ବାଙ୍କୀ, (ଅନନ୍ତ ପଟ୍ଟନାୟକ): ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩ ବର୍ଷ ହୋଇଗଲାଣି ପରିତ୍ୟକ୍ତ ଶୌଚାଳୟ ଘରେ ବିତୁଛି ବୃଦ୍ଧଙ୍କ ଜୀବନ। କଟକଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତର ବିଲି ତେନ୍ତୁଳିଆ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗାଁର ମୁରଲୀ ସାମଲ ଆଜିକୁ ୩ବର୍ଷ ହୋଇଗଲାଣି ଗାଁ ମୁଣ୍ଡରେ ଥିବା ସରକାରୀ ବିଦ୍ୟାଳୟର ଏକ ପରିତ୍ୟକ୍ତ ଶୌଚାଳୟ ଘରେ ଜୀବନ ଅତିବାହିତ କରୁଛନ୍ତି।ମୁରଲୀଙ୍କୁ ୬୫ବର୍ଷ ବୟସ ଅତିକ୍ରାନ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେ ଭତ୍ତା କିମ୍ବା ରାସନ ଭଳି ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ବିଦ୍ୟାଳୟରୁ ମିଳୁଥିବା ମଧ୍ୟାହ୍ନ ଭୋଜନ ଖାଇ ସେ ଦିନଯାକର ଭୋକ ମେଣ୍ଟାଉଛନ୍ତି। ଆଉ ଯେଉଁଦିନ ବିଦ୍ୟାଳୟ ଛୁଟି ରହୁଛି ସେହିଦିନ ମୁରଲୀ କେବେ ଭୋକ ଉପାସରେ ରହିଯାଉଛନ୍ତି ତ ଗାଁର କୌଣସି ଲୋକଙ୍କ ଦୟାରେ ସେଦିନର ଖାଇବା ଗଣ୍ଡାକ ମିଳିଯାଏ।ଏହି ବୃଦ୍ଧ ଜଣଙ୍କ ଏଭଳି ଦୟନୀୟ ଅବସ୍ଥାରେ ଚଳୁଥିବା ଗ୍ରାମବାସୀ କହିଛନ୍ତି। ଖରା ବର୍ଷା ଶୀତ କାକରରେ ସେହି ଭଙ୍ଗା ଦଦରା ଶୌଚାଳୟ ଘରେ ମୁରଲୀଙ୍କ ଜୀବନ କଟୁଛି।
ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ମୁରଲୀ
ଏହି ଗାଁରେ ଜନ୍ମଗ୍ରହଣ କରିଥିବା ମୁରଲୀ ୨୩ ବର୍ଷ ବୟସରେ ହିଁ ନିଜ ଭିଟାମାଟିକୁ ବିକ୍ରିକରିଦେଇ ସନ୍ୟାସୀ ଜୀବନ ଅତିବାହିତ କରିବା ପାଇଁ ବାହାରକୁ ଚାଲି ଯାଇଥିଲେ। ଦୀର୍ଘ ୪୦ ବର୍ଷ ପରେ ପୁଣିଥରେ ସେ ଏହି ଗାଁକୁ ଫେରିଛନ୍ତି। କିନ୍ତୁ ନିଜର ସମ୍ବଳ ସ୍ୱରୂପ ବାସସ୍ଥାନକୁ ପୂର୍ବରୁ ବିକ୍ରି କରିଦେଇଥିବାରୁ ଏବେ ମୁଣ୍ଡ ଗୁଞ୍ଜିବା ପାଇଁ ଏହି ପରିତ୍ୟକ୍ତ ଶୌଚାଳୟ ହିଁ ତାଙ୍କର ସାହାରା ପାଲଟିଛି। ସେପଟେ ବୟସର ଅପରାହ୍ନରେ ମୁରଲୀ ବେସାହାରା ହୋଇପଡିଥିବା ବେଳେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି।
ଅନେକ ଅଭିଯୋଗ ପରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀ ମାନେ ମୁରଲୀଙ୍କ ନିକଟରେ ପଂହଁଚିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଏହି ଚିତ୍ର ହିଁ ସ୍ପଷ୍ଟ ବୟାନ କରୁଛି ଯେ ସତେ ଯେପରି ସରକାରୀ ଯୋଜନା ବୃଦ୍ଧ ମୁରଲୀ ସାମଲଙ୍କ ପାଇଁ ଉପହାସ ପାଲଟି ଯାଇଛି।ଏ ସଂକ୍ରାନ୍ତରେ ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଏହି ବୃଦ୍ଧଙ୍କ ବିଷୟରେ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ସେ ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଯଥା ସମ୍ଭବ ହୋଇପାରିବ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି।
ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/12/untitled-2025-12-12-09-03-39.png)