ବାଇକ ଦୁର୍ଘଟଣାରେ ଜଣେ ମୃତ, ତିନି ଜଣ ଗୁରୁତର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡ଼ା ବିଦ୍ୟାଳୟ ସମ୍ମୁଖରେ ଆଜି ଦିନ ପ୍ରାୟ ୩ଟାରେ ଏକ ବାଇକ ବିଦ୍ୟୁତ୍ ପୋଲରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Accident

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡ଼ା ବିଦ୍ୟାଳୟ ସମ୍ମୁଖରେ ଆଜି ଦିନ ପ୍ରାୟ ୩ଟାରେ ଏକ ବାଇକ ବିଦ୍ୟୁତ୍ ପୋଲରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉମରକୋଟ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତ ବ୍ୟକ୍ତି ଜଣକ ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁବିଆ ଗ୍ରାମର ଦାମୁଧର ଭତରା (୫୦) ବୋଲି ଜଣା ପଡିଛି।

ଉମରକୋଟ ବ୍ଲକ ଦୂବିଆ ଗ୍ରାମ ର ଦାମୁଧର ଭତରା (୫୦) ନିଜ ଶ୍ଵଶୁର ଘର ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ସିଉନାଗୁଡ଼ା ଗ୍ରାମକୁ ବିବାହ ଉତ୍ସବରେ ଯୋଗ ଦେବାକୁ ନିଜ ସ୍ତ୍ରୀ ଡମାଏ ଭତରା (୪୫) ସହ ଶନିବାର ଦିନ ଆସିଥିଲେ। ଆଜି ତାଙ୍କ ଜ୍ବାଇଁ ସୂର୍ଯ୍ୟ ଭତରା ଏକ ବାଇକ୍‌ରେ ସୀଉନାଗୁଡ଼ା ଆସି ବାଇକ୍‌ରେ ଦୁହିଁଙ୍କୁ ବସାଇ ଦୁବିଆ ଅଭିମୁଖେ ଯାଉଥିଲା। 

ତେବେ ଅପରାହ୍ନ ପ୍ରାୟ ତିନି ଘଣ୍ଟ ସମୟରେ ବାଇକ୍ ଭାରସାମ୍ୟ ହରାଇ ଡ଼ାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡା ସ୍କୁଲ ସମ୍ମୁଖରେ ସିଉନାଗୁଡ଼ା ଗ୍ରାମର ବୟଚାନ୍ଦ ଭତରା (୬୦) ସହ ଧକ୍କା ହୋଇ ରାସ୍ତା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ପୋଲକୁ ଧକ୍କା ଦେଇଥିଲା। ଏଥିରେ ସମସ୍ତେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଦାମୁଧର ଭତରାର ମୁଣ୍ଡରେ ପ୍ରବଳ ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାମୁ ଧରର ସ୍ତ୍ରୀ ଡମାଏ, ଜ୍ବାଇଁ ସୂର୍ଯ୍ୟ ଓ ପଥଚାରୀ ବୟଚାନ୍ଦ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉମରକୋଟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରିଥିଲେ।

ପୁଲିସ ଖବର ପାଇ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହ ମୃତଦେହ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏ ନେଇ ଆଜି ମୃତ ଦାମୁଧର ଭତରା ର ପୁଅ ପଦୁରାମ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛନ୍ତି। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ଅର୍ଚିତଗୁଡା ସ୍କୁଲ ସମ୍ମୁଖ ରାସ୍ତା ଉପରେ ରହିଥିବା ବିଦ୍ୟୁତ୍ ପୋଲ ଯୋଗୁ ପୂର୍ବରୁ ବହୁ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ବିଦ୍ୟୁତ୍ ପୋଲକୁ ରାସ୍ତାରୁ ହଟାଇ ବାକୁ ଦାବି କରିଛନ୍ତି।

 Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe