ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା: ଫୁଟିବନି ବାଣ, ଭକ୍ତ-ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା

ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।

Puri Chandana Yatra

Puri Chandana Yatra Photograph: (sambad.in)

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ୩୦ ତାରିଖ (ଅକ୍ଷୟ ତୃତୀୟା) ଠାରୁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ଚନ୍ଦନ ଯାତ୍ରାରେ ବାଣ ନିଷିଦ୍ଧ କରାଯାଇଛି। ଭକ୍ତ ଓ ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି। ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ପୁରୀ ଚନ୍ଦନଯାତ୍ରା ବେଳେ ଏଥର ବାଣ ଫୁଟିବ ନାହିଁ। ଭକ୍ତ ତଥା ସାଧାରଣ ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ। ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶାନିଯୋଗର ଅନୁମୋଦନ ଦେଇଛି। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍‌ ସେଣ୍ଟର ପ୍ରତିଷ୍ଠା କରାଯିବ। 

ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାମ ଶେଷ ହୋଇଛି। ଏବେ ବାହାର ରତ୍ନଭଣ୍ଡାର କାମ ଜାରି ରହିଛି। ଖୁବ୍‌ ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟିଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆହୁରି ୧୦ରୁ ଅଧିକ ଭକ୍ତ ଓ ସାଧାରଣ ଜନତା ଆହତ ହୋଇଥିଲେ। ନରେନ୍ଦ୍ର ପୁଷ୍କରଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ରଖାଯାଇଥିବା ବାଣ ବସ୍ତାରେ ପଡିବାରୁ ହଠାତ ବିସ୍ଫୋରଣ ହୋଇଥିଲା। ଆହତଙ୍କ ସ୍ଥାନୀୟ ଲୋକ ଓ ପ୍ରଶଶସନର ସହାୟତାରେ ପୁରୀ ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ସେହି ସମୟରେ ରାଜ୍ୟର ଚର୍ଚ୍ଚିତ ଖବର ଥିଲା। 

Chandana Yatra | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe