‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗୀରର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି।

ବରକାନି(ବଲାଙ୍ଗୀର): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗୀରର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି। ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗିର ଆଉ ଗୋଟିଏ ପାଦ ଆଗକୁ ବଢିଲା। ବଡ କାମ କରିବା ପାଇଁ ହେଲେ ବଡ ଭାବିବାକୁ ପଡେ। ବଲାଙ୍ଗୀର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରି ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି । ଏଠାରେ ଉତ୍ପାଦିତ ହେଉଥିବା ଏଗ୍ ପାଉଡର ବିଶ୍ୱବଜାରକୁ ଯିବ। ଏହି ପ୍ଲାଣ୍ଟ୍ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ।

ସ୍ଥାନୀୟ ଯୁବାଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିବ। ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗୀରର ଆକାଂକ୍ଷୀ ଯୁବବର୍ଗଙ୍କୁ ଏଣ୍ଟ୍ରପ୍ରିନ୍ୟୁଅର ହେବା ପାଇଁ ଏହି ଶିଳ୍ପ ଉତ୍ସାହିତ କରିବ। ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ଉଦ୍ୟମ କରିଥିବାରୁ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଏବଂ ସହଯୋଗୀ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ଅଞ୍ଚଳ ପ୍ରତି ଆସକ୍ତି, ମମତା ଥିବା କାରଣରୁ ସେ ଏହି କାରଖାନାକୁ ସାକାର ରୂପ ଦେଇଛନ୍ତି।  

publive-image

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ସମୟରେ କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରିୟା ସମ୍ପ୍ରସାରଣ ହୋଇପାରୁଛି। ଏହିଭଳି ଭାବରେ ଲୋକାର୍ପିତ ‘ଏଗ୍ ପ୍ରୋସେସିଂ ପ୍ଲାଣ୍ଟ୍’ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି କାରଖାନାରେ ଉତ୍ପାଦନ ହେଉଥିବା ଅଣ୍ଡା ଓ ବିଭିନ୍ନ ଉତ୍ପାଦର ଗୁଣବତ୍ତା ଉଚ୍ଚମାନର। ବଲାଙ୍ଗୀର ଯୁବକମାନେ ବାହାର ରାଜ୍ୟକୁ ରୋଜଗାର ପାଇବା ଆଶାରେ ଯାଉଥିଲେ।

ତେବେ ଆଜିର ଏହି ଓଭୋ ଫାର୍ମ ବଲାଙ୍ଗୀରରେ ରୋଜଗାର ଏବଂ ବିକାଶର ମୂଳଦୁଆ ପକେଇଲା। ଏହି କାରଖାନା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ଅନୁପ୍ରାଣିତ କରିବ। ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ପାଇଁ ବାତାବରଣ ସୃଷ୍ଟି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ଚଳିତଥର ଫିଫାର ମ୍ୟାଚରେ ଓଭୋ ଫାର୍ମ ଅଣ୍ଡାର ବ୍ୟବହାର ହେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

Balangir | Dharmendra Pradhan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe