ମାଲକାନଗିରି: ଜିଲ୍ଲାରେ ମଣ୍ଡି ଆରମ୍ଭ ହେବା ନେଇ କୌଣସି ବୈଠକ ବର୍ତ୍ତମାନ ସୁଦ୍ଧା ହୋଇନଥିଲେ ମଧ୍ୟ ଏବେ ଠାରୁ ଚିନ୍ତାରେ ପଡିଛନ୍ତି ଚାଷୀ। ଚଳିତ ବର୍ଷ ଭଲ ଚାଷ ହୋଇଥିବା ବେଳେ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ହୋଇପାରିବ କି ନାହିଁ ତାକୁ ନେଇ ମଧ୍ୟ ହରଡଘଣାରେ ପଡିଛନ୍ତି ଚାଷୀ। ଜିଲ୍ଲାର ବିଭିନ୍ନ ମଣ୍ଡି ମଧ୍ୟରୁ ମାଥିଲି ବ୍ଲକର ନାୟକଗୁଡା ମଣ୍ଡିରେ ପ୍ରତିବର୍ଷ ୧୦୦୦ କୁଇଣ୍ଟାଲ ଧାନ ଖରିଦ କରାଯାଉଛି।
ଏହି ଅଂଚଳରେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ଚାଷୀ ରହିଥିବା ବେଳେ ୧୦୦୦ କୁଇଣ୍ଟାଲ ଧାନ କମ୍ ପଡୁଛି। ତେଣୁ ଏହି ଅଂଚଳର ଚାଷୀମାନେ ଏକ ହଜାର ବଦଳରେ ଦୁଇ ହଜାର କୁଇଣ୍ଟାଲ ଧାନ ନାୟକଗୁଡା ମଣ୍ଡିରୁ ଖରିଦ କରାଯାଉ ବୋଲି ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ତେବେ ମଣ୍ଡି ଆରମ୍ଭ ନେଇ କୌଣସି ବୈଠକ ବସିନଥିବାରୁ ଏନେଇ କୌଣସି ପ୍ରତିଶ୍ରୁତି ଦେଇପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ।
ଆସନ୍ତା ୮ ତାରିଖରେ ବିଏଲପିସି ବୈଠକ ବସିବ ବୋଲି ଜଣାପଡିଛି। ଏହି ବୈଠକରେ ଚଳିତ ଖରିଫ ମଣ୍ଡି କେବେ ବସିବ ସେନେଇ ନିଷ୍ପତ୍ତି ନିଆଯିବ। ଗତବର୍ଷ ୧୦ରୁ ୧୧ ଲକ୍ଷ କୁଇଣ୍ଟାଲ ଧାନ ଜିଲ୍ଲାଵାରି କ୍ରୟ କରାଯାଉଥିବା ବେଳେ ଏହାକୁ ପ୍ରତ୍ୟେକ ମଣ୍ଡିରେ ସମାନ ଭାଗରେ ବିଭକ୍ତ କରାଯାଉଛି। ମଣ୍ଡିରେ ଚାଷୀଙ୍କ ଧାନ ଖରିଦ କରାନଗଲେ ସେମାନେ ବହୁ କ୍ଷତି ସହିବେ ବୋଲି ଏହି ଅଂଚଳ ଚାଷୀ ମଧ୍ୟର ସରପଞ୍ଚ ଲକ୍ଷ୍ମୀ ବାକା, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ବାକା, ନାଏବ ସରପଞ୍ଚ ରାମଚନ୍ଦ୍ର ଭୁମିଆ, ଲଖିରାମ ପୂଜାରୀ, ସନାଧର ବାକା, ନରସିଂ ବାକା, ଗୌର ଚନ୍ଦ୍ର ଭୁମିଆ, ରାମଚନ୍ଦ୍ର ବାକା, ଅର୍ଜୁନ ବାକା, ରାମଚନ୍ଦ୍ର ବଟେ, ଘେନୁଆ କୋପେ, ଜଗଦୀଶ ସରାବୁ, ରାଜୀବ ବାକା, ସୁରେନ୍ଦ୍ର ଭୁମିଆ, ସୁନାଧର ବାକା, ବଳରାମ ବାକା ପ୍ରମୁଖ ପ୍ରକାଶ କରିଛନ୍ତି।
ବହୁ ଦଲାଲ ମଣ୍ଡି ଆରମ୍ଭ ପୂର୍ବରୁ ଏହି ଅଂଚଳରେ ବୁଲି ଗରିବ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କ୍ରୟ କରୁଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ତରଫରୁ ନାୟକଗୁଡା ମଣ୍ଡିରେ ଧାନ କ୍ରୟ ଟାର୍ଗେଟକୁ ବଢାଇବା ପାଇଁ ବାରମ୍ବାର ପ୍ରତିବର୍ଷ ଦାବି କରିଆସୁଛନ୍ତି। କିନ୍ତୁ ଏଥର ଟାର୍ଗେଟ ନବଢିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
Follow Us