ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ
ସ୍ୱର ହୁଅ: ନବୀନ

ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବ ବୋଲି ଡ଼ ସାହୁ କହିଥିଲେ।

Naveen Pattnaik

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବିଧାୟକ ତଥା ଦଳର ଉପସଭାପତି ଡ଼ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବାସୀଙ୍କ ସ୍ୱର ହିସାବରେ ତୀବ୍ର ଲଢ଼େଇ କରିବ। 


ଆଜି ଅପରାହ୍ନରେ ଡ଼ ଅରୁଣ ସାହୁଙ୍କ ସହିତ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ଶ୍ରୀ ଭୃଗୁ ବକ୍ସିପାତ୍ର, ଡ଼ ଲେନିନ ମହାନ୍ତି, ପ୍ରଫୁଲ୍ଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର, ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। 

ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଚାଷୀ ସାର ପାଉନଥିବା ବେଳେ ବ୍ୟାପକ କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ମହିଳା ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

ପ୍ରତ୍ୟେକ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବ ବୋଲି ଡ଼ ସାହୁ କହିଥିଲେ। ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୨୦୨୭ ପଞ୍ଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ବିଜୟ ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe