ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ପ୍ରସଙ୍ଗରେ ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ I
ଗଣମାଧ୍ୟମରେ ଖବର ପରେ ଘଟଣାର ୩ ଦିନ ପରେ ତତ୍ପର ହୋଇଛି ଓଡ଼ିଶା ପୁଲିସ। ଘଟଣାକୁ ଗୁରୁତର ସହିତ ନିଆଯାଇଛି ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି। ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଓଡ଼ିଶା ପୁଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହିତ ଯୋଗାଯୋଗରେ ଅଛି। ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା ଉପରେ ବି ନଜର ରଖାଯାଇଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଲାଗି ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଇଛି I
ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥଇଷ୍ଟରେ ଥିବା ସରାଇ କଲେ ଖାନ ଫ୍ଲାଏ ଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଜଣେ ଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା I ସେ ପ୍ରାୟ ୧ ବର୍ଷ ହେବ ଦିଲ୍ଲୀରେ ରହି ଆସୁଥିଲେ I ଗତ ୧ ମାସ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଏକ ମିସିଙ୍ଗ କେସ ମଧ୍ୟ ଦିଆଯାଇଥିଲା I ଏହି ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ନେଇ ଛାନଭିନ କରୁଛି ଦିଲ୍ଲୀ ପୁଲିସ I ଏନେଇ ବିଏନଏସର ଦଫା ୭୦(୧)ରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରାଯାଉଛି I ଘଟଣା ପୂର୍ବରୁ ଦୁଇଦିନ ସେ ଏକ ଏଟିଏମ୍ ପାଖରେ ରାତି କଟାଇଥିବା ପୁଲିସ ସୂତ୍ରରୁ ଖବର ମିଳିଛିI ସେ ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣା ପଡ଼ିଛିI ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।
Follow Us