ଜମ୍ମୁ କଶ୍ମୀର ବୁଲି ଯାଇଥିଲେ ଓଡ଼ିଆ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ

ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Odia tourist killeda

Photograph: (sambad.in)

ବାଲେଶ୍ବର: ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି। 

ବାଲେଶ୍ବର ସିପେଟ୍‌ରେ ପ୍ରଶାନ୍ତ ଶତପଥୀ ଆକାଉଣ୍ଟାଣ୍ଟ ଅଛନ୍ତି। ଗ୍ରୀଷ୍ମଋତୁରେ ଜମ୍ମୁ କଶ୍ମୀର ଅନୁଭୂତି ନେବା ପାଇଁ ସେ ଗତ ୧୯ ତାରିଖ ଦିନ ଘରୁ ବାହାରିଥିଲେ। ସାଥୀରେ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜକୁ ନେଇଥିଲେ। 

ଆତଙ୍କବାଦୀଙ୍କ ଆକ୍ରମଣ ନେଇ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଛନ୍ତି, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କର ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ। ମୋ ସ୍ବାମୀଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ। ମୋର ମୋବାଇଲ ନମ୍ବର ନେଇଛନ୍ତି।  

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପୁଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଏହି ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଛି। ଆତଙ୍କବାଦୀମାନେ ୪୦ରୁ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଆକ୍ରମଣ ଘଟଣା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଯାଞ୍ଚ କରୁଛି। ଏହି ଅଭାବନୀୟ ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେଉଁ ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। 

terror attacks | Jammu & Kashmir | Baleswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe