RGD cwc Photograph: (sambad.in)
ରାୟଗଡ଼ା: ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି)ର ଅଧ୍ୟକ୍ଷଙ୍କ ସମେତ ୪ ଜଣ ସଭ୍ୟଙ୍କୁ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସେମାନଙ୍କ ପଦବିକୁ ରଦ୍ଦ କରିଥିଲାI ସିଡବ୍ଲ୍ୟୁସି ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କ ପଦବି ରଦ୍ଦ ହେବା ପରେ ରାୟଗଡ଼ା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ସାମୟିକ ଭାବେ ସିଡ଼ବ୍ଲୁସି ଦାୟିତ୍ୱ ଦିଆଯାଇଥିଲାl
ଶିଶୁମାନଙ୍କ ଅଧିକାରକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଗୁରୁତ୍ୱପୂର୍ଣ ଦାୟିତ୍ୱ ରହିଥିବାରୁ ଏହାର ନୂତନ ସିଡ଼ବ୍ଲୁସି ଅଧ୍ୟକ୍ଷ ଏବଂ ସଭ୍ୟଙ୍କ ନିଯୁକ୍ତି ନହେବା ଯାଏଁ ସରକାରଙ୍କ ଆଦେଶ ପ୍ରକାରେ ଚିଠି ନଂ ୧୧୫୪୯, ୮/୦୫/୨୦୨୫ ପ୍ରକାରେ କୋରାପୁଟ ସିଡବ୍ଲୁସିକୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେl
ସେହିପରି ଆଦେଶ ପ୍ରକାରେ କୋରାପୁଟ ସିଡ଼ବ୍ଲୁସି ରାୟଗଡ଼ାର ଦାୟିତ୍ୱ ଗ୍ରହଣ କରିବାକୁ ଆସି ପୂର୍ବତନ ସିଡ଼ବ୍ଲୁସି ଅଧ୍ୟକ୍ଷା ବିଦୁଲତା ହୁଇକାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ପୂର୍ବତନ ଅଧ୍ୟକ୍ଷା କିମ୍ବା କମିଟିର ସଦସ୍ୟ ମାନେ ସହଯୋଗ କରିନଥିଲେ, ଯାହାଫଳରେ ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ନିର୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ କୈଳାଶ ସ୍ୱାଇଁଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚି଼ଚୁଆନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଲାଭାଙ୍ଗା ଯାଇଥିଲା। ତାଲା ଭଙ୍ଗାଯାଇ କୋରାପୁଟ ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା।
ଗତବର୍ଷ ନଭେମ୍ବର ମାସରେ ରାୟଗଡା ବ୍ଲକର ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନିକଟସ୍ଥ ନୂଆପଡା କଲୋନିରୁ ଏକ ନବଜାତ ଶିଶୁକନ୍ୟାକୁ ଅବୈଧ ଭାବରେ ପୋଷ୍ୟ ଗ୍ରହଣ କରାଯାଇଥିବା ଅଭିଯୋଗ ପରେ ଏହି ଘଟଣାରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଏବଂ ଏହାର ସଭ୍ୟ ମାନଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀ ସିଡବ୍ଲ୍ୟୁସିକୁ ଭଙ୍ଗ କରିବାକୁ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗକୁ ସୁପାରିଶ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିଶକ୍ରମେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଡବ୍ଲ୍ୟୁସି ଅଧ୍ୟକ୍ଷ ବିଦୁଲତା ହୁଇକା, କମିଟିର ସଦସ୍ୟ ଗାଗାରିନ୍ ଶବର, ପ୍ରିୟଦର୍ଶିନୀ ମହାକୁଲ, କୈଳାସ ଚନ୍ଦ୍ର ପାଳ ଓ ଜ୍ୟୋତ୍ସ୍ନାମୟି ପାଢ଼ୀଙ୍କ ପଦକୁ ରଦ୍ଦ କରିଥିଲେ।
Rayagada
Follow Us