Naxal in Balangir district. Photograph: (sambad.in)
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଛି। ତେବେ ଏଥିରେ କେଉଁ ପକ୍ଷର କ’ଣ କ୍ଷୟକ୍ଷତି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ, ଯବାନମାନେ ଅପରେସନ୍ ସାରି ଫେରିବା ପରେ ବଲାଙ୍ଗୀର ଏସ୍ପି ଏନେଇ ସ୍ପଷ୍ଟ ସୂଚନା ଦେବେ। ତେବେ ମାଓବାଦୀ ଗୋଷ୍ଠୀର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବଂ କିଛି ମାଓବାଦୀ ଆହତ ହୋଇଥିବା ଏସ୍ପି ଋଷିକେଶ ଖିଲାରୀ ଆଶଙ୍କା କରିଛନ୍ତି।
ଗତ ରାତିରେ ୩-୪ ଜଣ ମାଓବାଦୀ ଭାନପୁର ପଞ୍ଚାୟତ ହନୁପୁର ଗାଁକୁ ଆସିଥିଲେ। ସେମାନେ କାଳେ ରାସନ୍ ସାମଗ୍ରୀ ଓ ଚାଉଳ କିଣିବାକୁ ବିଳମ୍ବିତ ସନ୍ଧ୍ୟାରେ ଗାଁକୁ ପହଞ୍ଚିଥିଲେ। ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇ ଯବାନମାନେ ଗାଁକୁ ଚାରିପଟୁ ଘେରି ଯାଇଥିଲେ।
ତେବେ ମାଓବାଦୀମାନେ କୌଣସି ହିସାବରେ ସେଠାରୁ ଚମ୍ପଟ ମାରି ଜଙ୍ଗଲ ଭିତରକୁ ପଳାଇଥିଲେ। ସେଠାରୁ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିଲା। କମ୍ବିଂ ଜୋର୍ଦାର୍ କରାଯିବା ଉଦ୍ଦେଶ୍ୟରେ ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନ ମୁତୟନ ଅଛନ୍ତି। ଗନ୍ଧମାର୍ଦ୍ଦନର ବଲାଙ୍ଗୀର ଏବଂ ବରଗଡ଼ ପଟୁ ଯବାନମାନେ ମିଳିତ କମ୍ବିଂ ଚଳାଇଥିବା ଜଣାପଡ଼ିଛି।
ତେବେ ମାଓବାଦୀ ସଂଗଠନ ବାରମ୍ବାର ଅପରେସନ୍ ଯୋଗୁଁ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ସେମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସ୍ପି ଶ୍ରୀ ଖିଲାରୀ ଅପିଲ୍ କରିଛନ୍ତି।
Follow Us