ବାଉଁଶୁଣୀ: ବୌଦ୍ଧ ବ୍ଲକ ବାଉଁଶୁଣୀ ବିଦ୍ୟୁତ ବିଭାଗ ସବଷ୍ଟେସନରୁ ବାଉଁଶୁଣୀ, ଦହ୍ୟା, ଅଁଳାପାଲି, ଗୁନ୍ଦୁଳିଆ ଆଦି ଫିଡ଼ର ମାଧ୍ୟମରେ ଆଖପାଖ ୧୦ଟି ପଞ୍ଚାୟତକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ହେଲେ ଗତ ୪ ଦିନ ହେଲା ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିନା ଘୋଷଣାରେ ଘଣ୍ଟା ଘଣ୍ଟା ଧରି ଦିନ ରାତି ସବୁବେଳେ ଲାଇନ କଟୁଛି। ଗତ ଚାରି ଦିନ ହେଲା ଲଗାତାର ଭାବେ ବିଦ୍ୟୁତ କାଟ ହେଉଛି। ଶନିବାର ସନ୍ଧ୍ୟା ୭ଟାରେ ଦୈନିକ ବଜାର ସାମ୍ନାରେ ଥିବା ଟ୍ରାନ୍ସଫର୍ମରର କେଵଲ ଜଳି ଯିବାରୁ ରାତି ୧ଟାରେ ଲାଇନ ଆସିଥିଲା। ରବିବାର ଦିନବେଳେ ଓ ସନ୍ଧ୍ୟାରେ ପୁଣି ବହୁ ସମୟ ଧରି ଲାଇନ କଟିଥିଲା। ସୋମବାର ଦିନ ତମାମ ପ୍ରାୟ ୫୦ ଥର ଲାଇନ ଯିବା ଆସିବା ଲାଗି ରହିଥିଲା। ରାତି ୧୨ଟାରେ ଯାଇ ସ୍ଥାୟୀ ଭାବେ ଲାଇନ ରହିଥିଲା।
ସେହିପରି ମଙ୍ଗଳବାର ମଧ୍ୟ ଦିନ ୧୧ଟାରୁ ୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଇନ କଟିଥିଲା। ଏଭଳି ବାରମ୍ବାର ଲାଇନ କଟିବା ଦ୍ୱାରା ବିଭିନ୍ନ ଅନୁଷ୍ଠାନରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ପାନୀୟ ଜଳ ଯୋଗାଣରେ ମଧ୍ୟ ବାଧା ଉପୁଜୁଥିବା ନେଇ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେବା କାରଣରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପଭୋକ୍ତା ମହଲରୁ ଦାବି ହେଉଛି।
Boudh
Follow Us