ଶାନ୍ତି ବାର୍ତ୍ତା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରାଯାଉ: ନକ୍ସଲ

ପଶ୍ଚିମ ବସ୍ତର ଡିଭିଜନାଲ କମିଟିର ସଚିବ ରୁପେଶ ପ୍ରେସ୍‌ ବିବୃତ୍ତିରେ ପୁଣି ଶାନ୍ତି ବାର୍ତ୍ତାକୁ ନେଇ ପ୍ରୟାସ ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛି। ଆମର କେନ୍ଦ୍ରୀୟ କମିଟି ମେମ୍ବର ଏବଂ ଷ୍ଟେଟ କମିଟି ମେମ୍ବରମାନେ ଏବେ ସୁରକ୍ଷିତ ନାହାନ୍ତି।

Naxal wants peace

Naxal wants peace Photograph: (sambad.in)

ମାଲକାନଗିରି: ପଶ୍ଚିମ ବସ୍ତର ଡିଭିଜନାଲ କମିଟିର ସଚିବ ରୁପେଶ ପ୍ରେସ୍‌ ବିବୃତ୍ତିରେ ପୁଣି ଶାନ୍ତି ବାର୍ତ୍ତାକୁ ନେଇ ପ୍ରୟାସ ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛି। ଆମର କେନ୍ଦ୍ରୀୟ କମିଟି ମେମ୍ବର ଏବଂ ଷ୍ଟେଟ କମିଟି ମେମ୍ବରମାନେ ଏବେ ସୁରକ୍ଷିତ ନଥିବାରୁ ସରକାରଙ୍କର ସମସ୍ତ ବିଷୟରେ ଉଚିତ ଜବାବ ଦେଇପାରୁ ନାହୁଁ।

ସୁରକ୍ଷା ଦୃଷ୍ଟିରୁ କେବଳ ଖବରକାଗଜ ପଢି କିମ୍ବା ଖବର ଦେଖି ସରକାରଙ୍କର ସମସ୍ତ ପଦକ୍ଷେପ ଉପରେ ନଜର ରଖାଯାଉଛି ବୋଲି କୁହାଯାଇଛି। ଆମେ ଶାନ୍ତି ବାର୍ତ୍ତା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ କଗାର ନାମରେ ଚାଲିଥିବା ହତ୍ୟାକାଣ୍ଡକୁ ବନ୍ଦ କରାଯାଉ। ଶାନ୍ତି ବାର୍ତ୍ତା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରାଯାଉ। ଏଥିପାଇଁ ଆମର ସମସ୍ତ କମ୍ରେଡମାନଙ୍କୁ ମଧ୍ୟ ଆମେ ସୂଚନା ଦେଇ ସାରିଛୁ। ସମସ୍ତେ କୌଣସି ଏଭଳି କାଣ୍ଡ ଘଟାଇବେ ନାହିଁ, ଯାହା ଶାନ୍ତି ବାର୍ତ୍ତାର ଖିଲାପ ହେବ। 

ରାଜ୍ୟ ଗୃହମନ୍ତ୍ରୀ ବିଜୟ ସିଂଙ୍କ ଯେଉଁ ବୟାନ ଆସିଛି ତାହା ଗ୍ରହଣୀୟ ନୁହେଁ। ସେ କଗାର ଯୁଦ୍ଧକୁ ଜାରି ରଖିବେ ବୋଲି କହିଛନ୍ତି। ଏଭଳି ହେଲେ ଶାନ୍ତି ପାଇଁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ କେବେ ବି ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।

ଯବାନମାନଙ୍କୁ ଆମେ ଭାଇ ବୋଲି ସମ୍ବୋଧନ କରୁଛୁ। ଆମେ କେବେ ବି ତାଂକୁ ଶତ୍ରୁ ଭାବି ନାହୁଁ। କିନ୍ତୁ ସେମାନେ ଆମ ଉପରେ ଗୁଳି ଚଳାଇବା ବନ୍ଦ କରନ୍ତୁ। ଗତ ଏକ ବର୍ଷ ମଧ୍ୟରେ ବହୁ ହିଂସାକାଣ୍ଡ ଘଟିଛି। ବହୁ ଲୋକଙ୍କର ଜୀବନ ଗଲାଣି। ଏଥର ଏହା ବନ୍ଦ କରାଯାଉ। ଆମେ ଶାନ୍ତି ବାର୍ତ୍ତା ପାଇଁ ପ୍ରସ୍ତୁତ ଅଛୁ। ସରକାର ଯେତେବେଳେ ଯେଉଁଠି ଚାହିଁବେ ସେଠାକୁ ଆସି କଥାବାର୍ତ୍ତା ହେବୁ। କିନ୍ତୁ ହିଂସାକାଣ୍ଡ ବନ୍ଦ ହେବା ଉଚିତ। ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଯେଉଁ ଭୟ ରହିଛି ତାକୁ ଦୁର କରିବା ଉଚିତ ବୋଲି କୁହାଯାଇଛି। ଶାନ୍ତିବର୍ତ୍ତା ପାଇଁ ଆମେ ସ୍ଥାନୀୟ ନେତାଙ୍କ ସହଯୋଗ ଲଢିବୁ। ସେମାନେ କଣ କହୁଛନ୍ତି ତାହାରି ଉପରେ ଆମର ନଜର ରହିଛି। ସବୁ ବର୍ଗର ଲୋକେ ଏହି ଶାନ୍ତିବାର୍ତ୍ତା ପାଇଁ ସରକାରଙ୍କୁ ଅନୁରୋଧ କରନ୍ତୁ ବୋଲି ନକ୍ସଲ ସଂଗଠନ ଅନୁରୋଧ କରିଛି।

ନକ୍ସଲ ଛତିଶଗଡ ଛାଡି ଅନ୍ୟ ରାଜ୍ୟକୁ ଚାଲିଗଲେ ବୋଲି ପୁଲିସ ଯେଉଁ ପ୍ରଚାର କରୁଛି ତାହା ମିଥ୍ୟା ଅଟେ। ଆଣେ କୌଣସି ପ୍ରକାରେ ରାଜ୍ୟ ଛାଡିବୁ ନାହିଁ। ଏହାର ଉଦାହରଣ ହେଉଛି କମ୍ରେଡ ରେଣୁକା। ରେଣୁକାଙ୍କ ସ୍ବାସ୍ଥ୍ୟ ଖରାପ ଥିଲେ ମଧ୍ୟ ସେ ଏହି ଜାଗା ନଛାଡି ପୁଲିସ ଗୁଳିର ଶିକାର ହୋଇଥିଲେ। ଆମ ତରଫରୁ ଗୋଟିଏ ଦୁଇଟି ସ୍ଥାନରେ ଭୁଲ ହୋଇଛି। ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା ମଧ୍ୟ କରିଛୁ। ତେଣୁ ଏକ ସୁସ୍ଥ ପରିବେଶ ସୃଷ୍ଟି କରି ତୁରନ୍ତ ଶାନ୍ତି ବାର୍ତ୍ତା ଆରମ୍ଭ କରିବା କଥା ବୋଲି ନକ୍ସଲ ସଚିବ ରୂପେଶ ଅନୁରୋଧ କରିଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe