ଓଏମ୍‌ବିଆର୍‌ଆଇସିରେ ଏନ୍‌ଆଇଟି ରଣନୈତିକ ଅଂଶୀଦାର

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ନୋଲୋଜି ଗବେଷଣା ଏବଂ ନବସୃଜନ କରିଡର୍‌’ର ଶୁଭାରମ୍ଭ କରିଛନ୍ତି। ଏଥିରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ସମେତ ରାଜ୍ୟର ୬ଟି ଉଚ୍ଚ ଶିକ୍ଷାନୁଷ୍ଠାନ ରଣନୈତିକ ଅଂଶୀଦାର ହୋଇଛନ୍ତି।

rkl
ରାଉରକେଲା: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ନୋଲୋଜି ଗବେଷଣା ଏବଂ ନବସୃଜନ କରିଡର୍‌’ (ଓଏମ୍‌ବିଆର୍‌ଆଇସି)ର ଶୁଭାରମ୍ଭ କରିଛନ୍ତି। ଏଥିରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ସମେତ ରାଜ୍ୟର ୬ଟି ଉଚ୍ଚ ଶିକ୍ଷାନୁଷ୍ଠାନ ରଣନୈତିକ ଅଂଶୀଦାର ହୋଇଛନ୍ତି। ଏନ୍‌ଆଇଟି ବ୍ୟତିତ ଅନ୍ୟ ୫ଟି ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା-ଆଇଆଇଟି ଭୁବନେଶ୍ବର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ ବାଲେଶ୍ବର ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌ (ଆଇଏଲ୍‌ଏସ୍‌) ଭୁବନେଶ୍ବର। ଓଡ଼ିଶାକୁ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଗବେଷଣା, ନବସୃଜନ ଓ ସମୁଦ୍ର ସମ୍ପଦର ସ୍ଥାୟୀ ବ୍ୟବହାର ପାଇଁ ଏକ ଜାତୀୟ କେନ୍ଦ୍ର ଭାବରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ଏନେଇ ଏନ୍‌ଆଇଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଏନ୍‌ଆଇଟିର କୁଳସଚିବ ପ୍ରଫେସର ରୋହନ ଧିମାନ, ପ୍ରକଳ୍ପ ସଂଯୋଜକ ପ୍ରଫେସର ସୁରଜିତ ଦାସ ସ୍ୱାକ୍ଷର କରିଥିଲେ। ଏନ୍‌ଆଇଟି ଉନ୍ନତ ସାମୁଦ୍ରିକ ସୂକ୍ଷ୍ମଜୀବ ବିଜ୍ଞାନ ଗବେଷଣା ଉପରେ ଧ୍ୟାନ ଦେବ। ବିଶେଷକରି ବଙ୍ଗୋପସାଗରର ଓଡ଼ିଶା ଉପକୂଳବର୍ତ୍ତୀ ସ୍ଥାନ ଓ ଗରାଣି (ମାଙ୍ଗ୍ରୋଭ୍) ପରିବେଶ ସମେତ ବିଭିନ୍ନ ଇକୋସିଷ୍ଟମରୁ ସାମୁଦ୍ରିକ ଜୀବାଣୁ ବିବିଧତାର ଅଣୁଜୀବ ସମ୍ପ୍ରଦାୟ ବିଶ୍ଲେଷଣ ସହ ଚିହ୍ନଟ କରିବ।

ଏହାସହ ସୂକ୍ଷ୍ମଜୀବ ଚାଷ, ଔଷଧ ଓ ଶିଳ୍ପ ପ୍ରୟୋଗ ସହିତ ନୂତନ ଜୈବ ସକ୍ରିୟ ଯୌଗିକ ପାଇଁ ସାମୁଦ୍ରିକ ମାଇକ୍ରୋବାୟମ୍ ଆଇସୋଲେଟ୍‌ଗୁଡ଼ିକର ସ୍କ୍ରିନିଂ ଆଦି ସଂପାଦନ କରିବ।

ଏନେଇ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, ଓଏମ୍‌ବିଆର୍‌ଆଇସିରେ ସହଭାଗୀ ହେବା ନିଶ୍ଚିତଭାବେ ଗୌରବର ବିଷୟ। ଏହି ପଦକ୍ଷେପ ଆମର ସାମୁଦ୍ରିକ ଜୈବ ସମ୍ବଳର ମ୍ୟାପିଂ ଓ ତଦାରଖ, ଦକ୍ଷ ମାନବ ସମ୍ବଳକୁ ତାଲିମ, ଦୃଢ଼ ଆଞ୍ଚଳିକ ଓ ଶିଳ୍ପ ନେଟୱାର୍କ ମାଧ୍ୟମରେ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଉଦ୍ୟୋଗ ଏବଂ ଗବେଷଣାକୁ ସମର୍ଥନ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଗବେଷକମାନେ ସାମୁଦ୍ରିକ-ବିବିଧତା ଆବିଷ୍କାର କରିବାସହ ବିଶ୍ଳେଷଣ ଓ ନୂତନ ସାମୁଦ୍ରିକ ଅଣୁଜୀବ ଚାଷରେ ଯୋଗଦାନ ଦେଇପାରିବେ ବୋଲି କହିଛନ୍ତି।
NIT Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe