସୀ ମା’ଙ୍କ ମନ୍ଦିରରେ ଏହି ପୋଡ଼ପିଠା ପ୍ରସ୍ତୁତି ହୋଇଥିଲା। ପୋଡ଼ପିଠା ପ୍ରସ୍ତୁତି ବି ନିଆରା। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ପରେ ସିଝିବାକୁ ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ବରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ। ପରେ ବାହୁଡ଼ାରେ ତିନି ଠାକୁରଙ୍କୁ ତିନିଟି କୁଡ଼ୁଆରେ ସମର୍ପଣ କରାଯାଇଥାଏ।
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜିଉମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ଆଗି ସିଂହଦ୍ବାରକୁ ଆସୁଛନ୍ତି। ସର୍ବ ପ୍ରଥମେ ପ୍ରଭୁ ବଳଭଦ୍ର ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଭଉଣୀ ସୁଭଦ୍ରା ପଛରେ ଆସୁଥିବା ବେଳେ କାଳିଆ ଠାକୁର ମଧ୍ୟ ଅଳ୍ପ ସମୟ ମଧ୍ୟରେ ସିଂହଦ୍ବାର ସାମ୍ନାରେ ପହଞ୍ଚିବେ। ଶ୍ରଦ୍ଧାର ବଡ଼ଦାଣ୍ଡରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଟାଣିଟାଣ ଆଣୁଛନ୍ତି।
rath yatra | Puri Jagannath temple
Follow Us