ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ସହକାରୀ ପ୍ରଫେସର ନିଯୁକ୍ତି ମାମଲା: ଓପିଏସ୍‌ସିକୁ ନୋଟିସ୍

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥାଇ ୨୪ଜଣ ବିଭିନ୍ନ ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଏଡ୍‌ କଲେଜଗୁଡ଼ିକରେ ସହକାରୀ ପ୍ରଫେସର(ଶିକ୍ଷକ ଶିକ୍ଷା) ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି।

OPSC

କଟକ: ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥାଇ ୨୪ଜଣ ବିଭିନ୍ନ ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଏଡ୍‌ କଲେଜଗୁଡ଼ିକରେ ସହକାରୀ ପ୍ରଫେସର(ଶିକ୍ଷକ ଶିକ୍ଷା) ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ କରି ହାଇକୋର୍ଟରେ ଦାୟର ମାମଲାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ନୋଟିସ୍ ଜାରି କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଓପିଏସ୍‌ସି ଏହି ମାମଲାରେ ପକ୍ଷ ରଖିବ। ଗୁରୁବାର ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ନିଯୁକ୍ତି ପାଇଥିବା ୨୪ଜଣଙ୍କ ମଧ୍ୟରୁ କେତେକ ପ୍ରତିପକ୍ଷ ଆଇନଜୀବୀଙ୍କ ମାଧ୍ୟମରେ ହାଜର ହୋଇଥିଲେ। ଆଉ କେତେକଙ୍କୁ ନୋଟିସ୍ ପ୍ରଦାନ କରାଯାଇଛି କି ନାହିଁ ତାହା ଶୁଣାଣି ବେଳେ ସ୍ପଷ୍ଟ ହୋଇ ନଥିଲା। ଏହାପରେ ସେପ୍ଟେମ୍ବର୍‌ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଯୁକ୍ତି ପ୍ରକ୍ରିୟା ସଂସ୍କାରକ ରଜତ କୁମାର ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।  

ସୂଚନାଯୋଗ୍ୟ, ଏନ୍‌ସିଟିଇ (ନ୍ୟାସନାଲ୍‌ କାଉନସିଲ୍‌ ଫର୍‌ ଟିଚର୍‌ ଏଜୁକେସନ୍‌)ର ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷକ ତାଲିମ ପ୍ରତିଷ୍ଠାନଗୁଡିକରେ ୨୪ଜଣଙ୍କୁ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବା ଦର୍ଶାଇ ଦାୟର ମାମଲାରେ ହାଇକୋର୍ଟ ଏପରି ପଦବିରେ ନିଯୁକ୍ତି ପାଇଥିବା ପ୍ରତିପକ୍ଷ ନମ୍ବର-୩ରୁ ୨୬ଙ୍କୁ ଗତ ଜୁଲାଇ ୨୩ରେ ନୋଟିସ୍ ଜାରି କରିଥିଲେ। 

ମାମଲାର ବିବରଣୀରୁ ପ୍ରକାଶ, ଏନ୍‌ସିଟିଇ ନିୟମାବଳୀ ଅନୁସାରେ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଭିନ୍ନ ବିଏଡ୍‌ କଲେଜଗୁଡିକରେ ସହକାରୀ ପ୍ରଫେସର ପଦ ପାଇଁ ପ୍ରାର୍ଥୀଙ୍କ ଏମ୍‌ଏଡ୍ କିମ୍ବ‌ା ଦୁଇଟି ମାଷ୍ଟର୍ସ ଡିଗ୍ରି ରହିଥିବା ଆବଶ୍ୟକ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ଶିକ୍ଷକ ତାଲିମ ପ୍ରତିଷ୍ଠାନ ତଥା ବିଏଡ୍‌ କଲେଜରେ ସହକାରୀ ପ୍ରଫେସର(ଶିକ୍ଷକ ଶିକ୍ଷା) ନିଯୁକ୍ତି ପାଇଁ ୨୦୨୧-୨୨ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବିଜ୍ଞପ୍ତି ଅନୁସାରେ ମଧ୍ୟ ମାଷ୍ଟର୍ସ ଡିଗ୍ରି କିମ୍ବା ଦୁଇଟି ମାଷ୍ଟର୍ସ ଡିଗ୍ରିଧାରି ସହକାରୀ ପ୍ରଫେସର ପଦ ପାଇଁ ଆବେଦନ କରିପାରିବେ ଯଦି ଏନ୍‌ସିଟିଇ ନିୟମାବଳୀ ତାହା ଚାହୁଁଥାଏ ବୋଲି ଉଲ୍ଲେଖ ଥିଲା। ହେଲେ ଏନ୍‌ସିଟିଇ ଗାଇଡ୍‌ଲାଇନ୍‌ ଅନୁସାରେ ଯୋଗ୍ୟତା ମାନଦଣ୍ଡ ନଥିବା ୨୪ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଓପିଏସ୍‌ସି ସୁପାରିସ କରିଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରାର୍ଥୀମାନେ ନିଯୁକ୍ତି ମଧ୍ୟ ପାଇଥିଲେ। ଏହି ପଦବି ପାଇଁ ଏମ୍‌ଏଡ୍ ମାନଦଣ୍ଡ ବାଧ୍ୟତାମୂଳକ ଥିବା ବେଳେ ଏପରି ସର୍ତ୍ତପୂରଣ କରୁ ନଥିବା ପ୍ରାର୍ଥୀଙ୍କୁ କେଉଁ ପରିସ୍ଥିତିରେ ନିଯୁକ୍ତି ପ୍ରଦାନ କରାଗଲା ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଆବେଦନକାରୀ ଏପରି ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀ ନ ଥିବା ବେଳେ ନିଯୁକ୍ତି ସଂସ୍କାରକ ଭାବେ ମାମଲା ରୁଜୁ କରିଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ମାର୍ଚ୍ଚ ୪ରେ ତାଙ୍କ ଆବେଦନ ଖାରଜ କରିଥିଲେ। ଏହି ରାୟକୁ ବିରୋଧ କରି ଶ୍ରୀ ମିଶ୍ର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୌରଭ ଦାସ ମାମଲା ପରିଚାଳନା କରୁଛନ୍ତି।

OPSC | Orissa High Court | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe