NO road to brahmani bridge Photograph: (Sambad.in)
ରାଉରକେଲା: ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକ ତାମଡ଼ା ପଞ୍ଚାୟତ ପିତାଗାଁ ବ୍ରାହ୍ମଣୀ ପୋଲ। ପ୍ରାୟ ୫୦୦ ମିଟର ଦୈର୍ଘ୍ୟ ପୋଲ ନିର୍ମାଣରେ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ। ୨୦୧୭ ଡିସେମ୍ବର ୭ରେ ୨୩ ନମ୍ବର ଜାତୀୟ ରାଜପଥରୁ ରାବଣଝୋଲା ରାସ୍ତା ଓ ବ୍ରାହ୍ମଣୀପୋଲର ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଉପସ୍ଥିତ ଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏମ୍ମା ଏକ୍କା। ନିର୍ମାଣକୁ ୪ ବର୍ଷ ଲାଗିଲା ଅର୍ଥାତ୍ ୨୦୨୧ ସୁଦ୍ଧା ସରିଲା। ହେଲେ ଆଜିକୁ ୪ ବର୍ଷ ବିତିଗଲା ପରେ ମଧ୍ୟ ବ୍ରାହ୍ମଣୀ ପୋଲ କାର୍ଯ୍ୟକ୍ଷମ ହୋଇପାରିଲାନି।
ମୁଖ୍ୟରାସ୍ତାରୁ ପୋଲକୁ ସଂଯୋଗୀକରଣ ରାସ୍ତାର ବାଧକ ସାଜିଛି ପିତା ଗାଁର ୯ ପରିବାରଙ୍କ ଘର। କାରଣ ୯ ପରିବାର ଘର ଭାଙ୍ଗିଲେ ପୋଲକୁ ରାସ୍ତା ସଂଯୋଗ ହୋଇପାରିବ। ଉଚ୍ଛେଦ ହେବାକୁ ଯାଉଥିବା ସୁରେଶ ସାହୁ, କୁଶ ସାହୁ, ପୀତାମ୍ବର ବେହେରା, ବ୍ରଜ ସାମନ୍ତ, ନବୀନ ଚନ୍ଦ୍ର ଫତ୍କାର ଏମିତି ୯ ପରିବାର କ୍ଷତିପୂରଣ ମିଳିଲେ ରାସ୍ତା ଛାଡ଼ିବାକୁ ରାଜି ଅଛନ୍ତି। ନିକଟରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ କ୍ଷତିଗ୍ରସ୍ତ ପରିବାର ଘର ଖଣ୍ଡିଏ ନିର୍ମାଣ କରିଦେଲେ, ରାସ୍ତା ଛାଡ଼ିଦେବୁ ବୋଲି ମଧ୍ୟ କହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ପୂର୍ବରୁ ଯେମିତି ତାମଡ଼ା ପଞ୍ଚାୟତ ସମେତ ପୋଲ ଅପରପାର୍ଶ୍ବର ବାସିନ୍ଦା ହଇରାଣ ହରକତ ହେଉଥିଲେ, ଏବେ ତା’ଠୁ ଅଧିକ ସମସ୍ୟା ଭୋଗୁଛନ୍ତି। ବିଶେଷକରି ପରିବାବିକାଳି, ଛୋଟଛୋଟ ବ୍ୟବସାୟୀ ହାଟକୁ ଯିବାକୁ ଜୀବନକୁ ବାଜି ଲଗାଇ ଶିଡ଼ିରେ ପୋଲ ଉପରକୁ ଯାଉଛନ୍ତି।
Accident 2 Young Men Death ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ
ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସମସ୍ୟା
ସବୁଠୁ ଅଧିକ ଦୁଃଖ ଓ ଯନ୍ତ୍ରଣା ପାଉଛନ୍ତି ପିତାଗାଁ ଓ ଏହାର ପାର୍ଶ୍ବବର୍ତ୍ତୀ ବାସିନ୍ଦା। ବିଷ୍ଣୁଚରଣ ଫତକାର କହିଛନ୍ତି, ‘ପୂର୍ବରୁ ଛୋଟଡଙ୍ଗାରେ ଆମେ ବ୍ରାହ୍ମଣୀନଦୀ ପାରିହୋଇ ଅପରପାର୍ଶ୍ବକୁ ଯାଉଥିଲୁ। ବର୍ଷାଦିନେ ସହରକୁ ଯିବା ଆମ ପାଇଁ ବହୁ କଷ୍ଟକର ଥିଲା। ଭାବିଥିଲୁ ପୋଲଟି ନିର୍ମାଣ ହେଲେ ଆମ ସମସ୍ୟା ଦୂର ହୋଇଯିବ। ପୋଲ ସିନା ନିର୍ମାଣ ହେଲା, ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଗୁରୁଣ୍ଡିଆ ପଟେ ବୁଲି ଆସିବାକୁ ଆମକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗୁଛି। କିଛି ପରିବାର ପୋଲ ଉପରେ ବାଇକ୍ ରଖି ଘରକୁ ଆସୁଛନ୍ତି। ସେମିତି ରାତି ସାରା ବାଇକ୍ ଓ ସାଇକଲ ପୋଲ ଉପରେ ରହୁଛି। ତା’ ପରଦିନ ଶିଡ଼ି ଚଢ଼ି ପୋଲ ଉପରକୁ ଯିବା ପରେ ବାଇକ୍ ଓ ସାଇକଲ ଧରି କାମକୁ ବାହାରିବାକୁ ପଡୁଛି। ବିଭାଗୀୟ ଅଧିକାରୀ କହିଛନ୍ତି, ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ମାର୍ଚ୍ଚ ସୁଦ୍ଧା କ୍ଷତିପୂରଣ ଦେବାକୁ ପ୍ରୟାସ ଚାଲିଛି। ତା’ ପରେ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଥିବା ପରିବାରକୁ ଉଚ୍ଛେଦକରି ପୋଲକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯିବ। ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସେ କହିଛନ୍ତି। ଆଉ ସମୟ ନ ଗଡ଼ାଇ ଜିଲ୍ଲାପାଳ ତୁରନ୍ତ ଆମ ଦୁଃଖ ଶୁଣିବା ଦରକାର ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଆହୁରି ପଢ଼ନ୍ତୁ: Census 2027 Update: ଜନଗଣନା,ମୋବାଇଲ୍ ଆପ୍ରେ ନିଜର ଗଣନା କରିପାରିବେ ନିଜେ
Follow Us