ପାତାଳୀ ଶ୍ରୀକ୍ଷେତ୍ର ସଂପର୍କିତ ମାମଲା: ପକ୍ଷ ରଖିବାକୁ ଦେବୋତ୍ତର କମିସନରଙ୍କୁ ନିର୍ଦ୍ଦେଶ

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବାଘପାଲି ଓ କୋଟସମଲାଇରେ ପାତାଳୀ ଶ୍ରୀକ୍ଷେତ୍ର ଥିବା ନେଇ କୌଣସି ପ୍ରତ୍ନତାତ୍ତ୍ବିକ ପ୍ରମାଣ ନଥିବା ଦର୍ଶାଇ ପ୍ରତ୍ନତାତ୍ତ୍ବିକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟକୁ ନେଇ ଦେଖା ଦେଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି।

Orissa High Court

Orissa High Court Photograph: (sambad.in )

କଟକ: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବାଘପାଲି ଓ କୋଟସମଲାଇରେ ପାତାଳୀ ଶ୍ରୀକ୍ଷେତ୍ର ଥିବା ନେଇ କୌଣସି ପ୍ରତ୍ନତାତ୍ତ୍ବିକ ପ୍ରମାଣ ନଥିବା ଦର୍ଶାଇ ପ୍ରତ୍ନତାତ୍ତ୍ବିକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟକୁ ନେଇ ଦେଖା ଦେଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବାଘପାଲି ଓ କୋଟସମଲାଇ ଯାଇ ଯାଞ୍ଚ ପରେ ‌୨୦୨୪, ନଭେମ୍ବର ୧୬ରେ ଦେଇଥିବା ରିପୋର୍ଟରେ ବାଘପାଲି ଓ କୋଟସମଲାଇରେ ପାତାଳୀ ଶ୍ରୀକ୍ଷେତ୍ର ଥିବା ନେଇ କୌଣସି ପ୍ରତ୍ନତାତ୍ତ୍ବିକ ପ୍ରମାଣ ନଥିବା ଉଲ୍ଲେଖ କରିଥିଲା।

ଏହି ରିପୋର୍ଟରେ ରହିଥିବା ତଥ୍ୟ ଠିକ୍ ବୋଲି ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଦାଖଲ ସତ୍ୟପାଠରେ ସ୍ପଷ୍ଟ କରାଯିବା ପରେ ପାତାଳୀ ଶ୍ରୀକ୍ଷେତ୍ରର ସ୍ଥିତିକୁ ନେଇ ବିବାଦ ନୂଆ ରୂପ ନେଇଛି। ଏହି ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଦେବୋତ୍ତର କମିସନରଙ୍କୁ ପକ୍ଷ ରଖିବାକୁ କହିଛନ୍ତି।

ଧାର୍ମିକ ଅନୁଷ୍ଠାନର ସ୍ଥିତି ନେଇ ପ୍ରଶ୍ନ ରହିଥିବା ବେଳେ ଏହି ମାମଲାରେ ଦେବୋତ୍ତର କମିସନରଙ୍କ ପକ୍ଷ ଶୁଣିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଦେବୋତ୍ତର କମିସନରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ଆବେଦନର କପି ପ୍ରଦାନ ପାଇଁ ହାଇକୋର୍ଟ କହିଛନ୍ତି। ଅକ୍ଟୋବର ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ କେ.ଆର.ମହାପାତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଲୁଣ୍ଡା ଥାନା ଅଞ୍ଚଳର ସନାତନ ଦନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପାତାଳୀ ଶ୍ରୀକ୍ଷେତ୍ର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ। ‌ବାଘପାଲି ଓ କୋଟସମଲାଇରେ ରହିଥିବା ପାହାହପର୍ବତ ଘେରା ଅଞ୍ଚଳରେ ପାତାଳୀ ଶ୍ରୀକ୍ଷେତ୍ର ରହିଛି। ତ୍ରିକୂଟ ପର୍ବତର ଗୁମ୍ଫାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ଼ ଠାକୁର ବଳଭଦ୍ର ପାତାଳୀ ହୋଇ ରହିଥିଲେ ବୋଲି ଲୋକଙ୍କ ବିଶ୍ବାସ ରହିଛି। ପ୍ରକୃତିକ ପରିବେଶରେ ଥିବା ଏହି ଗୁମ୍ଫାରେ ଶ୍ରୀଜିଉ ପାତାଳୀ ହୋଇଥିଲେ ବୋଲି ବିଶ୍ବାସ ରହିଛି। ଏହି ଧାର୍ମିକ ସ୍ଥାନର ପ୍ରତ୍ନତାତ୍ତ୍ବିକ ପ୍ରମାଣ ଯାଞ୍ଚ କରିବାକୁ ଏଏସଆଇ ତରଫରୁ ପୂର୍ବତନ ନିର୍ଦ୍ଦେଶକ ଏକ.କେ.ପଟେଲଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି କମିଟି ବାଘପାଲି ଓ କୋଟସମଲାଇ ଗସ୍ତ କରି ପ୍ରତ୍ନତାତ୍ତ୍ବିକ ପ୍ରମାଣ ସବୁ ଯାଞ୍ଚ କରିଥିଲା। ଗୁମ୍ଫା ପରିଦର୍ଶନ କରିଥିଲା। କମିଟି ଏହାର ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ସଂପୃକ୍ତ ସ୍ଥାନରେ କୌଣସି ପ୍ରତ୍ନତାତ୍ତ୍ବିକ ପ୍ରମାଣ ଦେଖିବାକୁ ମିଳି ନଥିଲା।

ଏଭଳି ରିପୋର୍ଟ ଦ୍ବାରା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଘପାଲି ଓ କୋଟସମଲାଇରେ ପାତାଳୀ ଶ୍ରୀକ୍ଷେତ୍ର ଥିବା ପ୍ରସଂଗର ପୌରାଣିକ କଥା, ବେଦ ଓ ପୁରଣାରେ ରହିଥିବା ତଥ୍ୟ ଆଧାରରେ ଆଉଥରେ ଯାଞ୍ଚ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ନେଇ ଶତାଧିକ ବର୍ଷ ହେବ ଲୋକମାନେ ବିଶ୍ବାସ କରୁଥିବା ବେଳେ କିପିରି ବିଶେଷଜ୍ଞ କମିଟି କୌଣସି ତଥ୍ୟ ପ୍ରମାଣ ପାଇ ପାରିଲା ନାହିଁ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ମାମଲାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ତଥ୍ୟ ପ୍ରମାଣକୁ ଯାଞ୍ଚ କରି ବିଶେଷଜ୍ଞ କମିଟି ରିପୋର୍ଟ ଦାଖଲ କରିଛନ୍ତି। ଲୋକଙ୍କ ବିଶ୍ବାସ ପ୍ରତି ସମ୍ମାନ ରହିଛି। ୭ଜଣିଆ କମିଟି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ବୈଜ୍ଞାନିକ ପରୀକ୍ଷା କରିଥିଲେ। କିନ୍ତୁ କୌଣସି ପ୍ରତ୍ନତାତ୍ତ୍ବିକ ଅବଶେଷ, ପ୍ରଚୀନ କଳାକୃତି, ନିର୍ମାଣ ଅବଶେଷ, ଐତିହାସିକ ଚିହ୍ନ ମିଳି ନଥିଲା। ଏଏସଆଇ ବିଶେଷଜ୍ଞ କମିଟି ରିପୋର୍ଟ ଓ ରାଜ୍ୟ  ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସତ୍ୟପାଠକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

rissa High Court | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe