Barabati cricket Stadium. Photograph: (sambad.in)
କଟକ: ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ ରବିବାର ବଡ଼ ବିଭ୍ରାଟ ଦେଖାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ମ୍ୟାଚ୍ ବେଳେ କିଛି ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍ ଅଟକିଥିଲା। ମ୍ୟାଚ୍ ଅଟିକିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୫୦୦୦୦ ଦର୍ଶକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କ୍ରିକେଟ୍ପ୍ରେମୀମାନେ କ୍ରିକେଟ୍ ଦେଖିବାକୁ ବାରବାଟୀ ପହଞ୍ଚି ପାରି ନାହାନ୍ତି, ସେମାନେ ଟିଭି ଓ ଅନ୍ୟ ଡିଜିଟାଲ ମିଡିଆ ମାଧ୍ୟମରେ ମ୍ୟାଚ୍ ଦେଖୁଛନ୍ତି। ତେଣୁ ବିରକ୍ତି ପ୍ରକାଶ କରିବା ସ୍ବାଭାବିକ। ମ୍ୟାଚ୍ ଅଟକିବା ପରେ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଚିନ୍ତା ବଢ଼ି ଯାଇଥିଲା। ତେବେ ପ୍ରାୟ ୨୦ ମିନିଟ୍ ଖେଳ ବନ୍ଦ ରହିବା ପରେ ପୁଣି ଥରେ ମ୍ୟାଚ୍ ଆରମ୍ଭ ହୋଇଛି।
ମ୍ୟାଚ୍ ଅଟକିବା ବେଳକୁ ଭାରତର ସ୍କୋର ୬.୧ ଓଭରରେ ୪୮ ରନ୍ ହୋଇଥିଲା। ଆଜି ବାରବାଟୀରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲେ। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ୩୦୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଷ୍ଟାଡିୟମରେ ଲାଇଟ୍ ବନ୍ଦ ହୋଇଯିବା ପରେ ଦର୍ଶକମାନେ ବିରକ୍ତ ପ୍ରକାଶ କରିଥିଲେ। ଦର୍ଶକମାନେ ବିରକ୍ତି ପ୍ରକାଶ କରିବାର ଅନେକ କାରଣ ମଧ୍ୟ ରହିଛି।
- ଅନେକ କ୍ରିକେଟ୍ପ୍ରେମୀ ବହୁ କଷ୍ଟରେ ଅନ୍ଲାଇନ୍ କ୍ରିକେଟ୍ ଟିକେଟ୍ କିଣିଛନ୍ତି।
- ଅଫ୍ଲାଇନ୍ରେ ଟିକେଟ୍ କିଣିବା ବେଳେ ଖେଳପ୍ରେମୀଙ୍କୁ ପ୍ରାୟ ୧୦ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା
- କିଛି କ୍ରୀଡ଼ାପ୍ରେମୀଙ୍କୁ ଚଢ଼ାଦଳରେ ବ୍ଲାକ୍ରେ ଟିକେଟ୍ କିଣିବାକୁ ପଡ଼ିଥିଲା।
- ବାରବାଟୀରେ ପ୍ରାୟ ୩ ବର୍ଷ ପରେ ଦିନିକିଆ କ୍ରିକେଟ୍ ଖେଳାଯଉଛି।
- ସମ୍ଭବତଃ ବାରବାଟୀରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଶେଷ ମ୍ୟାଚ୍।
ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଲିଭିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ପରିସ୍ଥିତି ଦେଖାଯାଇଛି। ବାରମ୍ବାର ଏହିଭଳି ଅପ୍ରୀତିକର ଘଟଣାକୁ ଦର୍ଶକ ଓ କ୍ରୀଡ଼ାପ୍ରେମୀମାନେ ତୀବ୍ର ନିନ୍ଦା କରୁଛନ୍ତି।
Follow Us