Deogarh minor murder Photograph: (Sambad )
ଦେବଗଡ଼: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନାଚଂଳର ତୁଙ୍ଗାମାଳ ଗ୍ରାମରେ ହୋଇଥିବା ନାବାଳକ ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବାବେଳେ ଉକ୍ତ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନାଚଂଳର ଚନ୍ଦ୍ରପୁର ଗ୍ରାମର ସୁଶୀଲ ମୁଣ୍ଡା ଓ ତାଙ୍କୁ ସହଯୋଗ କରିଥିବା କୁଣ୍ଢେଇଗୋଳା ଥାନାଚଂଳର କୁରଡପଶି ଗ୍ରାମର ଅମନ ନାୟକ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ଗତକାଲି ତୁଙ୍ଗାମାଳ ଜଙ୍ଗଲ ଭିତରୁ ଅମିତଙ୍କ ମୃତଦେହ ଠାବ ହୋଇଥିଲା। ଶବ ଉଦ୍ଧାର ପରେ କେହି ହତ୍ୟା କରି ଜଙ୍ଗଲ ଭିତରେ ଶବ ଲୁଚାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।
ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତ ନାବାଳକ ଅମିତ ଏବଂ ସୁଶୀଲ ଜଣେ ଝିଅକୁ ଭଲ ପାଉଥିଲେ। ତେବେ ସେହି ଝିଅ ସହିତ ସମ୍ପର୍କ ନରଖିବା ପାଇଁ ଅମିତଙ୍କୁ ସୁଶୀଲ ମନା କରିଥିଲା। ମାତ୍ର ଅମିତ ନମାନିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ସୁଶୀଲ ଷଡ଼ଯନ୍ତ୍ର କରିଥିଲା।
ଗତ ୨୪ ତାରିଖ ଦିନ ରାତିରେ କଥା ହେବା ବାହାନାରେ ଅମିତଙ୍କୁ ଡାକି ସୁଶିଲ ଏବଂ ତାର ସହଯୋଗୀ ଅମନ ଏକ ରଣିରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ଦ୍ବୟ ଗ୍ରାମ ନିକଟରେ ମହୁଲ ପତ୍ର ଘୋଡାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ରଶି ପୁଲିସ ଜବତ କରିଥିବା ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି(ଡିଆଇବି)ପବିତ୍ର କିଷାନ,ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ।
Follow Us