Nabarangpur girl Samikshya Photograph: (sambad.in )
ନବରଙ୍ଗପୁର: ଜାପାନର ହାଇସ୍କୁଲ ବିଜ୍ଞାନ କାର୍ଯ୍ୟକ୍ରମ ‘ସାକୁରା’ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି ନବରଗଂପୁର ଜିଲ୍ଲାର ମେଧାବୀ ଛାତ୍ରୀ ସମୀକ୍ଷା ମାଳି। ଆସନ୍ତା ଜୁନ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ସେ ଓଡିଶାର ପ୍ରତିନିଧିତ୍ବ କରିବେ। ଏ ସମ୍ପର୍କରେ ଓସେପା ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ନିକଟକୁ ଆସିଥିବା ଚିଠି (ନଂ.୫୭୨୭) ମାଧ୍ୟମରେ ଏହି ସୂଚନା ଦିଆଯାଇଛିI ସମୀକ୍ଷାଙ୍କ ସହ ଭୁବନେଶ୍ୱରସ୍ଥିତ ବିଜେବି କଲେଜର ଉଭିଦ ବିଜ୍ଞାନ ଅଧ୍ୟାପିକା ନୀହାରିକା ସାହୁ ଯିବେ ବୋଲି ଜଣାପଡ଼ିଛି।
ଜାପାନର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରତି ଯୁବଗୋଷ୍ଠୀଙ୍କୁ ଧାରଣା ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ପ୍ରକାଶଯୋଗ୍ୟ, ସମୀକ୍ଷା ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲରେ ପଢୁଥିଲେ। ୨୦୨୪ ପରୀକ୍ଷାରେ ୬୦୦ରୁ ୫୬୭ମାଟ୍ରିକ୍ ୯୪.୫ ପ୍ରତିଶତ ରଖି ଜିଲ୍ଲା ଟପର୍ ହୋଇଥିଲେ। ସେହିବର୍ଷ ମେଧାବୀ ଛାତ୍ରୀ ଭାବେ ସମୀକ୍ଷା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭାବେ ୫୦ ହଜାର ଟଙ୍କା ପାଇଥିଲେ। ବର୍ତ୍ତମାନ ସମୀକ୍ଷା କର୍ଜମାଳ ସରକାରୀ ଏସ୍ଏସ୍ଡି ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ର ବିଜ୍ଞାନ ଛାତ୍ରୀ। ତାଙ୍କ ବାପା କର୍ଚ୍ଚାମାଳ ସରକାରୀ ଏସ୍ଏସ୍ଡି ମାଧ୍ୟମିକ ବିଦ୍ୟାଳୟର ରସାୟନ ବିଜ୍ଞାନ ଶିକ୍ଷକ ତ୍ରିପାତି ମାଳି ଓ ମାଆ ବାସତି ମାଳି। ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।
ଜାପାନର ସର୍ବୋତ୍ତମ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା ଦେଖିତବା ଓ ଉତ୍କୃଷ୍ଟ ବୈଜ୍ଞାନିକଙ୍କୁ ଭେଟିବାର ସୁଯୋଗ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଉନ୍ନତ ଜ୍ଞାନକୌଶଳ ଓ ବିଜ୍ଞାନ, ସଂସ୍କୃତି ତଥା ଭାବର ଆଦାନପ୍ରଦାନ କରାଯାଇଥାଏ।
ଜାପାନ ଗସ୍ତରେ ଯାଉଥିବାରୁ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମୀକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ପ୍ରମୁଖ ଉପସ୍ଥିତ ଥିଲେ।
Nabarangpur
Follow Us