ଘୁ.ଉଦୟଗିରି: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରତ ନର୍ସିଂ କର୍ମଚାରୀମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ବୁଧବାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଛି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଦିନ ରୋଗୀ ସେବା ପ୍ରଭାବିତ ହୋଇଛି। ଦୁଗର୍ମ ଅଞ୍ଚଳରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିବା ରୋଗୀମାନେ ବହୁ ଅସୁବିଧାର ସାମ୍ନା କରିଛନ୍ତି। ଏଥି ସହିତ ଖର୍ଚ୍ଚାନ୍ତ ମଧ୍ୟ ହୋଇଛନ୍ତି।
ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ନର୍ସିଂ କର୍ମଚାରୀମାନେ ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଏହି ଆନ୍ଦୋଳନ ପୂର୍ବରୁ ଚେତାବନୀ ଦେଇଛନ୍ତି।
ଅଗଷ୍ଟ ମାସରୁ ଏସ୍ମା ଲାଗୁ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡା. ଆର୍ତ୍ତବନ୍ଧୁ ନାୟକ ସବୁ ସିଡିଏମ୍ଓ, ମେଡିକାଲ କଲେଜର ଅଧ୍ୟକ୍ଷ ଓ ଆଚାର୍ଯ୍ୟ ହରିହର, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ରାଉରକେଲାକୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କହିଛନ୍ତି।
ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ ହୋଇଛି। ଏହା ୬ମାସ ପାଇଁ ବଳବତ୍ତର ରହିବ। ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦେଶ ଦେଇଛି। କେବଳ ସେତିକି ନୁହେଁ, କେଉଁ ନର୍ସିଂ ଅଫିସରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେମାନଙ୍କ ସଂପର୍କରେ ନିର୍ଦ୍ଦେଶାଳୟକୁ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।
Follow Us