ନଦୀର ପ୍ରଖର ଜଳସ୍ରୋତ ଭିତରେ ଗଛକୁ ଧରି ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।’ ଅତି ସଂକ୍ଷେପରେ କହିବାକୁ ଗଲେ ଭଗବାନ ଯାହାକୁ ସୁରକ୍ଷା ଦେବାକୁ ଚାହିଁବେ, ତାଙ୍କର କୌଣସି କ୍ଷତି ବା ଅସୁବିଧା ହେବ ନାହିଁ। ଓଡ଼ିଶା-ଛତିଶଗଡ଼ ସୀମାରେ ପ୍ରବାହିତ ସାବେରୀ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି।

New Project (15)

ମାଲକାନଗିରି: କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।’ ଅତି ସଂକ୍ଷେପରେ କହିବାକୁ ଗଲେ ଭଗବାନ ଯାହାକୁ ସୁରକ୍ଷା ଦେବାକୁ ଚାହିଁବେ, ତାଙ୍କର କୌଣସି କ୍ଷତି ବା ଅସୁବିଧା ହେବ ନାହିଁ। ଓଡ଼ିଶା-ଛତିଶଗଡ଼ ସୀମାରେ ପ୍ରବାହିତ ସାବେରୀ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି। ନଦୀର ପ୍ରଖର ସ୍ରୋତ ଭିତରେ ଥିବା ଏକ ବୁଦାଳିଆ ଗଛକୁ ଧରି ରାତି କାଟିଛନ୍ତି ମାଲକାନଗିରି ଥାନା କଟାମେଟେରୁ ଗାଁର ଇର୍ମା ସୋଢ଼ି। ଦିନ ମଜୁରିଆ ଇର୍ମାଙ୍କୁ ବାୟୁବୀରମାନେ ବଞ୍ଚାଇ ଦେଇଛନ୍ତି। ବାୟୁସେନାର ଯବାନମାନେ ସୁରକ୍ଷିତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।   

ପୁଲିସ କହିଛି, ମାଲକାନଗିରି ଥାନା କଟାମେଟେରୁ ଗାଁରୁ ଇର୍ମା ସୋଢ଼ୀ ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲା ତେଲବର୍ତ୍ତୀ ଗାଁକୁ ଏକ ଦେଶୀ ଡଙ୍ଗାରେ ଦିନ ମଜୁରୀ କରିବାକୁ ଯାଇଥିଲେ। ସେଠାରେ ସେ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସ‌ାବେରୀ ନଦୀରେ ଘର ଅଭିମୁଖେ ଫେରିବା ବେଳେ ଅଘଟଣର ଶିକାର ହୋଇଥିଲେ। ଦଦରା ଡଙ୍ଗାରେ ପାଣି ପ୍ରବେଶ କରିଥିଲା ଏବଂ ଏହା ଓଲଟି ପଡ଼ିଥିଲା।

ଡଙ୍ଗା ଓଲଟି ପଡ଼ିବାରୁ ଇର୍ମା ରାତି ସାରା ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରିଥିଲେ। କିନ୍ତୁ ସେ ଧୈଯ୍ୟ ହରାଇ ନଥିଲେ। ନଦୀର ଜଳସ୍ରୋତ ମଝିରେ ଥିବା ଏକ ଗଛୁବୁଦାକୁ ଜାବୁଡ଼ି ଧରିଥିଲେ। ସାବେରୀର ଜଳସ୍ରୋତ ପ୍ରଖର ଥିଲା। ଏହି ନଦୀ ଭାରୀ ଗଭୀର ବୋଲି ସ୍ଥାନୀୟ ଲୋକେ କୁହନ୍ତି। ରାତିସାରା ଇର୍ମା ସୋଢ଼ି ଗଛକୁ ଧରି ଜୀବନ ସହିତ ସଂଘର୍ଷ କରୁଥିଲେ।

ଆଜି ସକାଳେ ଗାଁର କିଛି ଲୋକ ସାବେରୀ ନଦୀକୁ ଯାଇଥିଲେ। ଏହି ସମୟରେ ସେମାନେ ଇର୍ମା ନଦୀ ଭିତରେ ଫସିଥିବା ଦେଖିବାକୁ ପାଇଥିଲେ। ଏମାନେ ମାଲକାନଗିରି ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଛତିଶଗଡ଼ ପୁଲିସ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ପରେ ସୁକମା ‌ପୁଲିସ ସିଆରପିଏଫ୍‌ ଯବାନଙ୍କୁ ସୂଚନା ଦେଇଥିଲେ। ସିଆରପିଏଫ ଟିମ୍‌ ବାୟୁସେନାକୁ ସୂଚନା ଦେଇଥିଲା। ଜଗଦଲପୁରରୁ ହେଲିକପ୍ଟର ଆସିବା ପରେ ସାବେରୀ ନଦୀରୁ ଇର୍ମା ଉଦ୍ଧାର ହୋଇଥିଲେ। ପ୍ରାୟ ୧୮ ଘଣ୍ଟା ପରେ ଇର୍ମାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। 

ଇର୍ମାଙ୍କୁ ଉଦ୍ଧାର କରାଯିବା ପରେ ସୁକମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଇର୍ମା ଏବେ ସୁସ୍ଥ ଅଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେଲା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ ବୋଲି ଜଣାପଡ଼ିଛି। 

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe