Odisha assembly Photograph: (sambad.in)
ଭୁବନେଶ୍ବର: ଗୃହ କାର୍ଯ୍ୟ ଜାରି ଥିବା ବେଳେ ପୋଡ଼ିୟମ ତଳେ ବିରୋଧ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ବିଧାୟକ ଆଗାମୀ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ସଦସ୍ୟମାନେ ନିଲମ୍ବିତ ହୋଇଛନ୍ତି, ସେମାନେ ଗୃହରୁ ଚାଲିଯାଆନ୍ତୁ। ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ କଂଗ୍ରେସ ବିଧାୟକମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି।
ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିଧାୟିକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ଆଚରଣ ଓ ଉଚ୍ଚାରଣ ଆମେ ପସନ୍ଦ କରୁନାହୁଁ। କିନ୍ତୁ ଆପଣ ଯାହା କଂଗ୍ରେସ ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଲେ ଏହା ଶୋଭନୀୟ ନୁହେଁ। ବିରୋଧୀ ଦଳର କଣ୍ଠରୋଧ କରୁଛନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଆଲୋଚନାକୁ ଡାକନ୍ତୁ। ନିଷ୍ପତ୍ତିର ପୁନଃ ବିଚାର କରନ୍ତୁ।
ଏହି ଖବର ପଢ଼ନ୍ତୁ: ତାରା-ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ବିଧାୟକ ବିଧାନସଭାରୁ ନିଲମ୍ବିତ
ସେହିପରି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ବାତାବରଣ ଯାହା ସୃଷ୍ଟି ହୋଇଛି, ତାକୁ ଦୃଢ଼ ନିନ୍ଦା କରୁଛୁ । ସେମାନେ ଯେଉଁ ଆଲୋଚନା ପାଇଁ ପ୍ରଥମ ଦିନରୁ ଦାବି କରିଛନ୍ତି ତାହା ହୋଇଥିଲେ ଆପଣ ଅସୁବିଧାରେ ପଡ଼ିନଥାନ୍ତେ। ତେଣୁ ଅନୁରୋଧ କରୁଛୁ ଯେ, ଆଲୋଚନା କରନ୍ତୁ। ନିଷ୍ପତ୍ତି ଯାହା ନେଇଛନ୍ତି ଏହା ଅଧିକ। ବିରୋଧୀ ନ ରହିଲେ ଗୃହ କେମିତି ଚାଲିବ। ମୁଖ୍ୟମନ୍ତ୍ରୀଙ୍କୁ ଡାକନ୍ତୁ ଓ ଆଲୋଚନା କରନ୍ତୁ। ସାମାନ୍ୟ ଘଟଣା ପାଇଁ ଫାଶୀ ଦଣ୍ଡ ଦିଅନ୍ତୁ ନାହିଁ।
ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଏହି ଘଟଣା ଇତିହାସ ହୋଇ ରହିବ। ବରଦାସ୍ତ କରିବୁନି। ଭୟ କରୁନୁ। ଲଢ଼େଇ କରିବୁ। ପିସିସି ସଭାପତି, ନେତା ଯାହା ନିଷ୍ପତ୍ତି ନେବେ କରିବୁ। ଆମ ଆଚରଣ ଯଦି ଅଶୋଭନୀୟ, ଗତ ୫ ବର୍ଷରେ କଣ କରିଥିଲେ। ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବୁ। ଜୋରଦାର ଲଢ଼େଇ କରିବୁ।
-ତାରା ପ୍ରସାଦ ବାହିନୀପତି, ଜୟପୁର ବିଧାୟକ
ପଏଣ୍ଟ ଅଫ୍ ଜରିଆରେ ବିଜେପି ବିଧାୟକ ଇରାସିସ ଆଚାର୍ଯ୍ୟ କହିଛନ୍ତି, ବାଚସ୍ପତି ଅନେକ ବାର ବୈଠକ ଡାକି ଆଲୋଚନା କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ତେଣୁ ଗୃହ କାର୍ଯ୍ୟରେ ସେମାନେ ବିରୋଧ କରିବା ଉଚିତ୍ ନୁହେଁ। ବିଧାୟକ ସନାତନ ବିଜୁଳିଙ୍କ ଅନୁସାରେ ବିଧାନସଭାର ପବିତ୍ର ଗୃହ ହେଉଛି ପବିତ୍ର ମନ୍ଦିର। ସମସ୍ତେ ଚାହାନ୍ତି ଗୃହ ଚାଲୁ। କିନ୍ତୁ କଂଗ୍ରେସର ବିଧାୟକମାନଙ୍କ ପାଇଁ ଗୃହରେ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ଦ୍ୱାରା ଗୃହ ଚାଲି ପାରୁ ନାହିଁ। ବାଚସ୍ପତି ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ ଓ ନୀତି ନିୟମ ଅନୁଯାୟୀ ହୋଇଛି।
politics | BJD
Follow Us