ଘାଟିରେ ବାଇକ୍‌ ଆରୋହୀ ତିନିଜଣଙ୍କୁ ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି

କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ହାତିଖମ୍ବା ଗାଁ ନିକଟରେ ଥିବା ଭାଗୁଡ଼ି ଘାଟିର ଏକ ବୁଲାଣିରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଯୋଗୁଁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପିଲାଙ୍କ ସମେତ ଜଣେ ମହିଳା ଆହତ ହୋଇଛନ୍ତି।

kolnara

ମୁକୁନ୍ଦପୁର: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ହାତିଖମ୍ବା ଗାଁ ନିକଟରେ ଥିବା ଭାଗୁଡ଼ି ଘାଟିର ଏକ ବୁଲାଣିରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଯୋଗୁଁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପିଲାଙ୍କ ସମେତ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢେ ୭ ଘଣ୍ଟା ସମୟରେ ଏଲ୍.ରାଜୁ ପେଣ୍ଟି ନାମକ ବ୍ୟକ୍ତି ଦୁଇ ଜଣ ପିଲା ଓ ଜଣେ ସ୍ତ୍ରୀ ଲୋକ ସହିତ ମିଶି ପଦ୍ମପୁର ଅଞ୍ଚଳରୁ ଏକ ବାଇକ୍ (ଓଡ଼ି ୧୮ ପି ୯୮୨୦) ଯୋଗେ କୌଣସି କାମରେ ରାୟଗଡ଼ା ଅଭିମୁଖେ ଯାଉଥିବା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର ଭାଗୁଡି ଘାଟିର ଏକ ବୁଲାଣିରେ କୌଣସି ଏକ ଅଜଣା ଗାଡ଼ି ସହିତ ଧକ୍କା ହୋଇଥିଲା।

ଦୁଇ ଜଣ ପିଲା ଓ ଗାଡ଼ିରେ ବସିଥିବା ମହିଳା ଜଣକ ରାସ୍ତାକଡ଼ରେ ପଡ଼ିଯାଇଥିବା ବେଳେ ରାଜୁ ଅଜଣା ଗାଡ଼ିର ଚକା ତଳେ ପଡ଼ି ଯାଇଥିଲେ। ରାଜୁଙ୍କ ମୁଣ୍ଡ ଉପରେ ଚକା ଚଢ଼ି ଯାଇଥିବା ହେତୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ଘଟଣା ସମ୍ପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ଓ କନେଷ୍ଟବଳ ରମାକାନ୍ତ ପାଢ଼ୀ ସଙ୍ଗେସଙ୍ଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ପରେ ମୃତଦେହକୁ ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ ବାଇକକୁ ଧକ୍କା ଦେଇଥିବା ଗାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ ଉକ୍ତ ଗାଡ଼ିର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। 

 Rayagada

ରିପୋର୍ଟ: ନରେନ୍ଦ୍ର ନିଶାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe