Babar Azam Photograph: (X)
କରାଚୀ: ପାକିସ୍ତାନର କରାଚୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ଆୟୋଜିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଶକ୍ତି ପ୍ରଦର୍ଶନ କରି ଆୟୋଜକ ପାକିସ୍ତାନକୁ ଚିତ୍ପଟାଙ୍ଗ୍ କରିଛି। ୩୨୧ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଘରୋଇ ଦଳ ୪୭.୨ ଓଭରରେ ଅଲ୍ଆଉଟ ହୋଇଛନ୍ତି। ପାକିସ୍ତାନ ଦଳ ୨୬୦ ରନ୍ ସଂଗ୍ରହ କରିବା ସହିତ ଏହି ମ୍ୟାଚ୍ରେ ୬୦ ରନ୍ରେ ହାରିଯାଇଛି।
ପାକିସ୍ତାନ ତରଫରୁ ସୌଦ ସକିଲ ୬ରନ୍, ବାବର ଆଜମ ୬୪ ରନ୍, ଅଧିନାୟକ ମହମ୍ମଦ ରିଜୱାନ ୩ ରନ୍, ଫକର ଜମାନ ୨୪ ରନ୍, ସଲମାନ ଆଘା ୪୨ ରନ୍, ତୟାବ ତାହିର ୧ ରନ୍ ସଂଗ୍ରହ କରିଥିଲେ। ଖୁସଦିଲ୍ ଶାହ ୬୯ ରନ୍, ସାହିନ ସାହ ଆଫ୍ରିଦି ୧୪ ରନ୍, ନସିମ ଶାହ ୧୩ ରନ୍ ଓ ହାରିସ ରୌଫ୍ ୧ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟରେ ନ୍ୟୁଜିଲାଣ୍ଡ ତରଫରୁ ୱିଲ୍ ଓ’ରୁର୍କି ଓ ଅଧିନାୟକ ମିଚେଲ ସାଣ୍ଟନର ୩-୩ ୱିକେଟ୍ ନେଇଥିଲେ। ମାଟ୍ ହେନରିଙ୍କ ହାତରେ ୨ ଜଣ ଖେଳାଳି ଆଟଉ୍ ହୋଇଥିଲା ବେଳେ ମାଇକେଲ ବ୍ରେସ୍ୱେଲ ଓ ନାଥନ ସ୍ମିଥ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା। କିୱି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ୱିକେଟ୍ ହରାଇ ୩୨୦ ରନ୍ ସଂଗ୍ରହ କରିଥିଲା।
ଆରମ୍ଭରୁ ନ୍ୟୁଜିଲାଣ୍ଡକୁ ଦୁଇଟି ବଡ଼ ଝଟକା ଲାଗିଥିଲେ ବି ପରବର୍ତ୍ତୀ ସମୟରେ ଦଳର ପ୍ରାରମ୍ଭିକ ବ୍ୟାଟର ୱିଲ୍ ୟଙ୍ଗ୍ (୧୦୭ ରନ୍, ୧୧୩ ବଲ୍, ୧୨ ଚୌକା ଓ ୧ ଛକା) ଓ ମଧ୍ୟକ୍ରମର ବ୍ୟାଟର ଟମ୍ ଲାଥମ ଉପସ୍ଥିତ ବୁଦ୍ଧି ଲଗାଇ ଦଳର ସ୍କୋର ଆଗକୁ ବଢ଼ାଇଥିଲେ। ଉଭୟ ଖେଳାଳି ଚତୁର୍ଥ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ (୧୧୮ ରନ୍) କରିପାରିଥିଲେ। ଏଥି ସହିତ ୱିଲ୍ ୟଙ୍ଗ ନିଜେ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିବା ବେଳେ ଟମ୍ ଲାଥମ ମଧ୍ୟ ଶତକ (୧୧୮ ରନ୍, ୧୦୪ ବଲ୍, ୧୦ ଚୌକା ଓ ୩ଛକା) ମାରିଥିଲେ। ଗ୍ଲେନ୍ ଫିଲିପ୍ସ ୬୧ ରନ୍ ସଂଗ୍ରହ କରି ପାକିସ୍ତାନର ପଞ୍ଚମ ଶିକାର ହୋଇଥିଲେ। ସେ ୩୯ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ।
ରାଜନୈତିକ ଓ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହି ୮ ଦଳୀୟ ବିଶ୍ବସ୍ତରୀୟ ପ୍ରତିଯୋଗିତା ହାଇବ୍ରିଡ୍ ମଡେଲ୍ରେ ଖେଳାଯାଉଛି। ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବାକୁ ଥିଲା ବେଳେ ଅନ୍ୟ ସବୁ ମ୍ୟାଚ୍ ପାକିସ୍ତାନରେ ଆୟୋଜିତ ହେଉଛି। ସମ୍ଭାବ୍ୟ ଭାରତକୁ ନେଇ ପ୍ରଥମ ସେମିଫାଇନାଲ୍ ଦୁବାଇରେ ଖେଳାଯିବ। ଫାଇନାଲ୍ରେ ଯଦି ଭାରତ ପ୍ରବେଶ କରେ ତେବେ ଏହା ମଧ୍ୟ ଦୁବାଇରେ ଖେଳାଯିବ, ନହେଲେ ଫାଇନାଲ୍ ଲାହୋରରେ ହେବ।
ନ୍ୟୁଜିଲାଣ୍ଡ ୩୯ ରନ୍ରେ ତାର ପ୍ରଥମ ୱିକେଟ୍ ଭାବେ ଡେଭନ କନୱେ (୧୦) ଓ ୪୦ ରନ୍ରେ ଦ୍ବିତୀୟ ୱିକେଟ୍ ଭାବେ ବିସ୍ଫୋରକ ବ୍ୟାଟର କେନ୍ ୱିଲିୟମ୍ସନ୍ (୧)ଙ୍କୁ ହରାଇଥିଲା। ପାକିସ୍ତାନର ତୃତୀୟ ଶିକାର ହୋଇଥିଲେ ଡାରିଲ ମିଚେଲ (୧୦)। ଏହି ସମୟରେ ଅତିଥି ଦଳର ସ୍କୋର ୭୩ ରନ୍ରେ ପହଞ୍ଚି ଥିଲା। ନ୍ୟୁଜିଲାଣ୍ଡ ସ୍କୋର ୧୯୧ ରନ୍ରେ ଚତୁର୍ଥ ୱିକେଟ୍ ଭାବେ ୱିଲ୍ ୟଙ୍ଗ୍ଙ୍କୁ ହରାଇଥିଲା। ପାକିସ୍ତାନ ତରଫରୁ ନସିମ ଶାହ ଓ ହାରିସ ରୌଫ୍ ୨-୨ ୱିକେଟ୍ ନେଇଥିଲା ବେଳେ ଅବ୍ରାର ଅହମଦଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
Follow Us