ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ

କଟକର ଏକ ଘରୋଇ ଡାକ୍ତରଖାନା ନାମରେ ଅଙ୍ଗ ଚୋରି ନେଇ ଅଭିଯୋଗ ଆସିଛି। ଗଣମାଧ୍ୟମରେ ଏନେଇ ଘନଘନ ଖବର ପ୍ରକାଶ ପାଇଲା ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଯୋଗ ଆସିଥିବା ସଂପୃକ୍ତ ଘରୋଇ ଡାକ୍ତରଖାନା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
hospital

ଭୁବନେଶ୍ବର: ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସିଟିରେ ଥିବା କିଛି ଡାକ୍ତରଖାନାରେ ରୋଗୀଙ୍କ ଶରୀରରୁ ଅଙ୍ଗ ଚୋରି ନେଇ ଖବର ଗଣମାଧ୍ୟମରେ ଅନେକ ଥର ଆସିଛି। କିନ୍ତୁ ଓଡ଼ିଶାରେ ଏହି ଭଳି ଖବର ନୂଆ ଲାଗୁଛି। କଟକର ଏକ ଘରୋଇ ଡାକ୍ତରଖାନା ନାମରେ ଅଙ୍ଗ ଚୋରି ନେଇ ଅଭିଯୋଗ ଆସିଛି। ଗଣମାଧ୍ୟମରେ ଏନେଇ ଘନଘନ ଖବର ପ୍ରକାଶ ପାଇଲା ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଯୋଗ ଆସିଥିବା ସଂପୃକ୍ତ ଘରୋଇ ଡାକ୍ତରଖାନା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଅଙ୍ଗ ତସ୍କରୀ ନେଇ ପରିବାର ଲୋକଙ୍କ ପକ୍ଷରୁ କନ୍ଧମାଳ ବାଲିଗୁଡ଼ା ଥାନାରେ ଏତଲା ହେବା ପରେ ସଦର ଥାନା ଅଞ୍ଚଳ ରୁଦ୍ର ହସ୍ପିଟାଲରେ ପୁଲିସ ପହଞ୍ଚିଛି। ପୁଲିସ ଡାକ୍ତରଖାନାର କର୍ମଚାରୀଙ୍କୁ ପଚରାଉଚରା କରିଛି। କିନ୍ତୁ ଅଭିଯୋଗକୁ ରୁଦ୍ର ହସ୍ପିଟାଲର ମ୍ୟାନେଜର ଖଣ୍ଡନ କରିଛନ୍ତି। 

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଲ ଗତ ୧୩ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରକୁ ଆଣିଥିଲେ। ପରେ ବାବୁଲାଙ୍କୁ କଟକସ୍ଥିତ ରୁଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ ରୁଦ୍ର ମେଡିକାଲ ମୋଟା ଟଙ୍କା ବି ନେଇଥିଲା। ଏଠାରେ ପ୍ରଥମେ ଅପରେସନ୍ ସଫଳ ହୋଇଥିବା ନେଇ କୁହାଯାଇଥିଲା। କିନ୍ତୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ, ବାବୁଲାଙ୍କ ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ମୃତଦେହ ନେଇ ଗାଁକୁ ଫେରିଥିଲେ ଏବଂ କବର ଦେଇଥିଲେ। କିନ୍ତୁ ମୃତ୍ୟୁ ନେଇ ତାଙ୍କର ମନରେ ସନ୍ଦେହ ଥିଲା। 

ଏବେ ପରିବାର ଲୋକ ବାବୁଲାଙ୍କ ଶରୀରରୁ ଅଙ୍ଗ ଚୋରି ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତ ବାବୁଲା ଦିଗାଲଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାଙ୍କ ପେଟ କାହିଁକି କଟାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ବାବୁଲାଙ୍କ ମୃତଦେହରୁ କିଡ୍‌ନି ବାହାର କରାଯାଇଥିବା ବି ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୁଲିସ କବର ଖୋଳି ତଦନ୍ତ ଆରମ୍ଭ କରିଛି। 

ବାଲିଗୁଡା ମାଜିଷ୍ଟେଟ ସହକାରୀ କଲେକ୍ଟର ହରେକୃଷ୍ଣ ରାଉତ, ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି, ଯୁଗଳ ନାୟକଙ୍କ ଉପସ୍ଥିତିରେ କବର ଖୋଳି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe