Maoists call stike on June 10. Photograph: (sambad.in )
ମାଲକାନଗିରି: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଭାରତୀୟ କ୍ରାନ୍ତିକାରୀ ଆନ୍ଦୋଳନର ନେତା ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ସାଧାରଣ ସମ୍ପାଦକ ଏବଂ ପଲିଟବ୍ୟୁରୋର ସଦସ୍ୟ କମ୍ରେଡ୍ ବାସବରାଜ ଅରଫ ସାମ୍ବାଳା କେଶବ ରାଓ ସମେତ ୨୭ ଜଣ ନକ୍ସଲଙ୍କର ଅବୁଝମାଡ ଜଂଗଲରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ଏହାକୁ ସଂଗଠନ ତରଫରୁ ନିନ୍ଦା କରାଯିବା ସହ ଆସନ୍ତା ଜୁନ ୧୦ ତାରିଖ ଦିନ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ପାର୍ଟି।
ଏଥିସହ ଆସନ୍ତା ଜୁନ ୧୧ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ନକ୍ସଲଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯିବ ବୋଲି କୁହାଯାଇଛି। ଭାରତୀୟ କ୍ରାନ୍ତିକାରୀ ଆନ୍ଦୋଳନର ଇତିହାସରେ ମେ ୨୧ ଏକ କଳା ଦିନ ବୋଲି କୁହାଯାଇଛି। ସେହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ବ୍ରାହ୍ମଣବାଦୀ ହିନ୍ଦୁତ୍ୱବାଦୀ ଫାସିଷ୍ଟ, ରକ୍ତପିପାସୁ ଏବଂ ହତ୍ୟାକାରୀମାନେ, ଭାରତୀୟ ସେନା,ଅର୍ଦ୍ଧସାମରିକ ବାହିନୀ,କମାଣ୍ଡୋ ବାହିନୀ ଏବଂ ଛତିଶଗଡ଼ ରାଜ୍ୟ ପୁଲିସ ବାହିନୀ ମିଳିତ ଭାବରେ ନାରାୟଣପୁର ଜିଲ୍ଲାର ମାଡ ଅଞ୍ଚଳରେ ଏକ ଅଭିଯାନ ଚଳାଇଥିଲେ। ଯେଉଁଥିରେ ଆମ ଦଳର ସାଧାରଣ ସମ୍ପାଦକ କମ୍ରେଡ୍ ବାସବରାଜଙ୍କ ସହିତ ଦଳ ଏବଂ ପିଏଲଜିଏର ବିଭିନ୍ନ ସ୍ତରର ନେତୃତ୍ୱର ସାଥୀ ଏବଂ ସଦସ୍ୟମାନେ ପ୍ରାଣ ହରାଇଥିଲେ।
ମୋଦୀ କହିଛନ୍ତି ଯେ ଏହି ନରସଂହାର ଘଟାଇଥିବା ସୁରକ୍ଷା ବାହିନୀ ପାଇଁ ସେ ବହୁତ ଗର୍ବିତ। ଅମିତ ଶାହ ଏହାକୁ ଏକ ଐତିହାସିକ ବିଜୟ ବୋଲି ଘୋଷଣା କରିଛନ୍ତି। ଏହି ବିବୃତ୍ତି ମାଧ୍ୟମରେ ସେମାନେ ପୁଣିଥରେ ନିର୍ଲଜ୍ଜ ଭାବରେ ସେମାନଙ୍କର ରକ୍ତପିପାସୁ ଏବଂ ହତ୍ୟାକାରୀ ସ୍ୱଭାବକୁ ଘୋଷଣା କରିଛନ୍ତି ବୋଲି ପାର୍ଟି କହିଛି।
ମାର୍ଚ୍ଚ ମାସର ଶେଷ ସପ୍ତାହରେ, ଜଷ୍ଟିସ୍ ଚନ୍ଦ୍ରକୁମାରଙ୍କ ନେତୃତ୍ୱରେ ହାଇଦ୍ରାବାଦରେ ଏକ ଶାନ୍ତି ଆଲୋଚନା କମିଟି ଗଠନ କରାଯାଇଥିଲା ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମାଓବାଦୀ ଦଳ ସହିତ ଶାନ୍ତି ଆଲୋଚନା କରିବାକୁ ଆହ୍ୱାନ କରି ଏକ ବିବୃତ୍ତି ଜାରି କରାଯାଇଥିଲା। ଆମେ ୨୮ ମାର୍ଚ୍ଚରେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଆମର ମତ ଘୋଷଣା କରିଥିଲୁ ଯେ ଯଦି କେନ୍ଦ୍ର ଏବଂ ରାଜ୍ୟ ସରକାର ଏଥିପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି, ତେବେ ଆମ ଦଳ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ। ଏହା ପରେ ଆମର କେନ୍ଦ୍ରୀୟ କମିଟିର ଗଣମାଧ୍ୟମ ମୁଖପାତ୍ର କମ୍ରେଡ୍ ଅଭୟ ଏବଂ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନର ଉତ୍ତର-ପଶ୍ଚିମ ଉପ-ଜୋନର ଗଣମାଧ୍ୟମ ମୁଖପାତ୍ର କମ୍ରେଡ୍ ରୂପେଶ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ 'କଗାର' ଯୁଦ୍ଧ ବନ୍ଦ କରିବାକୁ ଏବଂ ଶାନ୍ତି ଆଲୋଚନା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଥିଲେ।
ଏହି ଅନୁରୋଧକୁ ଅଣଦେଖା କରି କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ସବୁଠାରୁ ଫାସିବାଦୀ ଉପାୟରେ 'କଗାର' ଯୁଦ୍ଧ ଜାରି ରଖିଛନ୍ତି। ଏପ୍ରିଲ ୧ ତାରିଖରୁ, ସାରା ଦେଶରେ ପ୍ରାୟ ୮୫ ଜଣ ସାଥୀଙ୍କୁ ହତ୍ୟା କରାଯାଇଛି। ୨୧ ଏପ୍ରିଲରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଆମ ଦଳର କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ୍ ବିବେକ (ପ୍ରୟାଗ ମାଞ୍ଜି)ଙ୍କୁ ହତ୍ୟା କରାଯାଇଥିଲା। ୨୪ ଏପ୍ରିଲରୁ ୮ ମେ ମଧ୍ୟରେ କାରେଗୁଟ୍ଟାରେ ୩୧ ଜଣଙ୍କୁ ହତ୍ୟା କରାଯାଇଥିଲା। ଗତ ବର୍ଷ ଜାନୁଆରୀ ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଜଳ, ଜଙ୍ଗଲ ଏବଂ ଜମି ପାଇଁ ଲଢ଼ୁଥିବା ପ୍ରାୟ ୫୪୦ ଜଣ ବିପ୍ଳବୀ ଏବଂ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ବୋଲି ସଂଗଠନ ସ୍ବୀକାର କରିଛି। ଏହି ପ୍ରେସ ବିବୃତ୍ତି କେନ୍ଦ୍ରୀୟ କମିଟିର ପ୍ରତିନିଧି ଅଭୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
Malkangiri
Follow Us