ଖୁଣ୍ଟ ପୋତିଲେ, ଟ୍ରାନ୍ସଫର୍ମର ବସାଇଲେ, ବିଦ୍ୟୁତ ସଂଯୋଗ ହେବ କେବେ?

ଟ୍ରାନ୍ସଫର୍ମର ଲାଗିଲା ଓ ଘରେଘରେ ମିଟର ବସାଗଲା। ବିଦ୍ୟୁତ ତାର ବି ସଂଯୋଗ ହେଲା। ଇତିମଧ୍ୟରେ ୩ମାସ ବିତିଯାଇଥିଲେ ସୁଦ୍ଧା ସଂଯୋଗ ଦିଆଯାଇ ନଥିବାରୁ ଅନ୍ଧାରରେ ୩ଟି ଗାଁର ଶହଶହ ଲୋକ ରହୁଛନ୍ତି।

SHG of Nabarangpur

SHG of Nabarangpur Photograph: (sambad.in)

ନବରଙ୍ଗପୁର: ଟ୍ରାନ୍ସଫର୍ମର ଲାଗିଲା ଓ ଘରେଘରେ ମିଟର ବସାଗଲା। ବିଦ୍ୟୁତ ତାର ବି ସଂଯୋଗ ହେଲା। ଇତିମଧ୍ୟରେ ୩ମାସ ବିତିଯାଇଥିଲେ ସୁଦ୍ଧା ସଂଯୋଗ ଦିଆଯାଇ ନଥିବାରୁ ଅନ୍ଧାରରେ ୩ଟି ଗାଁର ଶହଶହ ଲୋକ ରହୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ଚଟାହାଣ୍ଡି ପଂଚାୟତର ଭଣ୍ଡାରୀଗୁଡା ଗ୍ରାମବାସୀ। ଏହି ଗାଁ ହିଁ ନୁହେଁ ଏହି ପଂଚାୟତର ଅନ୍ୟ ଦୁଇ ଗାଁ ବଦରଗୁଡା ଓ ବରିପଦରରେ ବି ସମାନ ଅବସ୍ଥା ବୋଲି ଏହି ଗ୍ରାମବାସୀ ମାନେ କହିଛନ୍ତି। 

ଭଣ୍ଡାରୀଗୁଡା ଗାଁର ଭଗବତୀ ଗୌଡ, ଭଗବତୀ ଜାନୀ, ଦୁର୍ମତୀ ଜାନୀ, ଦୁତୀ ଗୌଡ, ବାଳମତି ଗୌଡ, ମନାଇଗୌଡ, ସୁନିତା ଗୌଡ, ରାମବତୀ ଗୌଡ, ପୂର୍ଣ୍ଣି ଜାନୀ, ଲଲତିତା ଭତରା, ଭବାନୀ ଗୌଡ, ଡମ୍ବୁରଧର ଭତରା, ନିଳମ ଜାନୀ, ନାରାୟଣ ଜାନୀ, ଡମୁସିଂ ଗୌଡ, ପିତମ ଗୌଡ ପ୍ରମୁଖ ପ୍ରମୁଖ କହିଛନ୍ତି ତାଙ୍କ ଗାଁରେ ୩୦ଘରର ୨୦୦ଲୋକ ଏଂବ ଅନ୍ୟ୨ଟି ଗାଁରେ ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ଗାଁରେ ବିଦ୍ୟୁତ ନଥିବାରୁ ବାରମ୍ବାର ଦାବି ହୋଇ ଆସୁ ଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଗତ ତିନିମାସ ତଳେ  ଟ୍ରାନ୍ସଫର୍ମର ଓ ଘରକୁ ଘର ମିଟର ବସାଯାଇଥିଲା।

ଖୁଣ୍ଟ ପୋତି ତାର ମଧ୍ୟ ଟଣାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ୩ମାସ ହେଲାଣି ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବାରୁ ଗ୍ରାମବାସୀଙ୍କ ଆଲୁଅ ଦେଖିବା ଆଶା ମଉଳି ଯାଉଛି। ଗାଁକୁ କେବେ ବିଜୁଳି ଆଲୁଅ ଆସିବ ଗ୍ରାମବାସୀ ଚାତକ ପରି ଅନେଇ ବସିଛନ୍ତି। ବିଦ୍ୟୁତ୍ ସଂଯୋଗ ନେଇ ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା କ୍ଷୋଭର ସହ କହିଛନ୍ତି।

ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଇ ବର୍ଷାଋତୁ ପୂର୍ବରୁ ସଂଯୋଗ ଦେଲେ ଏହି ତିନି ଗାଁର ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।ଆଜି ଏହି ଗ୍ରାମବାସୀ ମାନେ ନବରଙ୍ଗପୁର ଆସି ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ନବରଙ୍ଗପୁର ବିଧାୟକ, ଜିଲ୍ଲାପାଳ ଆଦିଙ୍କୁ ଦାବିପତ୍ର ପ୍ରଦାନ କରି ଦେଶ ସ୍ବାଧୀନତା ପରଠାରୁ ରହିଥିବା ଅନ୍ଧାରରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ କେବେ ଦୃଷ୍ଟି ଦେଉଛି ଦେଖିବାକୁ ବାକି ରହିଛି। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe