ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଏନ୍ ସି ପଣ୍ଡା

ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତମାନ ସିୟୁଓର ସବୁଠାରୁ ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍ ପ୍ରଫେସର ପଣ୍ଡା ଏହି ପଦବିରେ କାର୍ଯ୍ୟ କରିବେ।

Prof NC Panda

Prof. N.C. Panda Assumes Charge as Acting Vice-Chancellor of Central University of Odisha Photograph: (sambad.in)

କୋରାପୁଟ: ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ନରସିଂହ ଚରଣ ପଣ୍ଡା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଦ୍ବାରା ଜାରି ହୋଇଥିବ ଏକ ପତ୍ର କ୍ରମେ ଏବଂ ୨୦୨୫ ମେ’ ୧ ତାରିଖରେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଦ୍ୱାରା ଜାରି ଏକ ସରକାରୀ ଆଦେଶ ପରେ ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତମାନ ସିୟୁଓର ସବୁଠାରୁ ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍ ପ୍ରଫେସର ପଣ୍ଡା ଏହି ପଦବିରେ କାର୍ଯ୍ୟ କରିବେ। କୁଳପତି ପଦରୁ ପ୍ରଫେସର ଚକ୍ରଧର ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ତାଙ୍କ ଇସ୍ତଫାକୁ ଭାରତର ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀ ସେପ୍ଟେମ୍ବର ୨୬, ୨୦୨୨ ରେ ସିୟୁଓରେ କୁଳପତି ଭାବେ ଯୋଗ ଦେଇଥିଲେ।  

ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଥିଲେ, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ୱାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବା। ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧିକାରୀ, କର୍ମଚାରୀ, ଗବେଷକ, ଛାତ୍ରଛାତ୍ରୀ ଓ ସମସ୍ତ ଅଂଶୀଦାରଙ୍କ ଠାରୁ ଆନ୍ତରିକ ସମର୍ଥନ ପାଇଁ ସେ ଆହ୍ୱାନ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।

ପ୍ରଫେସର ପଣ୍ଡା ୨୩ ଜାନୁଆରି ୨୦୨୩ରେ ସଂସ୍କୃତ ବିଭାଗରେ ନିୟମିତ ପ୍ରଫେସର ଭାବେ ସିୟୁଓରେ ଯୋଗ ଦେଇଥିଲେ। ସିୟୁଓରେ ସେ କୁଳପତି ଆଇ/ସି,ରେଜିଷ୍ଟ୍ରାର ଆଇ/ସି,ଫାଇନାନ୍ସ ଅଫିସର ଆଇ/ସି ଏବଂ ଆଇକ୍ୟୁଏସି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ପଞ୍ଜାବର ହୋସିଆରପୁରସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସଂସ୍କୃତ ଓ ଇଣ୍ଡୋଲୋଜିକାଲ ଷ୍ଟଡିଜ୍ ବିଭାଗ ସହ ଜଡ଼ିତ ଥିଲେ। ତାଙ୍କର ଶିକ୍ଷାଗତ ଯାତ୍ରା ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଛି ଏବଂ ଏଥିରେ ସମ୍ମାନଜନକ ଅନ୍ତର୍ଜାତୀୟ କାର୍ଯ୍ୟକାଳ ଅନ୍ତର୍ଭୁକ୍ତ, ଯେପରିକି ଥାଇଲାଣ୍ଡ ର ବ୍ୟାଙ୍କକ୍ ସ୍ଥିତ ସିଲପାକୋର୍ଣ୍ଣ ବିଶ୍ୱବିଦ୍ୟାଳୟ ଏବଂ ମରିସସ୍ ର ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟରେ ଆଇସିସିଆର ଚେୟାର ଭିଜିଟିଂ ପ୍ରଫେସର (ସଂସ୍କୃତ ) ଭାବରେ କାର୍ଯ୍ୟ କରିବା 

ସେ ବାରଣାସୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନସିଏ)ରେ ରିସର୍ଚ୍ଚ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ଏବଂ କଳାତତ୍ତ୍ୱକୋସା ସମେତ ଅନେକ ବିଶେଷ ପୁସ୍ତକର ସମ୍ପାଦନା କରିଛନ୍ତି । ଜଣେ ଦକ୍ଷ ଲେଖକ ଓ ସମ୍ପାଦକ ପ୍ରଫେସର ପଣ୍ଡା ୨୮ଟି ପୁସ୍ତକ ଓ ୧୪୫ଟି ଗବେଷଣା ଲେଖା ପ୍ରକାଶ କରିବା ସହ ବିଶ୍ୱେଶ୍ୱରନନ୍ଦ, ଇଣ୍ଡୋଲୋଜିକାଲ ଜର୍ଣ୍ଣାଲ (ୟୁଜିସି-କେୟାର ତାଲିକାଭୁକ୍ତ) ଏବଂ ସିଲପାକୋର୍ଣ୍ଣ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଅନ୍ତର୍ଜାତୀୟ ଇଣ୍ଡୋଲୋଜି ଓ କଲ୍ଚର ପତ୍ରିକା ‘ଥାଇ ପ୍ରଜ୍ଞା’ ଭଳି ପ୍ରତିଷ୍ଠିତ ପତ୍ରିକାର ସମ୍ପାଦନା କରିଛନ୍ତି ।

ତାଙ୍କର ଏହି କାର୍ଯ୍ୟ ଉଭୟ ଭାରତ ଓ ବିଦେଶର ପ୍ରତିଷ୍ଠିତ ପତ୍ରିକାରେ ବ୍ୟାପକ ଭାବରେ ପ୍ରକାଶିତ ହୋଇଛି। ସେ ବିଶ୍ୱର ଅନେକ ଶିକ୍ଷାନୁଷ୍ଠାନର ସଂପାଦକୀୟ ଏବଂ ଉପଦେଷ୍ଟା ବୋର୍ଡରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଶିକ୍ଷାଗତ ଅବଦାନ ତାଙ୍କୁ ସଂସ୍କୃତି ମହାମହପାଧ୍ୟାୟ ପୁରସ୍କାର (୨୦୨୪) ଏବଂ ବାଗଦେବୀ ସମ୍ମାନ (୨୦୨୫) ସମେତ ଅନେକ ସମ୍ମାନ ପ୍ରଦାନ କରିଛି। ଅଭିଜ୍ଞ ଓ ଦୂରଦର୍ଶୀ ନେତୃତ୍ୱରେ ପ୍ରଫେସର ପଣ୍ଡାଙ୍କ ନିଯୁକ୍ତିକୁ ସିୟୁଓର ଏକାଡେମିକ ମିଶନର ସଫଳତା କ୍ରମାଗତ ଭାବେ ବିକାଶ ପଥରେ ଆଗେଇବା ବୋଲି ବିବେଚନା କରାଯାଉଛି ବୋଲି ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

CUO Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe