ଜମିରେ ଲାଗୁଛି ନିଆଁ: ହ୍ରାସ ପାଉଛି ଉର୍ବରତା, ବୃଦ୍ଧି ପାଉଛି ତାପମାତ୍ରା

ଧାନ କଟା ପରେ ବିଲରେ ଥିବା ନଡ଼ା ଓ ଘାସଲଟା ସଫା ହେବା ପାଇଁ ନିଆଁ ଲଗା ଯାଉଛି ବୋଲି ଚାଷୀମାନେ କହୁଥିବା ବେଳେ, ଏନେଇ କୃଷି ବିଶେଷଜ୍ଞ କିନ୍ତୁ ଭିନ୍ନ ମତପୋଷଣ କରିଛନ୍ତି।

ବାଉଁଶୁଣି (ଉମାକାନ୍ତ ମହାକୁଳ): ବୌଦ୍ଧ ଜିଲ୍ଲାରେ ବର୍ଷକୁ ବର୍ଷ ଗ୍ରୀଷ୍ମଋତୁରେ ଉତ୍ତାପ ବୃଦ୍ଧି ପାଇ ଚାଲିଛି। ବର୍ତ୍ତମାନ ୪୪ ଡିଗ୍ରି ତାପମାତ୍ରାରେ ସିଝୁଛନ୍ତି ଲୋକେ। ସକାଳ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି। ବ୍ୟାପକ ଜଙ୍ଗଲ ନଷ୍ଟ କରି ଗଞ୍ଜେଇ ଓ କପା ଚାଷ, ସଦର ବ୍ଲକର ଗୋଛାପଡା ଅଞ୍ଚଳରେ ପାହାଡ଼ ଫଟାଇ ବ୍ୟାପକ କ୍ରସର ସ୍ଥାପନ ଏବଂ ମହାନଦୀର ଶୁଖିଲା ବାଲିପଠା ଯୋଗୁଁ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି ବୋଲି ପରିବେଶବିତ୍‌ ଅନେକ ସମୟରେ ଯୁକ୍ତି ବାଢ଼ନ୍ତି। ଏହାଛଡ଼ା ଗତ କିଛି ବର୍ଷ ହେଲା ଧାନ କଟା ପରେ ଖେତମାନଙ୍କରେ ନିଆଁ ଲଗାଉଥିବାରୁ ଏହା ମଧ୍ୟ ଉତ୍ତାପ ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। 

ଗତ ତିନି ମାସ ହେଲା ଜିଲ୍ଲାର ସବୁ ଅଞ୍ଚଳର ଖେତଗୁଡ଼ିକରେ ନିଆଁ ଲଗା ଯାଉଥିବା ଦେଖିବାକୁ ମିଳୁଛି। ବାଉଁଶୁଣି ଦମକଳ କେନ୍ଦ୍ର ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ଜାନୁଆରି ମାସରୁ ଏପର୍ଯ୍ୟନ୍ତ ୧୪୯ଟି କ୍ଷେତ ନିଆଁ ଲଗେଇବା ଘଟଣା କେବଳ ବାଉଁଶୁଣି ଆଖପାଖ ଅଞ୍ଚଳରେ ଘଟି ସାରିଲାଣି। ବୌଦ୍ଧ ଜିଲ୍ଲାର ଏହି ପରିଗଣନା ଖେତ ନିଆଁ ଲଗେଇବା ଘଟଣାରେ ରାଜ୍ୟର ଶୀର୍ଷ ସ୍ଥାନରେ ରହିଛି ବୋଲି ସ୍ଥାନୀୟ ଦମକଳ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

publive-image

ଅନ୍ୟପକ୍ଷରେ ଏହି ନିଆଁ ବେଳେ ବେଳେ ପାଖ ଗାଁ ପାଇଁ ବିପଦ ଡାକି ଆଣିବା ସଙ୍ଗେ ସଙ୍ଗେ ନିକଟରେ ହୋଇଥିବା ଅନ୍ୟ ଚାଷରେ କ୍ଷତି ପହଞ୍ଚାଇବା ସହିତ ବିଲ ହୁଡ଼ାମାନଙ୍କରେ ହୋଇଥିବା ଡାଲି ଜାତୀୟ ହରଡ଼ ଚାଷକୁ ମଧ୍ୟ ପୋଡି ନଷ୍ଟ କରି ଦେଇଥିବାର ଏଠାରେ ନଜିର ରହିଛି। ଏହାଛଡ଼ା ଏହି ଖେତ ନିଆଁ ଅଞ୍ଚଳରେ ଥିବା ଜଙ୍ଗଲ ସହିତ ରାଜପଥକଡ଼ରେ ଲାଗିଥିବା ଗଛ ଗୁଡ଼ିକୁ ମଧ୍ୟ ଜାଳି ପୋଡି ଦେଉଛି। ଏଥିସହିତ ଅଞ୍ଚଳରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇ ଉତ୍ତାପ ବୃଦ୍ଧିର କାରଣ ସାଜିଥିବା ଅଭିଯୋଗ ହୋଇଛି।

ଧାନ କଟା ପରେ ବିଲରେ ଥିବା ନଡ଼ା ଓ ଘାସଲଟା ସଫା ହେବା ପାଇଁ ନିଆଁ ଲଗା ଯାଉଛି ବୋଲି ଚାଷୀମାନେ କହୁଥିବା ବେଳେ, ଏନେଇ କୃଷି ବିଶେଷଜ୍ଞ କିନ୍ତୁ ଭିନ୍ନ ମତପୋଷଣ କରିଛନ୍ତି। ବିଲରେ ନିଆଁ ଲଗେଇବା ଦ୍ୱାରା ଚାଷ ପାଇଁ ଉପଯୋଗି ପୋକଜୋକ ପୋଡି ମରିଯିବା ସଙ୍ଗେ ସଙ୍ଗେ ଜମିର ଉର୍ବରତା ମଧ୍ୟ ଅନେକ ପରିମାଣରେ ହ୍ରାସ ପାଉଛି। ଯାହାଫଳରେ ଚାଷରେ ଉତ୍କୃଷ୍ଟତା ଆଣିବା ପାଇଁ ବହୁ ମାତ୍ରାରେ ରାସାନିୟକ ସାରର ଆବଶ୍ୟକତା ପଡୁଛି। ଏହି କ୍ଷେତ ନିଆଁ କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ପରିବେଶ ପାଇଁ ଆଗାମୀ ଦିନରେ ଭୟଙ୍କର ବିପଦ ଆଣିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ଯେଉଁଭଳି ସଚେତନତା କରୁଛି ସେହିଭଳି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଲମାନଙ୍କରେ ନିଆଁ ନଲଗାଇବା ପାଇଁ ସଚେତନତା କରିବା ଜରୁରୀ ହୋଇ ପଡ଼ିଛି।

Farmers | temperature | Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe