ବିଧବା ମହିଳାଙ୍କୁ ଦୁଷ୍କର୍ମ: ଗର୍ଭବତୀଙ୍କୁ ତେଲେଙ୍ଗାନାରେ ଛାଡ଼ିଦେଲା ଅଭିଯୁକ୍ତ

ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି।

Nabarangpur rape

Nabarangpur rape Photograph: (sambad.in)

ନବରଙ୍ଗପୁର: ଜିଲ୍ଲାର ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗର୍ଭବତୀ ମହିଳା ଏବେ ନବରଙ୍ଗପୁର ମାତୃ ଆଶ୍ରୟ ଆଶ୍ରମର ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ଅସହାୟ ବିଧବା ମହିଳାଙ୍କୁ ମାତୃ ଆଶ୍ରୟ ଆଶ୍ରମର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ହାଇଦ୍ରାବାଦରୁ ଉଦ୍ଧାର କରି ଆଣିଛନ୍ତି। ଆଜି ଏହି ଘଟଣାକୁ ଲୋକଲୋଚନକୁ ଆଣି ସାମ୍ବାଦିକ ସମ୍ମିଳନୀରେ କାଦମ୍ବିନୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। 

ବିଧବା ଗର୍ଭବତୀ ମହିଳା ଜଣକ ଯେତେବେଳେ ନାବାଳିକା ଥିଲେ, ସମୟରେ ଡାବୁଗାଁ ବ୍ଲକ ମିଣ୍ଡିରା ଗ୍ରାମର ବଇଦୁ ସାନ୍ତାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ତାଙ୍କ ସ୍ୱାମୀଙ୍କର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିଲା। ଶଶୁରଙ୍କ ଘରେ ରହୁଥିବା ସମୟରେ ସେ ବସମନ ହରିଜନ ସମ୍ପର୍କରେ ଆସିଥିଲେ। ବସମନ ଜାଲରେ ପଡ଼ିବା ପରେ  ଅନିଛା ସତ୍ତ୍ବେ ଶାରୀରିକ ସଂପର୍କ ରଖିଥିଲେ। ଅଭିଯୁକ୍ତ ବ୍ୟକ୍ତି ଦୁଷ୍କର୍ମ କରି ଏକଥା ବାହାରକୁ ପ୍ରକାଶ କଲେ ଜୀବନରେ ମାରି ଦେବ ବୋଲି ଧମକ ଦେଉଥିଲା। ଏହାପରେ ଦିନେ ରାତ୍ର ସମୟରେ ମହିଳାଙ୍କ ନିକଟକୁ ଆସି ବୁଲେଇ ନେବି ବୋଲି ପ୍ରଲୋଭନ ଦେଖାଇ ଘରରୁ ନେଇ ପଳାଇ ଥିଲା। ବସମନ ୧୨ ଦିନ ଧରି ବିଭିନ୍ନ ସ୍ଥାନକୁ ବୁଲେଇ ଦାଦନ ଖଟିବା ପାଇଁ ସମ୍ପର୍କୀୟ ଭଉଣୀ ସହ ହାଇଦ୍ରାବାଦ ପଠାଇଥିଲା।

ସେଠାରେ ଏକ ଫାର୍ମ ହାଉସରେ କାମ କରି ଚଳୁଥିବା ବେଳେ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବାକୁ ବାଧ୍ୟ କରୁଥିଲା। ଶେଷରେ ବସମନକୁ ସେ ଗର୍ଭବତୀ ହୋଇଥବା କଥା ଜଣାଇବା ସହ ହାଇଦ୍ରାବାଦରୁ ତାକୁ ଫେରେଇ ନେବାକୁ କହିଥିଲା। ଏହା ଶୁଣି ବସମନ ସେ ଏଥି ପାଇଁ ସେ ଦାୟୀ ନାହିଁ ବୋଲି ଚରମ ବାଣି ଶୁଣେଇଥିଲା। ଏହା ପରେ ଶେଷକୁ ନିଜ ପରିବାରକୁ ସମ୍ପର୍କ କରିଥିଲା। 

ପରିବାର ଲୋକେ ମାତୃ ଆଶ୍ରୟ ଆଶ୍ରମର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀମତୀ ତ୍ରିପାଠୀ ହାଇଦ୍ରାବାଦରୁ ଫେରେଇ ଆଣିବା ବ୍ୟବସ୍ଥା କରିଥିଲେ। ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବା ପରେ ଆଜି ଆଶ୍ରମର ସହାୟତାରେ ଉମରକୋଟ ଥାନାରେ ବସମନ ବିରୁଦ୍ଧରେ ଏତଲା ପ୍ରଦାନ କରାଯାଇଥିବା କହିଛନ୍ତି କାଦମ୍ବିନୀ। ଏତଲାରେ ବସମନକୁ ଗିରଫ କରିବା ସହ ତାର ସମ୍ପର୍କୀୟ ଭଉଣୀକୁ ଗିରଫ କରିବା ପାଇଁ ଉଲ୍ଲେଖ ରହିଛି। ଏହା ବ୍ୟତୀତ ଗର୍ଭବତୀ ମହିଳାଙ୍କୁ ଡାବୁଗାଁ ସେଲଟର ହୋମରେ ରଖି ତାର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଦାଦନ ସମସ୍ୟା ନିରାକରଣ ପାଇଁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ କାଦମ୍ବିନୀ ଦାବି କରିଛନ୍ତି। 

Crime | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe