ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୁଲିସ | ଗତକାଲି ତାଙ୍କୁ ବିଳମ୍ବିତ ରାତିରେ ଛାଡ଼ିଥିବା ସୂଚନା ରହିଛି | ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ| ତଦନ୍ତରେ ସହଯୋଗ କରୁଥିବା କହୁଛି ପୁଲିସ | ବିକ୍ରମଙ୍କ ଆର୍ଥିକ କାରବାର ନେଇ ଜେରା କରିଥିବା ସୂଚନା ରହିଛି।

Advertisment

ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌, ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାସ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ପୀତବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁକୁ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଦର୍ଶାଇଛି। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ହତ୍ୟା ଷଡ୍‌ଯନ୍ତ୍ର ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଭୂମିକା ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି। ପୀତବାସଙ୍କୁ ହତ୍ୟା କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ହିଞ୍ଜିଳିର ବିପିନ ସ୍ବାଇଁ ବିହାରୀ ସାର୍ପସୁଟର୍‌ ଶିଶୁପାଳ କୁମାର ପାଶ୍‌ୱାନ ଓ କୁନ୍ଦନ କୁମାରଙ୍କୁ ଯୋଗାଡ଼ କରିଥିଲା। ସେମାନେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳର ଶୂନ୍ୟ ଦାସଙ୍କ ଘରେ ଭଡ଼ାରେ ରହିଥିଲେ। ହିଞ୍ଜିଳିର ବିପିନ ଓ ବଡ଼ଗଡ଼ର ସୀମାଞ୍ଚଳ ନାୟକ ଏମାନଙ୍କ ସହ ମିଶି ରେକି କରିଥିଲେ। ଦୈନନ୍ଦିନ ପୀତବାସଙ୍କ ଘରୁ କୋର୍ଟ ଓ ସନ୍ଧ୍ୟାରେ ପାର୍କସାହିସ୍ଥିତ ଚାମ୍ବର୍‌ ଯିବାଆସିବା ସମୟକୁ ସେମାନେ ଟ୍ରାକ୍‌ କରି ଉଚିତ ସମୟ ବାଛିଥିଲେ। ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତ ଏମାନଙ୍କୁ ମଳୟ ବିଷୋୟୀଙ୍କ ସହଯୋଗରେ ଅଳକାପୁରୀର ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିବା ବ୍ୟବସ୍ଥା କରିଥିଲେ। 

ଆହୁରି ପଢ଼ନ୍ତୁ: New Rule Of Bmc: ବିଏମସିର ନୂଆ ନିୟମ: ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ

ବିହାରୀ ସାର୍ପସୁଟର୍‌ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ ଉମା ନିଜ ଗାଁ କୁକୁଡ଼ାଖଣ୍ଡି ବ୍ଲକ୍‌ ବନ୍ଥପଲ୍ଲୀରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଡକାଇଥିଲା। ବେଙ୍ଗାଲୁରୁରୁ ଚିଣ୍ଟୁ ବସ୍‌ ଯୋଗେ ଆସି ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲା ବେଳେ କୁରୁପତି ବନ୍ଥପଲ୍ଲୀରୁ ଆସି ପହଞ୍ଚିଥିଲା। ଯୋଗୀ ଓ ଉମା ସେମାନଙ୍କୁ ପୀତବାସଙ୍କ ଘର ପାଖରେ ମେସ୍‌ କରି ରହିବା ପାଇଁ ଉଦ୍ଦିଷ୍ଟ ଭଡ଼ାଘରେ ରଖାଇଥିଲେ। 

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନିଲ ହୋତା କୁରୁପତିଙ୍କୁ ନିଜ ଫାର୍ମ ହାଉସ୍‌ରେ ଆଶ୍ରୟ ଦେଇଥିଲେ

ଅକ୍ଟୋବର ୬ ତାରିଖ ରାତି ୧୦ଟା ବେଳେ ଚିଣ୍ଟୁ ଓ କୁରୁପତି ଏକ ବାଇକ୍‌ରେ ପୀତବାସଙ୍କ ଘର ପାଖ ବୈକୁଣ୍ଠନଗର ପ୍ରଥମ ଗଳିରେ ଅପେକ୍ଷା କରିଥିଲେ। ପୀତବାସ ପହଞ୍ଚିବା କ୍ଷଣି କୁରୁପତି ତାଙ୍କୁ ‘ପୀତବାସ ଆଜ୍ଞା କି.. ନମସ୍କାର’ ବୋଲି କହିଥିଲେ। ପ୍ରତି ଉତ୍ତରରେ ପୀତବାସ ‘କିଏ’ ବୋଲି ପଚାରିବାରୁ କୁରୁପତି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ପୀତବାସ ତଳେ ପଡ଼ିଯିବା ପରେ ଉଭୟ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନେ ମାଉସୀମା’ ମନ୍ଦିର, ରେଡିଓ ଷ୍ଟେସନ୍‌, ଲୋଚାପଡ଼ା, ଗୁରୁଣ୍ଡି ଦେଇ ଯାଇ ଶୀତଳାପଲୀରେ ପହଞ୍ଚିବା ପରେ କପଡ଼ା, ହେଲମେଟ୍‌ ଓ ଜୋତା ବଦଳାଇବା ସହ ବ୍ୟବହୃତ ବନ୍ଧୁକକୁ ପୋତିଦେଲେ। ଗାଡ଼ି ନେଇ ପୁରୁଷୋତ୍ତମପୁର ଆଡ଼େ ଯାଇ ରାମେଶ୍ବର ପାଖରେ ଏକ ଚା’ ଦୋକାନରେ ଗାଡ଼ି ରଖି ବସ୍‌ରେ ପୁରୀ ପଳାଇଲେ। ପୁରୀରୁ ଚିଣ୍ଟୁ ଟ୍ରେନ୍‌ରେ ବେଙ୍ଗାଲୁରୁ ଓ କୁରୁପତି କୋରାପୁଟ ଜିଲ୍ଲାର ଜୟପୁରକୁ ଯାଇଥିଲା। ଜୟପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନିଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍‌ରେ ଆଶ୍ରୟ ଦେଇଥିଲେ; ଯାହା ବିକ୍ରମ ମଧ୍ୟ ଜାଣିଥିଲେ। ସୁନିଲଙ୍କ ଫାର୍ମ ହାଉସ୍‌‌ରେ କୁରୁପତି ୪ ଦିନ ରହିବା ପରେ ବାହାର ରାଜ୍ୟକୁ ପଳାଇଥିବା ପୁଲିସ କହିଛି। 

ଆହୁରି ପଢ଼ନ୍ତୁ:Suffer From Cold At Rourkela: ପୁଣି ଜାଡ଼ରେ ଥରିବେ ସ୍ମାର୍ଟସିଟିର ବେସାହାରା!

ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିଧାୟକ ପଦ ରଦ୍ଦ ନେଇ ପିଣ୍ଟୁ ଦାସ ଅନ୍ୟ ଜଣଙ୍କ ମାଧ୍ୟମରେ ନିର୍ବାଚନ ପିଟିସନ୍‌ ଦାୟର କରିଥିଲା ବେଳେ ଏଥିପାଇଁ ବିକ୍ରମ କୋର୍ଟ ଓ ଓକିଲ ଖର୍ଚ୍ଚ ବହନ କରୁଥିଲେ। ମଦନ, ମଳୟ ଏହି କାମ‌ରେ ସହଯୋଗ କରୁଥିଲେ। ବିଧାୟକ ନିର୍ବାଚନ ଅସିଦ୍ଧ ହେଲେ ଉପନିର୍ବାଚନରେ ବିକ୍ରମ ଟିକେଟ୍‌ ପାଇ ଲଢ଼ିବେ ଓ ପିଣ୍ଟୁ ତାଙ୍କୁ ସାହାଯ୍ୟ କରିବେ ବୋଲି ବୁଝାମଣା ହୋଇଥିଲା। ସେହିଭଳି ପିଣ୍ଟୁଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ରଙ୍କୁ ୨୦୧୩ରେ ହତ୍ୟା କରାଯାଇଥିଲା ଏବଂ ପୀତବାସ ଅଭିଯୁକ୍ତମାନଙ୍କୁ ଜାମିନ୍‌ କରାଇବାରେ ସହଯୋଗ କରୁଥିବା ନେଇ ପିଣ୍ଟୁ ସନ୍ଦେହ କରୁଥିଲେ। ଏଣୁ ବିଭିନ୍ନ ଦିଗରୁ ତଦନ୍ତ କରି ଉପଯୁକ୍ତ ପ୍ରମାଣ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚିଣ୍ଟୁ ପ୍ରଧାନ, ଶିଶୁପାଳ କୁମାର ପାଶ୍‌ୱାନ୍‌, କୁନ୍ଦନ କୁମାର, ବିପିନ୍‌ ସ୍ବାଇଁ, ସୀମାଞ୍ଚଳ  ନାଏକ, ଯୋଗେନ୍ଦ୍ର ରାଉତ, ମଳୟ କୁମାର ବିଷୋୟୀ, ମଦନମୋହନ ଦଳାଇ, ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ରାଜେନ୍ଦ୍ର କୁମାର ସାହୁ, କାଳୁ ଚରଣ ଭୂୟାଁ ଓ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ରହିଛନ୍ତି।

Crime