ଖଣି ଲିଜ୍ ବାତିଲ, ଦେଓମାଳି ବନବିଭାଗକୁ ଦାବି ହସ୍ତାନ୍ତର

Advertisment

ଗ୍ରାମସଭାର ବିନା ଅନୁମତିରେ କୋରପୁଟ ଜିଲ୍ଲାରେ କରାଯାଇଥିବା ଖଣି ଲିଜ୍ ନିଲାମ ବାତିଲ କରାଯିବା ସହ ଲକ୍ଷ୍ମୀପୁର ବ୍ଲକର କୋଡିଙ୍ଗାମାଳିରୁ ବକ୍ସାଇଟ ଲୁଟ କରି ଚୋରା ଚାଲାଣ କରାଯାଉଛି।

ଗ୍ରାମସଭାର ବିନା ଅନୁମତିରେ କୋରପୁଟ ଜିଲ୍ଲାରେ କରାଯାଇଥିବା ଖଣି ଲିଜ୍ ନିଲାମ ବାତିଲ କରାଯିବା ସହ ଲକ୍ଷ୍ମୀପୁର ବ୍ଲକର କୋଡିଙ୍ଗାମାଳିରୁ ବକ୍ସାଇଟ ଲୁଟ କରି ଚୋରା ଚାଲାଣ କରାଯାଉଛି।

Prafulla Samnatray

Prafulla Samnatray Photograph: (Sambad )

କୋରାପୁଟ: ଗ୍ରାମସଭାର ବିନା ଅନୁମତିରେ କୋରପୁଟ ଜିଲ୍ଲାରେ କରାଯାଇଥିବା ଖଣି ଲିଜ୍ ନିଲାମ ବାତିଲ କରାଯିବା ସହ ଲକ୍ଷ୍ମୀପୁର ବ୍ଲକର କୋଡିଙ୍ଗାମାଳିରୁ ବକ୍ସାଇଟ ଲୁଟ କରି ଚୋରା ଚାଲାଣ କରାଯାଉଛି। ଏହାକୁ  ତୁରନ୍ତ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳିନୀରେ ଦାବି କରିଛନ୍ତି ପରିବେଶବିତ୍ ତଥା ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା। କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ଶ୍ରୀ ସାମନ୍ତରା। ରାଜ୍ୟର ଅନ୍ୟତମ ବଡ଼ ସମ୍ପଦ ତଥା ଉଚ୍ଚତମ ଗିରିଶୃଙ୍ଗ ଦେଓମାଳିକୁ ବନବିଭାଗକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। 

କୋଡ଼ିଙ୍ଗାମାଳିରୁ ଦିନଦ୍ବିପହରରେ ବିଭିନ୍ନ କମ୍ପାନି ଦ୍ଵାରା ରାଜ୍ୟ ବାହାରକୁ ବକ୍ସାଇଟ ପରିବହନ କରିବା ପାଇଁ ଅନୁମତି ଅଛି କି? କାହିଁକି ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଶ୍ରୀ ସାମନ୍ତରା ପ୍ରଶ୍ନ କରିଛନ୍ତି। ସେସବୁ ବେଆଇନ ହସ୍ତାନ୍ତର ହୋଇଥିବା ଖଣିଜ ଦ୍ରବ୍ୟର ମୂଲ୍ୟ ଆଦାୟ କରାଯାଇ ଅପରାଧୀକୁ ଦଣ୍ଡ ଦେବାକୁ ଶ୍ରୀ ସାମନ୍ତରା ଦାବି କରିଛନ୍ତି।

ରାଜ୍ୟର ନୂଆ ସରକାର ପୂର୍ବ ସରକାରର ଖଣି ଲୁଟ ପ୍ରକ୍ରିୟାକୁ ଅଧିକ ବେଗରେ ଚାଲୁ ରଖିବାକୁ ଉତ୍କର୍ଷ ଓଡ଼ିଶା ଓ ପ୍ରବାସୀ ଭାରତୀୟ ସମାବେଶ କରି ବଡ଼ ଦେଶୀ ବିଦେଶୀ କମ୍ପାନି ହାତରେ ବିଭିନ୍ନ ମୂଲ୍ୟବାନ ଖଣି ଗୁଡ଼ିକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି ବୋଲି ଶ୍ରୀ ସାମନ୍ତରା ଅଭିଯୋଗ କରିଥିଲେ। ଏହାଦ୍ଵାରା କୋରାପୁଟର ପ୍ରାକୃତିକ ସମ୍ପଦ ଶେଷ ହୋଇଯିବ ଓ ହଜାର ହଜାର ଆଦିବାସୀ ଦଳିତ, ନିଷ୍ପେଷିତ ପରିବାର ଜୀବିକା ହରାଇବା ସହ ବଞ୍ଚିବାର ଅଧିକାରରୁ ବଞ୍ଚିତ ହେବେ। 

ବିଧାନସଭାର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ସରକାରର ମହାଲେଖାଗାର ରିପୋର୍ଟରେ କୁହାଯାଇଛି ରାଜ୍ୟରେ ଗ୍ରାମସଭାର ବିନା ଅନୁମତିରେ ଖଣି ଲିଜ୍ ପାଇଁ ହୋଇଥିବା ନିଲାମ ବେଆଇନ ତଥା ଜଙ୍ଗଲ ଅଧିକାର ଆଇନ ଉଲଂଘନ କରୁଛି। ଏହି ବେଆଇନ ଲିଜ ମଧ୍ୟରେ ନନ୍ଦପୁରର ବାଳଦା, ସେମିଳିଗୁଡାର ମାଳିପର୍ବତ ଅନ୍ତର୍ଭୁକ୍ତ। ପଟାଙ୍ଗିର ସେରୁବନ୍ଧ ଖଣିପାଇଁ ହୋଇଥିବା ଗ୍ରାମସଭାରେ  ପୁଲିସ ଧମକ ଚମକ ଦେଇ ଭୟଭୀତ କରିବାରୁ ଏହାକୁ ରକ୍ଷା କରିବା ପାଇଁ ତଥା ବିରୋଧ କରୁଥିବା  ସ୍ଥାନୀୟ ଆଦିବାସୀ ତଥା ଅଂଚଳବାସୀମାନେ ଉପସ୍ଥିତ ନଥିଲେ।          

ଏବେ ବାଳଦାରେ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ, ନାଗେଶ୍ୱରୀ ପୀଠ ଓ ଜଲାପୁଟ ଜଳଭଣ୍ଡାରର ସୁରକ୍ଷା ପାଇଁ ଖଣିଖନନ୍ ନିଷେଧ କରିବାକୁ ଅଂଚଳବାସୀ ଦାବି କରୁଛନ୍ତି। ଏହି ସ୍ଥିତିରେ ଆଦାନୀ କମ୍ପାନୀ ପାଇଁ ଜୋର ଜବରଦସ୍ତ ରେଳଲାଇନ ନିର୍ମାଣ ଉଦ୍ୟମ ବେଆଇନ। ତାର ପ୍ରତିବାଦ କରିଥିବା ଲୋକଙ୍କୁ ପୁଲିସ ଲାଠିରେ ଆହତକରିଛି। ଜଣେ ଛାତ୍ରକୁ ଜେଲରେ ରଖିବା ନିନ୍ଦନୀୟ ଓ ଅଗଣତାନ୍ତ୍ରିକ ବୋଲି ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ସରକାର ତୁରନ୍ତ ଏହି ଖଣିଲିଜଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ।

କୋଡିଙ୍ଗାମାଳିରେ ଖଣି ଖନନ ଦ୍ଵାରା ସେଠାରେ ଜଳ ସ୍ରୋତ ଗୁଡିକ ଶୁଖି ଗଲାଣି, କୃଷି ବିପର୍ଯ୍ୟସ୍ତ, ପ୍ରଦୂଷଣର ଶିକାର ହୋଇ ଆଦିବାସୀଙ୍କ ଅବସ୍ତା ଶୋଚନୀୟ ହୋଇ ପଡ଼ିଛି। ତେଣୁ ସେଠାରେ ସବୁ ଦିନ ପାଇଁ ଖଣି ଖନନ କୁ ନିଷେଧ କରାଯାଉ ବୋଲି ଶ୍ରୀ ସାମନ୍ତରାୟ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ  କୋରାପୁଟ ଜନ ସୁରକ୍ଷା ସଂଘର ଆଇନଉପଦେଷ୍ଟା ଗୁପ୍ତେଶ୍ବର ପାଣିଗ୍ରାହୀ ଓ  ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe