ନକ୍ସଲଙ୍କ ପ୍ରଜାକୋର୍ଟ: ଅପହୃତ ଯବାନଙ୍କ ମୃତ୍ୟୁଦଣ୍ଡ, ପ୍ରେମକୁ ନେଇ ଜନଅଦାଲତ

କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ଜୋରଦାର କୁମ୍ବିଂ ଆରମ୍ଭ କରିଛନ୍ତି। ଅନ୍ୟପଟରେ ନକ୍ସଲମାନେ ପ୍ରଜାକୋର୍ଟରେ ଜଣେ ଯବାନଙ୍କ ମୃତ୍ୟୁ ଓ ପ୍ରେମକୁ ନେଇ ଜନଅଦାଲତ କରିଛନ୍ତି। ଦୁଇ ଘଣ୍ଟାର କାହାଣୀ ଅତି ରମାଞ୍ଚକର ଥିଲା ‌ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Malkangiri

Photo: Premendrara Parichha

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ହଂସା ଦିନକୁ ଦିନ ବଢିବାରେ ଲାଗିଛି। ଏପଟେ ପ୍ରଶାସନ ଓ ସରକାର ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ କରିବା ନେଇ ଜୋରଦାର କମ୍ବିଂ ଆରମ୍ଭ କରିଛନ୍ତି। ତେବେ କିପରି ନକ୍ସଲଙ୍କ ପ୍ରଜାକୋର୍ଟରେ ଜଣେ ଯବାନଙ୍କ ମୃତ୍ୟୁ ଓ ପ୍ରେମକୁ ନେଇ ଚାଲିଥିଲା ଜନଅଦାଲତ ସେହି ଦୁଇ ଘଣ୍ଟାର କାହାଣୀ ଅତି ରମାଞ୍ଚକର ଥିଲା। ଛତିଶଗଡର ବିଜାପୁର ଜିଲ୍ଲାର ନକ୍ସଲ ପ୍ରବଣ ଏରମାନୁର ଗ୍ରାମର ଶଙ୍କର କୁଡିଆମ ବସ୍ତର ଫାଇଟରସରେ ଯବାନ ରହିଛନ୍ତି। ସେ ବୁଡଗା ଗ୍ରାମର ସୁନୀତା ପୋୟାମଙ୍କୁ ପ୍ରେମ କରନ୍ତି। ଏହି ଦୁଇ ଜଣ ଗତ ୪ ବର୍ଷ ଧରି ପ୍ରେମ କରୁଥିଲେ। ସୁନୀତାକୁ ଶଂକର ପାଠ ପଢାରେ ସହଯୋଗ କରିଆସୁଥିଲେ। ସୁନୀତାଙ୍କ ପାଠ ସରିବା ପରେ ସେ ଗାଁରେ ଶିକ୍ଷାଦୂତ ଭାବେ କାମ କରୁଥିଲେ।
ଶଂକର ପ୍ରେମିକାକୁ ସାକ୍ଷାତ କରିବା ପାଇଁ ତାଂକ ଗ୍ରାମ ବୁଡଗା ଯାଇଥିଲେ। ନଦୀତଟରେ ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଗ୍ରାମବାସୀ ଶଂକରକୁ ଧରିଥିଲେ ଏବଂ ନକ୍ସଲଙ୍କୁ ସମର୍ପିତ କରିଥିଲେ। ନକ୍ସଲ ସେମାନଙ୍କୁ ପ୍ରାୟ ୬ ଦିନ ଧରି ଜଂଗଲରେ ବୁଲାଇ ବୁଲାଇ ପଚରାଉଚରା କରୁଥିଲେ। ପରେ ଜଂଗଲରେ ଜନଅଦାଲତ ବସିଲା। ଶଂକରଙ୍କ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ନକ୍ସଲ ଅପହରଣ କରିନେଇଥିବା ସ୍ପଷ୍ଟ ହେବା ପରେ ଜନଅଦାଲତରେ ପହଞ୍ଚିଥିଲେ। ଏପରିକି ପ୍ରେମିକା ସୁନିତା ମଧ୍ୟ ଜନଅଦାଲତରେ ପହଞ୍ଚିଥିଲା। ଅନ୍ୟପଟେ ପୁଲିସ ମଧ୍ୟ ନକ୍ସଲଙ୍କୁ ଯବାନଙ୍କୁ ଛାଡି ଦେବାକୁ ନେହୁରା ହୋଇଥିଲା।
ପ୍ରଜାକୋର୍ଟରେ ଶଂକରକୁ ବସାଇ ଆରମ୍ଭ ହୋଇଥିଲା ଜନଅଦାଲତ। ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇଥିଲେ।ଜଣେ ମାଓ କମାଣ୍ଡର ଯବାନ ଶଂକରଙ୍କର ସମସ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ। ପରେ ଲୋକଙ୍କୁ ଶଂକରକୁ କି ସଜା ଦେବା ବୋଲି ପଚାରିଥିଲେ। ଉପସ୍ଥିତ ଶତାଧିକ ଲୋକ ଶଂକରକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଶେଷ ନିଷ୍ପତ୍ତି ଶୁଣାଇ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଇତି ମଧ୍ୟରେ ଶଂକରର ଭାଇ ଲୋକଙ୍କ ନିକଟରେ ତାକୁ ଛାଡି ଦେବାକୁ ନେହୁରା ହୋଇଥିଲେ।କିନ୍ତୁ ଲୋକେ ମାନିନଥିଲେ। ପରେ ପ୍ରେମିକା ସୁନୀତା ମଧ୍ୟ ନିଜ ଆଦିବାସୀ ଭାଷା ଗଣ୍ଡିରେ ଲୋକଙ୍କୁ ତାଂକର ପ୍ରେମ ସଂପର୍କ ବିଷୟରେ ଅବଗତ କରାଇବା ସହ ଶଂକରର କୌଣସି ଭୁଲ ନଥିବା କହିଥିଲେ।
Malkangiri
ସବୁ ସରିବା ପରେ ମାଓ କମାଣ୍ଡର ସଂଗଠନର ଅନ୍ୟ ନେତାଙ୍କୁ ଏନେଇ ସୂଚନା ଦେବା ପରେ ସମସ୍ତେ ଶଂକର କୌଣସି ଭୁଲ ଦେଖିନଥିଲେ। ସେ କେବଳ ପ୍ରେମିକା ସହ ମିଶିବାକୁ ଆସିଥିଲେ। କୌଣସି ଆଦିବାସୀଙ୍କୁ ସେ ନିର୍ଯାତନା ଦେଇ ନାହାନ୍ତି। ତେବେ ତାଂକୁ ଯଦି ମୃତ୍ୟୁ ଦଣ୍ଡରୁ ମୁକୁଳା ଯାଏ ତେବେ ସେ ଚାକିରି ଛାଡିବାକୁ ବାଧ୍ୟ ବୋଲି ନିର୍ଦେଶ ହୋଇଥିଲା। ଶଂକରର ପରିବାର ଲୋକେ ସେ ଚାକିରି ଛାଡିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପୁଣି ଲୋକଙ୍କୁ ମାଓବାଦୀ ବୁଝାଇଥିଲେ। ମାଓବାଦୀ କାହାକୁ ଅନ୍ୟାୟରେ ହତ୍ୟା କରେ ନାହିଁ। ଯଦି କେବେ କରିଥାଏ ତେବେ ଆମେ କ୍ଷମା ମାଗୁଛୁ ବୋଲି କହିଥିଲେ।
ତେବେ ଶଂକର ମୃତ୍ୟୁ ଏକ ପ୍ରକାର ନିଶ୍ଚିତ ଥିଲା। କାରଣ ଗ୍ରାମବାସୀଙ୍କ ଆଗରେ ମାଓବାଦୀ କିଛି କରିପାରନ୍ତି ନାହିଁ। ସେମାନଙ୍କର ନିଷ୍ପତ୍ତି ଶେଷ ନିଷ୍ପତ୍ତି ହୋଇଥାଏ। ଶଂକର କେବଳ ପ୍ରେମ ପାଇଁ ଏଠାକୁ ଆସିଥିଲେ ବୋଲି ଜାଣିବା ପରେ ତାଂକୁ ଛାଡି ଦିଆଯାଇଥିଲା। ତେବେ ନିଶ୍ଚିତ ମୃତ୍ୟୁର ଦୁଇ ଘଣ୍ଟା ପୁରା ପରିବାରକୁ ସ୍ପବ୍ଧ କରିଥିଲା। ଶେଷରେ ମୃତ୍ୟୁ ହାରିଲା ଓ ପ୍ରେମ ଜିତିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe