ସାଙ୍ଗମାନଙ୍କ ସହିତ ଜାମ୍ମୁକୋଳି ଖାଇବାକୁ ଯାଇଥିଲା ନାବାଳକ, ଗଛରୁ ପଡ଼ି ମୃତ୍ୟୁ

ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ ଆଜି ଅପରାହ୍‌ଣରେ ସାଙ୍ଗସାଥୀମାନଙ୍କ ଜାମ୍ମୁକୋଳି ଖାଇବାକୁ ଆଗ୍ରହ କରିଥିଲା। ସେ ସାଙ୍ଗମାନଙ୍କ ସହିତ ଗାଁ ନିକଟସ୍ଥ ଜାମ୍ମୁ ଗଛକୁ ଯାଇଥିଲା।

Minor boy dead

Minor boy dead in Rairakhol. Photograph: (sambad.in )

ରେଢ଼ାଖୋଲ: ବେଳ ଖରାପ ପଡ଼ିଲେ କୌଣସି ପ୍ରକାରରେ ବିପତ୍ତି ଆସି ପହଞ୍ଚିଥାଏ। ସୁଖର ପରିବାରକୁ ଦୁଃଖ ମାଡ଼ି ଆସିଥାଏ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଧୀନ ଗଦାଧରପୁର ବାସିନ୍ଦା ରବି କଂସାରୀଙ୍କ କ୍ଷେତ୍ରରେ ତାହା ହୋଇଛି। ସାଙ୍ଗପିଲାମାନଙ୍କ ସହିତ ଜାମ୍ମୁ କୋଳି ଖାଇବାକୁ ଯାଇଥିବା ବାବୁସାନ କଂସାରୀ(୧୧)ର ମୃତ୍ୟୁ ଘଟିଛି। 

ଗ୍ରୀଷ୍ମଋତୁ ସରିବାକୁ ଯାଉଛି। କିଛିଦିନ ପରେ ବର୍ଷାଋତୁର ଆଗମନ ହେବ। ଏହାରି ଭିତରେ କାଳବୈଶାଖୀ ବର୍ଷାକୁ ଗୁଳୁଗୁଳି  ଅନୁଭୂତ ହେଉଛି। ଜାମ୍ମୁଗଛରେ ଭର୍ତ୍ତି ହୋଇଛି କୋଳି। ରାସ୍ତାକଡ଼ ଓ ବିଲବାଡ଼ିରେ ଥିବା ଗଛଗୁଡ଼ିକରେ ଜାମ୍ମୁ କୋଳି ସମସ୍ତଙ୍କୁ ଆକର୍ଷିତ କରୁଛି। ନାବାଳକ ପିଲାମାନେ ଏଥିରୁ ବ୍ୟତିକ୍ରମ ହେବେ କେମିତି?

 

ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ ଆଜି ଅପରାହ୍‌ଣରେ ସାଙ୍ଗସାଥୀମାନଙ୍କ ଜାମ୍ମୁକୋଳି ଖାଇବାକୁ ଆଗ୍ରହ କରିଥିଲା। ସେ ସାଙ୍ଗମାନଙ୍କ ସହିତ ଗାଁ ନିକଟସ୍ଥ ଜାମ୍ମୁ ଗଛକୁ ଯାଇଥିଲା। ଗାଁର ଲୋକମାନେ ପ୍ରାୟତଃ ସବୁବେଳେ ଜାମ୍ମୁ ଖାଇବାକୁ ଯାଉଥିବାରୁ ଗଛ ତଳେ ଜାମ୍ମୁ ଖାଇବାକୁ ମିଳିଲା ନାହିଁ। ଫଳରେ ସାଙ୍ଗମାନେ ଗଛ ତଳେ ଥିବା ବେଳେ ବାବୁସାନ ଗଛ ଉପରକୁ ଚଢ଼ିଥିଲା। ପାଚିଲା ଜାମ୍ମୁ ଖୋଳି ତୋଳୁଥିବା ବେଳେ କୌଣସି ପ୍ରକାରରେ ସେ ଗଛରୁ ତଳେ ପଡ଼ି ଯାଇଥିଲା। ଏହି ସମୟରେ ବାବୁସାନ୍‌ର ପେଟରେ ଏକ ଶୁଖିଲା ମୁନିଆ କାଠ ଭୁସି ହୋଇଯାଇଥିଲା। ଫଳରେ ସେଠାରେ ସେ ଅଚେତ ହୋଇ ପଡ଼ି ରହିଥିଲା। 

ଅନ୍ୟ ସାଙ୍ଗମାନଙ୍କର ସୂଚନା ଆଧାରରେ ପରିବାର ଓ ଗାଁ ଲୋକେ ବାବୁସାନକୁ ଉଦ୍ଧାର କରିଥିଲେ। ତାକୁ ନାକଟିଦେଉଳସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ଡାକ୍ତର ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ସୂଚନା ପାଇଁ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ବାବୁସାନର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। 

Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe