ରାଉରକେଲା: ଦିନ ଥିଲା, ରାଉରକେଲା ଶିକ୍ଷାନଗରୀଭାବେ ବିବେଚିତ ହେଉଥିଲା। ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଏଠାକୁ ପଢ଼ିବାକୁ ଆସୁଥିଲେ। ଏବେ କିନ୍ତୁ ଏହାର ଠିକ୍ ଓଲଟା ଦେଖିବାକୁ ମିଳୁଛି। ସ୍ଥାନୀୟ ମେଧାବି ଛାତ୍ରଛାତ୍ରୀ ରାଉରକେଲା ଛାଡ଼ି ଅନ୍ୟତ୍ର ଯାଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଏକ ଶୈକ୍ଷିକ ପରିବେଶ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଅଭାବ। ରାଉରକେଲାଭଳି ସମୃଦ୍ଧ ସହରରେ ଉଚ୍ଚ ଶିକ୍ଷାନୁଷ୍ଠାନ କହିଲେ କେବଳ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)। ଫଳରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।
ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଏକ ଉତ୍ସର୍ଗୀକୃତ ସାଧାରଣ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଜିଲ୍ଲାର କଲେଜଗୁଡ଼ିକ ଏବେ ଯାବତୀୟ ସମସ୍ୟା ଦେଇ ଗତି କରୁଛନ୍ତି। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍ ପାଖାପାଖି ୧୮୦/୨୦୦ କିଲୋମିଟର ଦୂରତାରେ ଅବସ୍ଥିତ। ଫଳରେ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ପ୍ରଶାସନିକ କାର୍ଯ୍ୟ, ପରୀକ୍ଷା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଦୀର୍ଘ ଦୂରତା ଯାତ୍ରା କରି ଆର୍ଥିକ, ଶାରୀରିକ କ୍ଷତି ସହୁଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଶତାଧିକ କଲେଜ ଥିବାରୁ ପ୍ରଶାସନିକ କାର୍ଯ୍ୟ ତଥା ପରିଚାଳନାଗତ ସମସ୍ୟା ଦେଖାଦେବା ସ୍ବାଭାବିକ୍। ଏଣୁ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ କିମ୍ବା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରକୁ ଏକ ବିଶ୍ବବିଦ୍ୟାଳୟରେ ପରିଣତ କରିବା, ଏକମାତ୍ର ବିକଳ୍ପ ପାଲଟିଛି। ଉଭୟ ଅନୁଷ୍ଠାନ ପରିସରରେ ଆବଶ୍ୟକ ଭିତ୍ତିଭୂମି ତଥା ପର୍ଯ୍ୟାପ୍ତ ଜମି ଉପଲବ୍ଧ। ଦୁଇ ଦଶନ୍ଧି ପୁରୁଣା ଏହି ଦାବି ନେଇ ବିଗତ ଦିନରେ ବିକ୍ଷୋଭ, ପ୍ରତିବାଦ ସଭା ଦେଖିବାକୁ ମିଳିଥିଲା। ଏମିତିକି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ପାଇଁ ମଧ୍ୟ ଦାବି ଜୋର୍ ଧରିଛି। ଜିଲ୍ଲାର ମେଧାବି ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଶ୍ବବିଦ୍ୟାଳୟ ଏକ ବରଦାନ ସଦୃଶ ହେବ। ଅର୍ଥାଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀ ନିଜ ନିଜ ଭବିଷ୍ୟତ ଗଢିପାରିବେ। ତେବେ ଏହି ଅନୁଷ୍ଠାନ ଦ୍ବାରା କେବଳ ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀ ନୁହନ୍ତି; ବରଂ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼, ଯଶପୁର ଓ ଝାଡ଼ଖଣ୍ଡର ସିମଡେଗା ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ।
ଅବଶ୍ୟ, ବିଗତ ଦିନରେ ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ (ଏକ୍ସଆଇଏମ୍)ର ଦ୍ବିତୀୟ କ୍ୟାମ୍ପସ୍ ଖୋଲିବା ନେଇ ଉଦ୍ୟମ ହୋଇଥିଲା; ତେବେ ଏକାଧିକ କାରଣରୁ ଏହି ପ୍ରକଳ୍ପର ଭାଗ୍ୟ ଫିଟିପାରିନଥିଲା। ଲଗାତାର ବ୍ୟାପକ ଆନ୍ଦୋଳନ ସତ୍ତ୍ବେ ଆଇଆଇଏମ୍ ହାତଛଡ଼ା ହେବାରୁ ୨୦୧୫ ମସିହା ମାର୍ଚ୍ଚ ୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଏକ୍ସଆଇଏମ୍ବିର ଦ୍ବିତୀୟ କ୍ୟାମ୍ପସ୍ ସ୍ଥାପନ ନେଇ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର-ରାଉରକେଲା ଇସ୍ପାତ କାରଖାନା-ଏକ୍ସଆଇଏମ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବି ଅନୁଷ୍ଠିତ ହୋଇଥିଲା। ତେବେ ଏହି ପ୍ରକଳ୍ପ ମଧ୍ୟ ରାଉରକେଲାକୁ ଆସିପାରିନଥିଲା। ବାସ୍ତବରେ, କ୍ରମାଗତଭାବେ ଜିଲ୍ଲାର ଉଚ୍ଚ ଶିକ୍ଷା ପ୍ରତି ଉପେକ୍ଷା କରାଯାଉଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା, ରାଉରକେଲାରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ଗୁରୁତ୍ବ ଦିଆନଯିବା। ଅଞ୍ଚଳରେ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାକୁ ଇଏସ୍ଆଇସି ମେଡିକାଲ କଲେଜ ଓ ହସପିଟାଲ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉନି। ରାଉରକେଲାକୁ ଏକ ବୈଷୟିକ କେନ୍ଦ୍ର ଭାବେ ସ୍ଥାନିତ କରିବାକୁ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) କିମ୍ବା ଦ୍ୱିତୀୟ ଆଇଆଇଟି ପାଇଁ ମଧ୍ୟ ଦାବି ହେଉଛି। ତେବେ ଅନ୍ୟ ଦାବି ଭଳି ଏହାକୁ ମଧ୍ୟ ଅଣଦେଖା କରାଯାଉଛି। ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆନ୍ତରିକତା ଦେଖାଉନଥିବାରୁ ଜିଲ୍ଲାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠରେ ଡୋରି ପଡ଼ୁଛି।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ
‘ଦୀର୍ଘଦିନ ହେଲା ରାଉରକେଲା ଏକ ଉଚ୍ଚ ଶିକ୍ଷାନୁଷ୍ଠାନରୁ ବଞ୍ଚିତ ରହିଛି। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଅଛି। କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନ ସ୍ଥାପନ ହୋଇପାରୁନି। ଏହି ନ୍ୟାୟସଙ୍ଗତ ଦାବିକୁ ସବୁମହଲରୁ ସମର୍ଥନ ମିଳୁ। ବିଶେଷକରି ରାଜନୈତିକ ଦଳଗୁଡ଼ିକ ପ୍ରକଳ୍ପକୁ ନିସ୍ବାର୍ଥ ସମର୍ଥନ କରିବା ଆବଶ୍ୟକ।
ଡ. ପ୍ରଭାତ ମଲ୍ଲିକ, ଶିକ୍ଷାବିତ୍ ତଥା ଐତିହାସିକ
‘ବାସ୍ତବରେ ଉପରକୁ ଯାହା ଦେଖାଯାଉଛି, ତାହା ଭିତରେ ନାହିଁ। ରାଉରକେଲା ହେଉଛି ‘ଶିକ୍ଷାକେନ୍ଦ୍ର’। ଶିକ୍ଷାକ୍ଷେତ୍ରରେ ରାଉରକେଲା ଅନ୍ୟ ଜିଲ୍ଲା ତୁଳନାରେ ଢେର୍ ଆଗରେ; ତଥାପି ଏହାକୁ ଅଣଦେଖା କରାଯାଉଛି। ବଣାଇ, ଲହୁଣିପଡ଼ା, ବୀରମିତ୍ରପୁର ଆଦି ଅଞ୍ଚଳର ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ସୁଦୂର ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଯାଇ କେବଳ ହଇରାଣ ହରକତ ହେଉନାହାନ୍ତି, ବରଂ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ସରକାର ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେଇ ଯଥାଶୀଘ୍ର ବିହୀତ ପଦକ୍ଷେପ ନିଅନ୍ତୁ।
ଡ. କିଶୋରୀ ଦାଶ, ଶିକ୍ଷାବିତ୍
‘ଜିଲ୍ଲାରେ ଏକାଧିକ ଶିକ୍ଷାନୁଷ୍ଠାନ ରହିଛି, କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନର ଅଭାବ ସ୍ପଷ୍ଟ ବାରି ହୋଇପଡ଼େ। ଜିଲ୍ଲାରେ ଏକାଧିକ ମହାବିଦ୍ୟାଳୟ ରହିଛି, ସେଗୁଡ଼ିକୁ ଅନ୍ତର୍ଭୁକ୍ତକରି ଏକ ସାଧାରଣ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ। ଏହା ବାସ୍ତବ ରୂପ ନେଲେ ଜିଲ୍ଲାର ଅସଂଖ୍ୟ ଛାତ୍ରଛାତ୍ରୀ ଉପକୃତ ହେବେ। ଏତଦ୍ବ୍ୟତୀତ, ଜିଲ୍ଲାରେ ଯେଉଁସବୁ କଲେଜ ରହିଛି, ସେଠାରେ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ହେଉ। ନୂତନ ଅଧ୍ୟାପକ/ଅଧ୍ୟାପିକା ସୃଷ୍ଟିକରି ପର୍ଯ୍ୟାପ୍ତସଂଖ୍ୟକ ନିଯୁକ୍ତି ହେବ।
ଡ. ସନାତନ ପ୍ରଧାନ, ଶିକ୍ଷାବିତ୍
‘ରାଉରକେଲାରେ ଉଚ୍ଚଶିକ୍ଷା ଏକ ପ୍ରହସନ ପାଲଟିଛି। ଏଠାରେ ସାଧାରଣ ବିଶ୍ବବିଦ୍ୟାଳୟ ନାହିଁ କିମ୍ବା ସରକାରୀ ମେଡିକାଲ କଲେଜ ଓ ହସପିଟାଲ, ବୈଷୟିକ ଉଚ୍ଚଶିକ୍ଷାନୁଷ୍ଠାନ ନାହିଁ। ଫଳରେ ଅସଂଖ୍ୟ ମେଧାବି ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଅଞ୍ଚଳରେ ସ୍ବାସ୍ଥ୍ୟସେବା, ନବସୃଜନ, ଗବେଷଣା ଏବଂ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ନିତାନ୍ତ ଜରୁରୀ ହୋଇପଡ଼ିଛି। ଏଣୁ ଉଚ୍ଚଶିକ୍ଷାନୁଷ୍ଠାନ ସ୍ଥାପନ, ଏକମାତ୍ର ବିକଳ୍ପ।
ଇଂ ସୁପ୍ରତୀକ ମିଶ୍ର, (ନେଟ୍ୱର୍କ୍ ଡିଜାଇନ୍ ଓ ଇମ୍ପ୍ଲିମେଣ୍ଟେସନ ଇଞ୍ଜିନିଅର)
‘ରାଉରକେଲାରେ ଉନ୍ନତମାନର ସ୍ବାସ୍ଥ୍ୟସେବାର ଅଭାବ ଯୋଗୁ ଲୋକ ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ଉଚ୍ଚ ଶିକ୍ଷାନୁଷ୍ଠାନର ଅଭାବ, ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଛାଡ଼ିବାକୁ ବାଧ୍ୟ କରୁଛି। ଏଣୁ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନିତାନ୍ତ ଜରୁରୀ। ଏହାସହ ଅତ୍ୟାଧୁନିକ ଲାଇବ୍ରେରୀ, ରିସର୍ଚ୍ଚ୍ ଲ୍ୟାବ୍, ଷ୍ଟାର୍ଟଅପ୍ ଇନ୍କ୍ୟୁବେସନ ସେଣ୍ଟର୍, ବୈଷୟିକ ଓ ଅଣ-ବୈଷୟିକ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ ହେଉ। ଏହାଦ୍ବାରା ସରକାରୀ ସହାୟତାରୁ ବଞ୍ଚିତ ପିଲା ନିଜର ଭବିଷ୍ୟତ ଗଠନର ସ୍ବପ୍ନ ଦେଖିପାରିବେ।
ପ୍ରସ୍ପିତା ପ୍ରିୟଦର୍ଶିନୀ, ଯୁକ୍ତ ତିନି ଛାତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/nit-rourkela-2025-11-05-11-37-32.png)