ପାହାଡ଼ି ନଦୀ ପାର ହେବାକୁ ଦେଶୀ ଡଙ୍ଗା ଭରସା

ଜିଲ୍ଲାରେ ଆଜି ବି ବହୁ ପାହାଡି ନଦୀ ଗାଁଗୁଡିକକୁ ଘେରି ରହିଛି। ବର୍ଷା ଦିନେ ଏହ ଗାଁଗୁଡିକ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇଯାଉଛନ୍ତି। ଏପରିକି ଆଜି ବି ପାହାଡି ନଦୀ ବାଟ ଓଗାଳିଥିବା ଗାଁକୁ ରାସ୍ତା ହୋଇପାରି ନାହିଁ।

ମାଲକାନଗିରି: ଜିଲ୍ଲାରେ ଆଜି ବି ବହୁ ପାହାଡି ନଦୀ ଗାଁଗୁଡିକକୁ ଘେରି ରହିଛି। ବର୍ଷା ଦିନେ ଏହ ଗାଁଗୁଡିକ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇଯାଉଛନ୍ତି। ଏପରିକି ଆଜି ବି ପାହାଡି ନଦୀ ବାଟ ଓଗାଳିଥିବା ଗାଁକୁ ରାସ୍ତା ହୋଇପାରି ନାହିଁ। ସେଭଳି ଏକ ଗାଁ ହେଉଛି ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡା ଗ୍ରାମ। ଏହି ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରନ୍ତି। ଏହି ଗାଁକୁ ଘେରି ରହିଛି ଏକ ପାହାଡି ନଦୀ। ବର୍ଷ ତମାମ ଲୋକେ ଏହି ନଦୀ ପାର କରି ଗାଁକୁ ଯିବା ଆସିବା କରନ୍ତି।

ନଦୀରେ ଏକ ଦେଶୀ ଡଂଗା ହିଁ ଗ୍ରାମବାସୀଙ୍କ ଭରସା। ଗଜିଆଗୁଡାକୁ ରାସ୍ତା ନଥିବା ଏବଂ ସବୁବେଳେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଥିବା ନେଇ ସମ୍ବାଦରେ ପୂର୍ବରୁ ଖବର ପ୍ରକାଶ ପାଇବା ପରେ ଏଠାରେ ଏକ ବ୍ରିଜ ନିର୍ମାଣ ନେଇ ତତ୍କାଳୀନ ସରକାର ଟେଣ୍ଡର କରିଥିଲେ। ତେବେ ଏହି ନଦୀ ଉପରେ ବ୍ରିଜ ଆରମ୍ଭ ହୋଇଥିଲା ସତ କିନ୍ତୁ ସମାପ୍ତ ହେବାର ନାମ ନେଉନାହିଁ। ଏହାର ଠିକାଦାର ବଦଳୁଛନ୍ତି। କିନ୍ତୁ ବ୍ରିଜର କାମ ସରୁନଥିବା ଗ୍ରାମବାସୀ କହନ୍ତି।

ତେବେ ଗ୍ରାମବାସୀ ପିଡଏସ ଚାଉଳ ହେଉ ବା ପିଲାମାନେ ପାଠ ପଢିବାକୁ କଲେଜ ଯିବାକୁ ହେଉ ବହୁ ସମସ୍ୟା ଭୋଗୁଥିବା କହନ୍ତି।ସେହିପରି ବୃଦ୍ଧ ଓ ବୃଦ୍ଧାମାନେ ଭତ୍ତା ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ନଦୀ ପାର କରିଯିବାକୁ ପଡୁଥିବା କହନ୍ତି। ବହୁଥର ନଦୀ ପାର କରିବା ସମୟରେ ଅଘଟଣ ଘଟି ବହୁ ଜୀବନ ମଧ୍ୟ ଯାଇଥିବା ଲୋକେ କହନ୍ତି। ଗାଁକୁ ନଳକୂପ ଖନନ କରିବା ଗାଡି ଯାଇପାରୁନଥିବାରୁ ଲୋକେ ଆଜି ବି ଚୁଆ ପାଣି ଉପରେ ହିଁ ଭରସା କରନ୍ତି।ପାନୀୟ ଜଳର ଉତ୍କଟ ସମସ୍ୟା ରହିଥିବା ବେଳେ ପ୍ରଶାସନ ଏନେଇ ଅବଗତ ରହିଥିଲେ ମଧ୍ୟ କିଛି କରିପାରୁନଥିବା ଦେଖିବାକୁ ମିଳିଛି।

publive-image

ସବୁଠାରୁ ବେଶୀ କଷ୍ଟ ଉଠାନ୍ତି ଯେତେବେଳେ ଗ୍ରାମର ମହିଳା ଗର୍ଭବତୀ ହୁଅନ୍ତୁ କିମ୍ବା କେହି ରୋଗରେ ପଡନ୍ତି। ଏମାନଙ୍କୁ ମେଡିକାଲ ନେବା ସମ୍ଭବପର ହୋଇନଥାଏ। ବହୁ କଷ୍ଟରେ ସେମାନେ ନଦୀ ପାର କରି ମେଡିକାଲ ନେଉଥିବା କ୍ଷୋଭର ସହ ପ୍ରକାଶ କରିଥିଲେ। ମୌଳିକ ସୁବିଧା ଆଜି ବି ଅପହଞ୍ଚ ହୋଇ ରହିଛି ଏହି ଗାଁରେ।

ତେବେ ଗଜିଆଗୁଡା ଗାଁର ସମସ୍ୟା ବୁଝିବା ପାଇଁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯାଇଥିଲେ। ତାଂକୁ ଦେଶୀ ଡଂଗାରେ ବିପଦପୂର୍ଣ୍ଣ ଭାବେ ନଦୀ ପାର କରାଯାଇଥିଲା। ନଦୀ ପାର କରି ବିଧାୟକ ଶ୍ରୀ ଖିଲ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ବ୍ରିଜ ନିର୍ମାଣରେ କାହିଁକି ବିଳମ୍ବ ହେଉଛି ସେନେଇ ମଧ୍ୟ ଆଲୋଚନା କରିଥିଲେ। ତେବେ ବ୍ରିଜ ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ ମଧ୍ୟ କେଶ ରୁଜୁ ହୋଇଥିବା ନେଇ ଗ୍ରାମବାସୀ ବିଧାୟକଙ୍କୁ କହିଥିଲେ। ଗାଁରେ ରହିଥିବା ସମସ୍ୟାଗୁଡିକକୁ ତୁରନ୍ତ ସେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe