ପାଟଣାଗଡ଼: ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଥିବା ‘ହରିଶଙ୍କର’ ଗୁରୁତ୍ବ ବହନ କରୁଛି। ରାଜ୍ୟ ସରକାର ଏହି ସ୍ଥାନର ଭିତ୍ତିଭୂମି ପାଇଁ ଯଦିଓ କାମ କରିଛନ୍ତି, ତଥାପି ଏଠାରେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ କରିବାର ଦରକାର ଅଛି ବୋଲି ପର୍ଯ୍ୟଟକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଲୋକେ ବାଦି କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ ସୋମବାର ଦିନ ହରିଶଙ୍କର ଗସ୍ତ କରିଥିଲେ ମଧ୍ୟ ଏଠାକାର ଭିତ୍ତିଭୂମି ପାଇଁ କୌଣସି ଘୋଷଣା କରି ନଥିବାରୁ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ହରିଶଙ୍କର ପୀଠ’କୁ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆଗମନ ହେଉଛି। ଏଠାକାର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ପର୍ଯ୍ୟଟକଙ୍କୁ ବହୁଦୂରରୁ ଟାଣି ଆଣୁଛି। ଏଠାରେ ଭିତ୍ତିଭୂମି ଆହୁରି ସୁଦୃଢ଼ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ରାଣୀପୁର ଝରିଆଲର ଉନ୍ନତି ପାଇଁ ଉପମୁଖ୍ୟମନ୍ତ୍ରୀ ୮୮ କୋଟି ଟଙ୍କାର ଅନୁଦାନ ଘୋଷଣା କଲା ପରେ ବଲାଙ୍ଗୀର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଥିଲା। ରାଣୀପୁର ଗସ୍ତ ଶେଷ କରି ଶ୍ରୀମତୀ ପରିଡ଼ା ହରିଶଙ୍କରରେ ପହଞ୍ଚି ଥିଲେ। ମନ୍ଦିର ଦର୍ଶନ କରିଥିଲେ। ଝରଣା ଅଞ୍ଚଳ ବୁଲି ଦେଖିଥିଲେ। ମନ୍ଦିରର ପୂଜାରୀମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ। ହରିଶଙ୍କର ମନ୍ଦିର ପରିସରରେ ଆବଶ୍ଯକତା ସମ୍ପର୍କରେ ପୂଜାରୀମାନେ ଦାବି ଜଣାଇଥିଲେ।
ଉପମୁଖ୍ୟମନ୍ତ୍ରୀ ଏଠାରେ ମଧ୍ୟ ସେ କିଛି ଅନୁଦାନ ଘୋଷଣା କରିବେ ବୋଲି ଆଶା କରା ଯାଉଥିଲା। ଏହା ସତ୍ତ୍ବେ ମଧ୍ୟ ହରିଶଙ୍କର ପାଇଁ ଉପମୁଖ୍ୟମନ୍ତ୍ରୀ କିଛି ଅନୁଦାନ ଘୋଷଣା କରି ନଥିଲେ, ଯାହାକୁ ନେଇ ନାନା ଆଲୋଚନା ହେଉଛି। ହରିଶଙ୍କର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆସୁଥିବା ବେଳେ ଏଠାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଥିବା ସତ୍ତ୍ବେ ହରିଶଙ୍କରକୁ କାହିଁକି ଅନୁଦାନ ଦିଆ ଗଲା ନାହିଁ ତାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନ ରଂଜନ ନାଏକଙ୍କୁ ପଚାରିବାରୁ ସେ ପର୍ଯ୍ୟଟନ ବିଭାଗକୁ ହରିଶଙ୍କରକୁ ଆସିବା ପାଇଁ ଅନୁରୋଧ କରିବି। ଆବଶ୍ୟକତା ଅନୁଯାୟୀ ମାଷ୍ଟର ପ୍ଲାନ କରାଯାଇ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି କହିଥିଲେ।
ସୂଚନାଯୋଗ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗତ ସୋମବାର ଦିନ ବଲାଙ୍ଗୀର ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଧୀନ ରାଣୀପୁର ଝରିଆଲ ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ବିଷୟକୁ ନେଇ ମନ୍ଦିର ଟ୍ରଷ୍ଟ, ପୂଜାରୀ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ଆଲୋଚନା କରିଥିଲେ। ସେ ଐତିହାସିକ ପର୍ଯ୍ୟଟନସ୍ଥଳୀ ‘୬୪ ଯୋଗିନୀ’ର ବିକାଶ ପାଇଁ ୮୮ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପାଇଁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରିପୋର୍ଟ: ପାଟଣାଗଡ଼ରୁ ଶିରିଶ ଖମାରୀ
Harishankar
Follow Us