ମାଣ୍ଡିଆ ଲଡୁ: ମୂଲଚାଲ ଆରମ୍ଭ; ଏକ ଟଙ୍କା-ଦୁଇ ଟଙ୍କାରେ ହେଉଛି ପ୍ରସ୍ତୁତ!

ମାଲକାନଗିରି ସଦର ମହକୁମାର ବିଦ୍ୟାଳୟଗୁଡିକରେ ବୁଲି ଦେଖିଲା ବେଳକୁ କିଏ ମାଣ୍ଡିଆ ପାଇଲା ନାହିଁ ବୋଲି ଲଡୁ ଦେଇପାରିଲେ ନାହିଁ ତ ଆଉ କିଏ ବରାଦ ଦେଇଛନ୍ତି ସେ ପହଞ୍ଚାଇନଥିବା ଉତ୍ତର ମିଳିଥିଲା।

ମାଲକାନଗିରି: ପିଏମ ପୋଷଣ ଯୋଜନାରେ ସମସ୍ତ ବିଦ୍ୟାଳୟରେ ପିଲାଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିବା ସହ ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ମାର୍ଚ୍ଚ ୨୬ରେ ଚିଠି ନମ୍ବର ୨୯୦ ନିର୍ଦେଶ ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଲଡୁ ସପ୍ତାହର ତିନି ଦିନ ପାଇବେ। 

ସରକାର ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଏହି ଲଡୁ ପିଲାଙ୍କୁ ପ୍ରଦାନ ନେଇ ନିର୍ଦେଶ ଦେଇଛନ୍ତି। ଏଥିପାଇଁ କେତେ ଟଂକା ଖର୍ଚ୍ଚ ହେବ ସନେଇ ମଧ୍ୟ ହିସାବ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପିଲାଙ୍କୁ ୩ ଟଂକା ୫୦ ପଇସାର ଲଡୁ ପ୍ରଦାନ ନେଇ ନିର୍ଦେଶ ରହିଛି। ଏହି ଲଡୁରେ କି କି ଜିନିଷ କେତେ ପରିମାଣର ମିଶିବ ସେନେଇ ମଧ୍ୟ ସବିଶେଷ ରିପୋର୍ଟ ପ୍ରଦାନ କରାଯାଇଛି। 

ତେବେ ମାଲକାନଗିରି ସଦର ମହକୁମାର ବିଦ୍ୟାଳୟଗୁଡିକରେ ବୁଲି ଦେଖିଲା ବେଳକୁ କିଏ ମାଣ୍ଡିଆ ପାଇଲା ନାହିଁ ବୋଲି ଲଡୁ ଦେଇପାରିଲେ ନାହିଁ ତ ଆଉ କିଏ ବରାଦ ଦେଇଛନ୍ତି ସେ ପହଞ୍ଚାଇନଥିବା ଉତ୍ତର ମିଳିଥିଲା। ଆଉ କିଛି ବିଦ୍ୟାଳୟରେ ଏନେଇ କୌଣସି ଚିନ୍ତା କରାଯାଇ ନାହିଁ ବୋଲି ବିଦ୍ୟାଳୟର କର୍ତ୍ତୃପକ୍ଷ ଉତ୍ତର ଦେଇଥିଲେ।

publive-image

ପ୍ରକାଶ ଥାଉକି ସରକାରଙ୍କର ନିର୍ଦେଶ ହେଲା ବିଦ୍ୟାଳୟରେ ରୋଷେୟା ହିଁ ମାଣ୍ଡିଆ ଲଡୁ ପ୍ରସ୍ତୁତ କରି ପିଲାଙ୍କୁ ଦେବେ। ଲଡୁ ବାବଦକୁ ଖର୍ଚ୍ଚ ହେଉଥିବା ୩ ଟଙ୍କା ୫୦ ପଇସାରୁ ୨୬ ପଇସା ରୋଷେୟାକୁ ପ୍ରଦାନ କରାଯିବ। ବଳକା ୩ ଟଙ୍କା ୨୪ ପଇସାରେ ଲଡୁ ପ୍ରସ୍ତୁତ ହେବ। ବିଦ୍ୟାଳୟର କୌଣସି ରୋଷେୟା ଲଡୁ ପ୍ରସ୍ତୁତ ଜାଣିନଥିବା କହି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ କିଛି ଦୋକାନୀଙ୍କୁ ବରାଦ ଦେଇଛନ୍ତି। ସେମାନଙ୍କୁ ଏକ ଟଂକାରେ କିମ୍ବା ବେଶୀ ହେଲେ ଦୁଇ ଟଙ୍କାରେ ଲଡୁ ପ୍ରସ୍ତୁତ କରି ଦେବାକୁ ବାଧ୍ୟ କରାଯାଉଛି। ଆଉ କିଛି ବିଦ୍ୟାଳୟରେ ପିଲା କମ୍ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ମାଣ୍ଡିଆ ଲଡୁ ବଦଳରେ ବାଦାମ ଲୋଡୁ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ସରକାରଙ୍କ ନିର୍ଦେଶକୁ ଫୁ କରି ଉଡାଇ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏନେଇ ସ୍ଥାନୀୟ ବିଇଓ ରବୀନ୍ଦ୍ର କୁମାର ଧରଙ୍କୁ ପଚାରିବାରୁ ଲଡୁ ପାଇଁ ଟଂକା ଆସିନଥିବା ବେଳେ ସ୍କୁଲରେ ଥିବା ଟଂକାକୁ ଖର୍ଚ୍ଚ କରିବାକୁ କୁହାଯାଇଛି। ପୁଣି ଲଡୁ ପ୍ରଦାନ କରୁଛନ୍ତି କି ନାହିଁ ଏହାର ତଦନ୍ତ କରାଯିବ ବୋଲି କହିଥିଲେ। ଲଡୁ ବଣ୍ଟନରେ ଆରମ୍ଭରୁ ହିଁ ଶିକ୍ଷା ବିଭାଗ ଝୁଣ୍ଟିଲା ବୋଲି ଆଲୋଚନା ଜୋର ଧରିଛି। ସଦର ମହକୁମାରେ ପିଲାମାନେ ଲଡୁ ପାଇବାରୁ ବଂଚିତ ହୋଇଥିବା ବେଳେ ଦୁର୍ଗମ ଅଂଚଳର ପିଲା କିପରି ଲଡୁ ପାଇଥିବେ ସହଜରେ ଅନୁମେୟ। ପିଲାଙ୍କ ଲଡୁର ଟଙ୍କାକୁ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଆତ୍ମସାତ କରିବା ପାଇଁ ପଛାଉନାହାନ୍ତି। ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ଅସଂତୋଷ ଜାହିର କରିଛନ୍ତି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe