Naigeria man arrested Photograph: (sambad.in)
ଭୁବନେଶ୍ବର: କଟକରେ ‘ସେକ୍ସଟର୍ସନ’ ଅଭିଯୋଗ ମାମଲାରେ ଦିଲ୍ଲୀରୁ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ନାଇଜେରିଆର ନାଗରିକ ବୋଲି କମିସନରେଟ ପୁଲିସ କହିଛି। ସଂପୃକ୍ତ ବ୍ୟକ୍ତି କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା। ହେଲେ ପୀଡିତ ବ୍ୟକ୍ତି ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡିଓକୁ ନାଇଜେରିଆର ନାଗରିକ ଜଣକ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା। ଫଳରେ ସଂପୃକ୍ତ ବ୍ୟକ୍ତି ଜଣକ ଜୀବନ ହାରିଥିଲେ। ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ କଟକ ପୁଲିସ ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି।
ପୁଲିସ ଜାଣିବାକୁ ପାଇଛି ନାଇଜେରିଆର ଏହି ବ୍ୟକ୍ତି ଜଣକୁ ନିଜକୁ ଡାକ୍ତର କହୁଥିଲା। ସୁନ୍ଦରସୁନ୍ଦର କଥା କହି ଯୁବତୀଙ୍କୁ ଜାଲରେ ଫସାଉଥିଲା। ପ୍ରଥମେ ଫେସ୍ବୁକ୍ରେ ସଂପର୍କ ସୃଷ୍ଟି କରୁଥିଲା ପରେ ହ୍ବାଟ୍ସଅପ୍ ଓ ମୋବାଇଲ୍ କଲିଂ ମାଧ୍ୟମରେ ସିଧାସଳଖ କଥା ହେଉଥିଲା। ଯେଉଁ ଯୁବତୀମାନେ ସଂପୃକ୍ତ ବ୍ୟକ୍ତିର ଜାଲରେ ଫସୁଥିଲେ, ପରେ ଟଙ୍କା ହରାଉଥିଲେ। ଅଭିଯୁକ୍ତ ଯୁବକ ଅନ୍ଲାଇନ୍ରେ କଥାବାର୍ତ୍ତା ବେଳେ ପ୍ରାୟ ୩୦୦୦ ଯୁବତୀଙ୍କର ସ୍କ୍ରିନ୍ ସଟ୍ ରଖିଛି। ଏହାକୁ ମାଧ୍ୟମ କରି ସେ ଧମକ ଦେଉଥିଲା।
ନାଇଜେରିଆ ନାଗରିକଙ୍କ ଗିରଫ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, ଗିରଫ ନାଇଜେରିଆ ନାଗରିକକୁ ରିମାଣ୍ଡରେ ଆଣିବୁ। ସଂପୃକ୍ତ ବ୍ୟକ୍ତି ଜଣକ ଏକାଧିକ ବ୍ୟକ୍ତିର ପରିଚୟ ଦେଇ ଠକେଇ କରିଛି। ନ୍ୟୁଜିଲାଣ୍ଡରୁ ମଧ୍ୟ ତାଙ୍କ ଆକାଉଣ୍ଟକୁ ଆସିଛି ପେମେଣ୍ଟ। ଅଭିଯୁକ୍ତ ଠାରୁ ୫ଟି ମୋବାଇଲ୍ ଓ ୮ଟି ମୋବାଇଲ୍ ସିମ୍ ଜବତ କରାଯାଇଛି। ସେହିପରି ତା’ଠାରୁ ପାସପୋର୍ଟ ଓ ଲ୍ୟାପଟପ୍ ମଧ୍ୟ ମିଳିଛି। ଯଦି ଆଉ କେହି ଠକାମୀର ଶିକାର ହୋଇଛନ୍ତି ଏନେଇ ପୁଲିସକୁ ଜଣାଇପାରିବେ। ଅଭିଯୁକ୍ତର ମୋବାଇଲ୍ରୁ ଅନେକ ଫେକ୍ ପ୍ରୋଫାଇଲ୍ ମିଳିଛି। ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବୁ।
Police Commissionerate | Cuttack
Follow Us