Punjab Kings Photograph: (Sambad.in )
ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୩୪ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଂଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଦିନ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍କୁ ୧୪-୧୪ ଓଭର କରାଯାଇଥିଲା। ଟସ୍ ଜିଣି ପଂଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ୧୪ ଓଭରରେ ୯ଟି ୱିକେଟ୍ ହରାଇ ୯୫ ରନ୍ ସଂଗ୍ରହ କରିଥିଲା। ଫଳରେ ପଂଜାବ କିଙ୍ଗ୍ସକୁ ଏହି ମ୍ୟାଚ୍ ଜିତିବା ପାଇଁ ୯୬ ରନ୍ ଲକ୍ଷ୍ୟ ମିଳିଛି।
ବେଙ୍ଗାଲୁରୁ ପାଇଁ ଟିମ୍ ଡେଭିଡ୍ ସର୍ବାଧିକ ବ୍ୟକ୍ତିଗତ ରନ୍ ସ୍କୋର କରିଥିଲେ। ସେ ୨୬ ବଲ୍ରେ ଅପରାଜିତ ୫୦ ରନ୍ କରିଥିଲେ, ଯେଉଁଥିରେ ୫ ଚୌକା ଏବଂ ୩ ଛକା ଅନ୍ତର୍ଭୁକ୍ତ ଥିଲା। ଅଧିନାୟକ ରଜତ ପାଟିଦାର ୨୩ ରନ୍ ସଂଗ୍ରହ କରିଥିଲେ। ସେ ୧୮ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪, ଜିତେଶ ଶର୍ମା ୨ ଏବଂ କ୍ରୁନାଲ ପାଣ୍ଡ୍ୟା ମାତ୍ର ୧ ରନ୍ ସ୍କୋର କରିପାରିଥିଲେ।
ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଜାରି ଥିବା ମ୍ୟାଚ୍ ପୂର୍ବରୁ କାଳବୈଶାଖୀ ବର୍ଷା ଖଳନାୟକ ସାଜିଥିଲା। ଫଳରେ ମ୍ୟାଚ୍ ପାଇଁ ଟସ୍ ରାତି ସାଢ଼େ ୯ଟାରେ ପଡ଼ିଥିଲା। ତା’ପରେ ମ୍ୟାଚ୍ ୯:୪୫ରେ ଆରମ୍ଭ ହୋଇଥିଲା। ଏବେ ଏହି ମ୍ୟାଚ୍ ୧୪-୧୪ ଓଭରର ଖେଳାଯାଉଛି। ୪ ଓଭରର ପାୱାରପ୍ଲେ ରଖାଯାଇଛି।
ପଞ୍ଜାବ କିଙ୍ଗ୍ସର ବୋଲରମାନେ ଘାତକ ବୋଲିଂ କରିଥିଲେ। ବେଙ୍ଗାଲୁରୁର ଦଳୀୟ ସ୍କୋର ୪୨ ରନ୍ ବେଳକୁ ଆଗଧାଡ଼ିର ୭ ଜଣ ଖେଳାଳିଙ୍କୁ ଆଉଟ୍ କରିସାରିଥିଲେ। ଦଳ ପକ୍ଷରୁ ଅର୍ଶଦୀପ ସିଂହ, ହରପ୍ରୀତ ବ୍ରାର, ୟୁଜଭେନ୍ଦ୍ର ଚହଲ ଏବଂ ମାର୍କୋ ଜାନସେନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।
IPL | Cricket
Follow Us