Maoists move Odisha Photograph: (sambad.in )
ମାଲକାନଗିରି: ସୀମାନ୍ତ ଛତିଶଗଡ଼, ତେଲେଙ୍ଗାନାରେ ଲଗାତାର ଅପରେସନ ଜାରି ରହିଥିବାରୁ ମାଓବାଦୀମାନେ ଏବେ ନିଜକୁ ସୁରକ୍ଷିତ ରଖିବା ପାଇଁ ପଳାୟନ କରୁଛନ୍ତି। ଛତିଶଗଡର ସମସ୍ତ ଜଂଗଲରେ ଯବାନ ନକ୍ସଲଙ୍କୁ ଖୋଜୁଛନ୍ତି। ନକ୍ସଲ ଆଉ ଛତିଶଗଡରେ ସୁରକ୍ଷିତ ନାହାନ୍ତି। ଯବାନଙ୍କ ଗୁଳିରେ ବଡ ବଡ କ୍ୟାଡର ନକ୍ସଲ ସହ ତଳ ସ୍ତରର ନକ୍ସଲ ଟଳି ପଡିଲେଣି। ସଂଗଠନ ଏକ ପ୍ରକାର ଦୁର୍ବଳ ହେଉଥିବା ବେଳେ ବଞ୍ଚିଥିବା ବଳକା ନକ୍ସଲ ଏବେ ନିଜକୁ ଏବଂ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି।
କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁ ଗତ ୨୧ ତାରିଖ ଏନକାଉଣ୍ଟରରେ ମୃତ୍ୟୁ ପରେ ନାରାୟଣପୁର ପୁଲିସ ତାଂକ ଡାଏରିରୁ ଏକ ଲେଖା ଉଦ୍ଧାର କରିଥିଲେ, ଯେଉଁଥିରେ ସେ ନିଜର ସାଥୀ କମ୍ରେଡ ମାନଙ୍କୁ ସୁରକ୍ଷିତ ସ୍ଥାନମାନଙ୍କୁ ଚାଲିଯିବାକୁ କହିଛନ୍ତି। ଡିଆରଜି ଯବାନ ଏବେ ଘାଇଲା ବାଘ ଭଳି ଜଂଗଲରେ ନକ୍ସଲଙ୍କୁ ଖୋଜୁଛି ବୋଲି ଲେଖିଛନ୍ତି। ତେଣୁ ତୁମେ ଜୀବନ ବଞ୍ଚାଇ ଅନ୍ୟତ୍ର ଚାଲିଯାଅ। ଏହି ଲେଖାରୁ ସ୍ପଷ୍ଟ ହୋଇଯାଉଛି ଯେ ସଂଗଠନରେ ଆଉ ସେଭଳି ନେତା ନାହାନ୍ତି ଯେଉଁମାନେ ସଂଗଠନକୁ ଆଗକୁ ନେଇ ସରକାର ଏବଂ ପୁଲିସ ବିରୋଧରେ ଲଢେଇ କରିବେ। ପୁଣି ଲଗାତାରା ଶୀର୍ଷ ନେତା ସହ ଅନ୍ୟ ନକ୍ସଲ ସଦସ୍ୟମାନେ ଦଳ ଛାଇ ବିଭିନ୍ନ ରାଜ୍ୟରେ ଆତ୍ମସମର୍ପଣ କରୁଛନ୍ତି। ଆଉ ମାତ୍ର ୫ ଶହରୁ ଏକ ହଜାର ମଧ୍ୟରେ ନକ୍ସଲ ରହିଥିବେ।
ଯାହାକୁ ଛତିଶଗଡ ପୁଲିସ ନିପାତ କରିବ ବୋଲି କୁହାଯାଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟକୁ ନକ୍ସଲ ମୁକ୍ତ କରାଯିବ ବୋଲି ଯେଉଁ ପଣ କରାଯାଇଛି ତାହା ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ହେବା ନେଇ ସ୍ପଷ୍ଟ କରିଛି ପୁଲିସ। ଷ୍ଟେଟ ଜୋନାଲ କମିଟି(ଏସଜେଡସି) ସଦସ୍ୟ ଉଦୟ ଓ ସୁରେଶ ଏବେ ମାଲକାନଗିରି ମୁହାଁ ହୋଇଛନ୍ତି। ଏମାନେ ଜିଲ୍ଲାର ବିଭିନ୍ନ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ଗତ କିଛି ଦିନ ତଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ଅଂଚଳରୁ ଜଣେ ଏସିଏମ ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଛି।
ମାଓନେତା ସୁରେଶକୁ ସୁରକ୍ଷିତ ସ୍ଥାନକୁ ନେବାକୁ ୫ ଜଣ ନକ୍ସଲ ବୈପାରିଗୁଡା ଅଭିମୁଖେ ବାହାରିଥିଲେ। ଯାହା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପୁଲିସ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା। ସେହିବଲି ମାଓନେତା ଉଦୟ ମଧ୍ୟ ନିଜର ୧୦ରୁ ୧୨ ଜଣ ସାଥୀକୁ ନେଇ ସୁରକ୍ଷିତ ସ୍ଥାନ ଖୋଜୁଛି।
ତେବେ ମାଲକାନଗିରି କିନ୍ତୁ ଏନେଇ ସଜାଗ ରହିଥିବା ଜଣାପଡିଛି। ଛତିଶଗଡର ନକ୍ସଲ ମାଲକାନଗିରି ମୁହାଁ ହେବା ନୁଆ କଥା ନୁହେଁ। ପୂର୍ବରୁ ମଧ୍ୟ ଯେତେବେଳେ ଅପରେସନ ଛତିଶଗଡରେ ଆରମ୍ଭ ହୁଏ ସବୁ ନକ୍ସଲ ଓଡିଶା ମୁହାଁ ହୋଇଥାନ୍ତି। ମାଲକାନଗିରିରେ ଗୁଇନ୍ଦା ଏବେ ତତ୍ପରତା ଦେଖାଉଛି। କେଉଁଠି ନକ୍ସଲ ଲୁଚି ରହିଛନ୍ତି ତାହାର ସନ୍ଧାନ ଗୁଇନ୍ଦା ନେବାକୁ ଚେଷ୍ଟା ଜାରି ରଖିଛି। ଏନେଇ ମାଲକାନଗିରି ପୁଲିସ ଓ ଗୁଇନ୍ଦା କେତେ ସଫଳତା ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା।
Malkangiri
Follow Us