ନାବାଳିକା ଉଦ୍ଧାର ମାମଲା: ଓଆଇସିଙ୍କ ଉଦାସୀନ ମନୋଭାବ, ହାଇକୋର୍ଟଙ୍କ ଅସନ୍ତୋଷ

ଅପହୃତା ନାବାଳିକାଙ୍କ ଉଦ୍ଧାର ପ୍ରସଂଗରେ କମର୍ଦ୍ଦା ଥାନା ଓଆଇସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବାରୁ ହାଇକୋର୍ଟ ଅସ‌ନ୍ତୋଷବ୍ୟକ୍ତ କରିଛନ୍ତି। ପୀଡ଼ିତାଙ୍କୁ ଉଦ୍ଧାର ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ତଦାରଖ କରିବାକୁ ବାଲେଶ୍ବର ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

minor girl rescue

minor girl rescue Photograph: (sambad.in)

କଟକ: ଅପହୃତା ନାବାଳିକାଙ୍କ ଉଦ୍ଧାର ପ୍ରସଂଗରେ କମର୍ଦ୍ଦା ଥାନା ଓଆଇସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବାରୁ ହାଇକୋର୍ଟ ଅସ‌ନ୍ତୋଷବ୍ୟକ୍ତ କରିଛନ୍ତି। ଏଥି ସହିତ ମାମଲାର ତଦନ୍ତ ଓ ପୀଡ଼ିତାଙ୍କୁ ଉଦ୍ଧାର ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ତଦାରଖ କରିବାକୁ ବାଲେଶ୍ବର ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଏହି ମାମଲାର ଦାୟିତ୍ବ ଅନ୍ୟ ଜଣେ ଦାୟିତ୍ବସଂପନ୍ନ ଅଧିକାରୀଙ୍କୁ ଦେବାକୁ ହାଇକୋର୍ଟ କହିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡ଼ିତାଙ୍କ ମାଙ୍କ ତରଫରୁ ଦାୟର ହେବିୟସ୍ କର୍ପସ୍ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫ ମାର୍ଚ୍ଚ ୨୬ ରାତି ୨ଟାରେ ୧୫ ବର୍ଷିୟା ପୀଡ଼ିତାଙ୍କ ଅପହରଣ କରାଯାଇଥିଲା। ଏ ନେଇ ପରିବାର ତରଫରୁ କମର୍ଦ୍ଦା ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ତଦନ୍ତ ଓ ଅପହୃତାଙ୍କ ଉଦ୍ଧାର ପ୍ରସଂଗରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ଉଦ୍ଧାର ପ୍ରସଂଗ ନେଇ ଦାୟର ହେବିୟସ କର୍ପସ ପିଟିସନର ମେ ୨ରେ ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ କମର୍ଦ୍ଦା ଥାନା ଓଆଇସିଙ୍କ ପକ୍ଷରୁ ଦାଖଲ ତଥ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। ଅଭିଯୁକ୍ତଙ୍କ ଘର ଉପରେ ବିଭିନ୍ନ ସମୟରେ ଚଢାଉ କରାଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ ବୋଲି ଓଆଇସିଙ୍କ ତରଫରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ସଂପର୍କିତ ତଥ୍ୟ କେନ୍ଦ୍ରୀୟ ପୋର୍ଟାଲ ମିସନ ବାତ୍ସଲ୍ୟରେ ଅପ୍‌ଲୋଡ୍ କରିବା ପାଇଁ ଓଆଇସି କୌଣସି ପଦକ୍ଷେପ ନେଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଂଗରେ କୌଣସି ସମ୍ବେଦନଶୀଳତା ପ୍ରଦର୍ଶନ କରାଯାଇ ନଥିଲା। ଓଆଇସିଙ୍କ ଉଦାସୀନ ମନୋଭାବ ଦେଖିବାକୁ ମିଳିଥିଲା। ନାବାଳିକାଙ୍କ ଉଦ୍ଧାର ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ବୋଲି ହାଇକୋର୍ଟ କହିବା ସହିତ ଏହି ମାମଲାର ତଦାରଖ କରିବାକୁ ବାଲେଶ୍ବର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସପନ କୁମାର ପାଲ ମାମଲା ପରିଚାଳନା କରୁଛନ୍ତି।

Cuttack | court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe