ପ୍ରେମ ବିବାହକୁ ମିଳିଲାନି ସ୍ବୀକୃତି: ଯୁବକ-ଯୁବତୀଙ୍କୁ ଗାଁ ଦାଣ୍ଡରେ ହଳ ବୁଲାଇଲେ ଗ୍ରାମବାସୀ

ଦେଶ ସ୍ବାଧୀନ ହେବା ସାତ ଦଶନ୍ଧି ଅତିକ୍ରମ କରିସାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବହୁ ଆଗରେ ପହଞ୍ଚି ସାରିଛି। ଦେଶରେ ଆଇନ୍‌କାନୁନ ବ୍ୟବସ୍ଥା ରହିବା ଓ ସାମାଜିକ ଗଣମାଧ୍ୟମ‌ରେ ପ୍ରତ୍ୟେକ ଖବର ଖୁବ୍‌ କମ ସମୟ ମଧ୍ୟରେ ଭାଇରାଲ ହେଉଛି।

New Project (7)

ନାରାୟଣପାଟଣା (ଅନିଲ ସୁବୁଦ୍ଧି): ଦେଶ ସ୍ବାଧୀନ ହେବା ସାତ ଦଶନ୍ଧି ଅତିକ୍ରମ କରିସାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବହୁ ଆଗରେ ପହଞ୍ଚି ସାରିଛି। ଦେଶରେ ଆଇନ୍‌କାନୁନ ବ୍ୟବସ୍ଥା ରହିବା ଓ ସାମାଜିକ ଗଣମାଧ୍ୟମ‌ରେ ପ୍ରତ୍ୟେକ ଖବର ଖୁବ୍‌ କମ ସମୟ ମଧ୍ୟରେ ଭାଇରାଲ ହେଉଛି। ଏହାରି ମଧ୍ୟରେ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ଲୋକମାନେ ଆଜି ବି ଶହେ ବର୍ଷ ପୁରୁଣା ‌ଜୀବନ ଶୈଳୀରେ ଚଳୁଛନ୍ତି। ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାରେ ଏହି ଭଳି ଘଟଣା ଘଟୁଥିବା ଦୃଶ୍ୟଗୋଚର ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାତ୍ର ୪ଦିନ ମଧ୍ୟରେ ୨ଟି ସ୍ଥାନରେ ଯୁବକ-ଯୁବତୀଙ୍କୁ ବଳଦ ଭଳି ହଳ କରାଯାଇଛି। ଏଭଳି ଘଟଣା ଲୋକଲୋଚନକୁ ଆସିଛି ଯାହା, ସଭ୍ୟ ଓ ଶିକ୍ଷିତ ସମାଜକୁ ସ୍ତବ୍ଧ କରୁଛି। କିନ୍ତୁ ଏହି ଘଟଣା ପଛରେ ରହିଛି ଆଦିବାସୀ ପରଂପରାର କାହାଣୀ। 

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଘଟଣା ମନରୁ ଲିଭି ନଥିବା ବେଳେ କୋରାପୁଟ ଜିଲ୍ଲା ନାରାୟପାଟଣା ବ୍ଲକ ବୋରିଗି ପଞ୍ଚାୟତ ଅନ୍ତର୍ଗତ ପେଦାଇଟିକି ଗାଁରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହଣ ସମୟରେ ପେଦାଇଟିକି ଗାଁର ନରେନ୍ଦ୍ର ପିଡ଼ିକା (୨୨) ଓ ପାଖଗାଁ ନାଡିମିଟିକି ର ଜଣେ ଯୁବତୀ ଆଶନ୍ତି ପିଡ଼ିକାଙ୍କୁ ବଳଦ ଭଳି ହଳ କରାଯାଇଛି ଗାଁ ମୁଣ୍ଡ ଇଷ୍ଟ ଦେବୀ ଆଗରେ । ଉଭୟ ଯୁବକ-ଯୁବତୀ ପ୍ରେମ କରୁଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।

ରଥଯାତ୍ରା ଯାତ୍ରା ସମୟରେ ନରେନ୍ଦ୍ର ଓ ଆଶାନ୍ତି ଉଭୟ ଭଲ ପାଇବା ଆରମ୍ଭ କରିଥିଲେ। ସେମାନେ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଥିଲେ। ସେଠାରେ କିଛି ଦିନ ରହିଲା ପରେ ନିକଟରେ ଘରକୁ ଫେରିଥିଲେ। କିନ୍ତୁ ପରିବାର ଲୋକମାନେ ଦୁଇଜଣଙ୍କର ଭଲପାଇବାକୁ ସ୍ବୀକୃତି ଦେଇନଥିଲେ। ଗାଁ ରେ ପ୍ରବେଶ କରେଇନଥିଲେ । ତେଣୁ ଦୁଇ ଗାଁର ଭଦ୍ରଲୋକ ଓ ପରିବାରର ଲୋକଙ୍କୁ ନେଇ ଆଜି ଅପରାହ୍ନରେ ଏକ ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଦିବାସୀ ପ୍ରଥା ପରଂପରା ଅନୁସାରେ ଧରଣୀ ପେନୁଙ୍କୁ ତଥା ଗାଁ ଇଷ୍ଟ ଦେବୀ କୁସନ୍ତୁଷ୍ଟ କରିବା ପାଇଁ ହଳ-ଲଙ୍ଗଳ ମଗା ଯାଇଥିଲା। ଏହା ପରେ ଉଭୟ ପ୍ରେମିକ-ପ୍ରେମିକାଙ୍କ ବେକରେ ରଶି ଓ ହଳ-ଲଙ୍ଗଳ ଲଗାଇ ଗାଁରେ ‌ସାତ ଇଷ୍ଟ ଦେବୀ ଆଗରେ ଦୁଇ ପ୍ରେମୀ ଯୁଗଳ ମାଇ ଓ ବଳଦ ହୋଇ ଘେରା ବୁଲା ଯାଇଥିଲା। ଶେଷରେ ଯୁବକ ଜଣକ ତାର ପ୍ରେମିକାକୁ ଧରି ନିଜ ଘରକୁ ଆସି ଆଶ୍ରୟ ନେଇଛନ୍ତି। 

ଘଟଣା ପଛର କାହାଣୀ

କୋରାପୁଟ ଜିଲ୍ଲାରେ ଆଦିବାସୀ ପରଂପରା ରହିଛି। ଯଦି ଗୋଟିଏ ବଂଶ‌, ଗୋଟିଏ ଜାତିରେ ପୁଅ-ଝି୍ଅ ପ୍ରେମ ବିବାହ କରନ୍ତି, ତାଙ୍କର ଚଳିତ ବର୍ଷ ଫସଲ ନଷ୍ଟ ହୋଇଯିବ। ଚାଷ ଉଜୁଡ଼ି ଯିବ ଓ ବର୍ଷା ହେବନାହିଁ। ଗାଁ ରେ ଅଶାନ୍ତି ହେବ ।ରୋଗ ବ୍ଯାଧି ହେବ ।ତେଣୁ ଭଲ ବର୍ଷା ଆଶା ସହିତ ଚାଷ ଓ ଭଲ ଫସଲ ଉତ୍ପାଦନ ପାଇଁ ଧରଣୀ ପେନୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଁ ମୁଣ୍ଡରେ ଆଦିବାସୀ ରୀତିନୀତିରେ ପୁଅ-ଝିଅଙ୍କୁ ବଳଦ ସଜାଇ ଦାଣ୍ଡରେ ଜୁଆଳି ପକାଇ ଗାଁ ମୁଣ୍ଡରେ ୭ଘେରା ବୁଲାଇ ପୁଅ-ଝିଅକୁ ଛାଡ଼ନ୍ତି। ଏହି ଘଟଣାକୁ ଉଭୟ ପୁଅ-ଝିଅ ପରିବାରର ଲୋକ ନିଜସ୍ବ ରୀତିନୀତିରେ କରିଥାନ୍ତି। ଏହା ତାଙ୍କର ପୂର୍ବପୁରୁଷରୁ ପରଂପରା ରହି ଆସିଛି। ଆଧୁନିକ ସମାଜରେ ଏହି ଘଟଣାକୁ ଭିନ୍ନ ରୂପ ଦିଆଯାଇ ପ୍ରତିବାଦର ସ୍ବର ଉଠୁଛି। କିନ୍ତୁ ଆଜି ଏହି ଅନ୍ଧବିଶ୍ବାସ ଆଦିବାସୀ ପରଂପରାରେ ବଂଚି ରହିଛି, ଯାହା ଏକ ଜ୍ବଳନ୍ତ ଉଦାହରଣ।

ରାୟଗଡ଼ା ଜିଲ୍ଲା ପରି କୋରାପୁଟ ଜିଲ୍ଲାରେ ସମାନ ଘଟଣା ଘଟିଲା ପରେ ଭିଡିଓ ଭାଇରାଲ ହୋଇଛି। ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭ‌ଉଣୀ ସହ ପ୍ରେମ ସମ୍ପର୍କ ରଖି ଧରା ପଡ଼ିବା ପରେ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରାଯାଉଛି, ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି।


ଏହି ଘଟଣା ନେଇ ନରେନ୍ଦ୍ର ପିଡ଼ିକାଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ପିଡ଼ିକା କହିଛନ୍ତି ଯେ ଆମେ ଆଦିବାସୀ ପରମ୍ପରା ସମାଜରେ ରହୁଛି। ପୂର୍ବ ପୁରୁଷର ପ୍ରଥା ମାନିବାକୁ ବାଧ୍ୟ। ତେଣୁ ମୋ ଭାଇ ଏ ପ୍ରଥା ମାନିବାକୁ ପଡ଼ିବ। ତେବେ ଯାଇ ଗାଁରେ ପ୍ରବେଶ କରିବେ।ଏଥିରେ କୌଣସି ଅସୁବିଧା ନାହିଁ। ଅନ୍ୟପଟେ ୱାର୍ଡ ସଭ୍ୟ ଗୁମ୍ଫା ହୁଇକା କହିଛନ୍ତି ଯେ ଏହା କୈଣସି କଙ୍ଗାରୁ କୋର୍ଟ ନୁହେଁ। ଏହା ଆଦିବାସୀ ପରମ୍ପରା। ବିବାହକୁ ସ୍ବୀକାର ଦେବା ପାଇଁ ପ୍ରେମୀ ଯୁଗଳକୁ ଗାଁ ଦାଣ୍ଡ ଇଷ୍ଟ ଦେବୀରେ ବଳଦ ହୋଇ ସାତ ଘେରା ବୁଲିଲେ। ଏହା ହେଲେ ଗାଁ ଶାନ୍ତି ହେବ, ଫସଲ ଭଲ ହବ, ଅମଳ ଭଲ ହବ।

Tribal people | Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe